Yogi Adityanath: ସମ୍ବିଧାନକୁ ଅସମ୍ମାନ କରିଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ସହ ସମ୍ବିଧାନ ଚିଠା କମିଟିର ଅଧ୍ୟକ୍ଷ ବାବାସାହେବ ଆମ୍ବେଦକରଙ୍କୁ ତାଙ୍କର ଉଚିତ ସମ୍ମାନରୁ ବଞ୍ଚିତ କରି କଂଗ୍ରେସ...

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ସହ ସମ୍ବିଧାନ ଚିଠା କମିଟିର ଅଧ୍ୟକ୍ଷ ବାବାସାହେବ ଆମ୍ବେଦକରଙ୍କୁ ତାଙ୍କର ଉଚିତ ସମ୍ମାନରୁ ବଞ୍ଚିତ କରି କଂଗ୍ରେସ ସମ୍ବିଧାନକୁ ଅସମ୍ମାନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ବିଜେପି ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ନିର୍ମାତାମାନଙ୍କୁ ସମ୍ମାନିତ କରିବା ପାଇଁ କାର୍ଯ୍ୟ କରିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
୨୦୨୪ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନର ଏକ କପି ଧରି ବୁଲିବା ପ୍ରସଙ୍ଗକୁ ଉଲ୍ଲେଖ କରି ଆଦିତ୍ୟନାଥ କହିଛନ୍ତି ଯେ ଯେଉଁମାନେ ‘ଲାଲ ବହି’ ଧରି ବୁଲୁଥିଲେ ସେମାନେ କେବେ ବି ସମ୍ବିଧାନକୁ ସମ୍ମାନ ଦେଇନାହାନ୍ତି। ସେ ଆହୁରି କହିଛନ୍ତି ଯେ କଂଗ୍ରେସ ସର୍ବଦା ସମ୍ବିଧାନକୁ ଦବାଇ ରଖିଛି, ଗଣମାଧ୍ୟମର କଣ୍ଠରୋଧ କରିଛି, ନିଜ ଇଚ୍ଛା ଅନୁସାରେ ସମ୍ବିଧାନ ସଂଶୋଧନ କରିଛି ଏବଂ ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ କରିଛି। ରାଜ୍ୟପାଳଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ‘ଯେଉଁମାନେ ଆଜି ସମ୍ବିଧାନ କଥା କହୁଛନ୍ତି ସେମାନେ କେବେ ବି ବାବାସାହେବଙ୍କୁ ତାଙ୍କର ଉଚିତ ସମ୍ମାନ ଦେଇନଥିଲେ।’
ମୂଳତଃ ବାବାସାହେବ ଭୀମରାଓ ଆମ୍ବେଦକର ମେଡିକାଲ କଲେଜ ନାମରେ ନାମିତ କନୌଜ ମେଡିକାଲ କଲେଜର ନାମ ପରିବର୍ତ୍ତନ କରିଥିବାରୁ ସେ ସମାଜବାଦୀ ପାର୍ଟି (ଏସ୍ପି) ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ‘ବାବାସାହେବଙ୍କ ପରମ୍ପରାକୁ ଲିଭାଇ ଦେବା ପାଇଁ ଏସ୍ପି ନାମ ପରିବର୍ତ୍ତନ କରିଥିଲା। ଆମେ ଏହାକୁ ପୁନଃସ୍ଥାପିତ କରିଛୁ।
ସୌଜନ୍ୟ ସମ୍ବାଦ




