ଦେଶ ବିଦେଶ

Special session of Parliament: ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଗଲା: ଆଜି କ୍ୟାବିନେଟ୍‌

ଲୋକସଭା ଓ ରାଜ୍ୟସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ସରକାର ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ସୋମବାର (ନଭେମ୍ବର ୩୦) ଲୋକସଭା ଏବଂ ବୁଧବାର (ଡିସେମ୍ବର ୨) ରାଜ୍ୟସଭା...

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ସରକାର ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ସୋମବାର (ନଭେମ୍ବର ୩୦)  ଲୋକସଭା ଏବଂ ବୁଧବାର (ଡିସେମ୍ବର ୨) ରାଜ୍ୟସଭା ପୁନର୍ବାର ବସିବା ପାଇଁ ସରକାରଙ୍କ ଆହ୍ବାନ ଜାତୀୟ ରାଜନୀତିକୁ ସରଗରମ କରିଛି। ଏହି ବୈଠକ ସଂସଦର ମୌସୁମୀ ଅଧିବେଶନର ପରବର୍ତ୍ତୀ ଅଂଶ ଭାବେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଗୁରୁବାର କହିଛନ୍ତି ଯେ ଉଭୟ ଗୃହର ଅଧିବେଶନ ଆସନ୍ତା ଡିସେମ୍ବର ୩ ତାରିଖରେ ଶେଷ ହେବ। ତେବେ ଅଧିବେଶନ ସମୟରେ କେଉଁ ବିଲ୍‌ଗୁଡ଼ିକ ଆଗତ ହେବ, ସେ ସମ୍ପର୍କରେ ଶ୍ରୀ ରିଜିଜୁ କିଛି ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ସେବାତୀର୍ଥରେ କେନ୍ଦ୍ର କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହେବ।

୩୦ରେ ଲୋକସଭା, ଡିସେମ୍ବର ୨ରେ ରାଜ୍ୟସଭା, ଆଜି କ୍ୟାବିନେଟ୍‌

ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହ ଜଡ଼ିତ ଏକ ସମ୍ବିଧାନ ସଂଶୋଧନ ବିଲ୍ ସରକାର ଆଣିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଏହି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୩ ତାରିଖରେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯିବା ପରଠାରୁ ମୌସୁମୀ ଅଧିବେଶନ ଆନୁଷ୍ଠାନିକ ଭାବେ ୧୦୦ ଦିନରୁ ଅଧିକ ସମୟ ଧରି ଖୋଲା ରହିଛି, ଯାହା ୨୦୦୮ରେ ୮୭ ଦିନର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ସଂସଦୀୟ ନିୟମ ଅନୁଯାୟୀ, ବିଶେଷ ଅଧିବେଶନ ଡାକିବା ପାଇଁ ସରକାରଙ୍କୁ ଅତି କମ୍‌ରେ ତିନି ଦିନର ନୋଟିସ୍ ଦେବା ଜରୁରି ହୋଇଥାଏ। କିରେନ ରିଜିଜୁ ବାଚସ୍ପତି ଏବଂ ଅଧ୍ୟକ୍ଷଙ୍କୁ ଅନୁରୋଧ କରିସାରିଥିବାରୁ ଉଭୟ ଗୃହର ଅଧ୍ୟକ୍ଷଙ୍କ ମଞ୍ଜୁରି ପରେ ତାରିଖଗୁଡ଼ିକର ଆନୁଷ୍ଠାନିକ ଘୋଷଣା ହୋଇପାରେ। ଯଦି ନଭେମ୍ବର ୩୦ ଏବଂ ଡିସେମ୍ବର ୨ ତାରିଖରେ ଅଧିବେଶନ ଆରମ୍ଭ ହୁଏ, ତେବେ ତିନିଦିନିଆ ନୋଟିସ୍‌ର ସର୍ତ୍ତ ମଧ୍ୟ ପୂରଣ ହୋଇଯିବ।

ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ଚର୍ଚ୍ଚା

ସୀମା ପୁନଃନିର୍ଦ୍ଧାରଣ ମାଧ୍ୟମରେ ଲୋକସଭାର ଆସନ ସଂଖ୍ୟା ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରାଯିବାକୁ ବ୍ୟବସ୍ଥା ରହିଛି। ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ। ଅନ୍ୟପକ୍ଷରେ ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ଲୋକସଭାରେ ସେମାନଙ୍କର ଆସନ ଭାଗ କମିଯାଇପାରେ ବୋଲି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ତେବେ ପ୍ରତ୍ୟେକ ରାଜ୍ୟ ପାଇଁ ୫୦ ପ୍ରତିଶତ ଆସନ ବୃଦ୍ଧି କରିବାକୁ ସରକାର ବିଚାର କରୁଥିବା ଜଣାପଡ଼ିଛି। ଏହା ବ୍ୟତୀତ ୧୯୭୧ ଜନଗଣନା ଉପରେ ଆଧାରିତ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବର୍ତ୍ତମାନର ଆସନ ବଣ୍ଟନ ବ୍ୟବସ୍ଥାକୁ ବଜାୟ ରଖିବା ଅନ୍ୟ ଏକ ବିକଳ୍ପ ଭାବେ ରହିଛି, ଯଦିଓ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button