Arrested: ହସିନାଙ୍କ ପୂର୍ବତନ ଉପ ପ୍ରେସ୍ ସଚିବ, ଅନ୍ୟ ୨ ଗିରଫ
ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଯୋଜନାବଦ୍ଧ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ କର୍ତ୍ତୃପକ୍ଷ ଗୁରୁବାର ପ୍ରତ୍ୟୁଷରେ ଢାକାରୁ ତାଙ୍କର ପୂର୍ବତନ ଉପ-ପ୍ରେସ୍ ସଚିବ କେଏମ ଶାଖାୱତ ମୁନଙ୍କ ସହିତ ପୂର୍ବତନ ଉପ-କମିଶନର ମହମ୍ମଦ ଇଲିଆସ ହୋସେନ ଓ ଆୟକର ଓକିଲ...

ଢାକା: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଯୋଜନାବଦ୍ଧ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ କର୍ତ୍ତୃପକ୍ଷ ଗୁରୁବାର ପ୍ରତ୍ୟୁଷରେ ଢାକାରୁ ତାଙ୍କର ପୂର୍ବତନ ଉପ-ପ୍ରେସ୍ ସଚିବ କେଏମ ଶାଖାୱତ ମୁନଙ୍କ ସହିତ ପୂର୍ବତନ ଉପ-କମିଶନର ମହମ୍ମଦ ଇଲିଆସ ହୋସେନ ଓ ଆୟକର ଓକିଲ ସୁଫି ମହମ୍ମଦ ଅଲ ମାମୁନଙ୍କୁ ଗିରଫ କରିଛି। ଏହି ତିନି ଜଣଙ୍କୁ ଧାନମୋଣ୍ଡି-୨୭ ଅଞ୍ଚଳରୁ ଗିରଫ କରାଯାଇଥିବା ସରକାରୀ ସମ୍ବାଦ ସଂସ୍ଥା ବିଏସ୍ଏସ୍ ରିପୋର୍ଟ ପ୍ରକାଶ କରିଛି।
ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ପୁଲିସ ହେପାଜତକୁ ନେବା ପୂର୍ବରୁ ଶାସକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ଛାତ୍ର ଶାଖା ଜାତୀୟତାବାଦୀ ଛାତ୍ର ଦଳ (ଜେସିଡି)ର ନେତା ଓ କର୍ମୀମାନେ ପ୍ରଥମେ ଏହି ତିନି ଜଣଙ୍କୁ ଅଟକ ରଖିଥିଲେ। ମହମ୍ମଦପୁର ପୁଲିସ ଷ୍ଟେସନର ଡ୍ୟୁଟି ଅଫିସର ସବ-ଇନ୍ସପେକ୍ଟର ମାସୁଦୁର ରହମାନ କହିଛନ୍ତି ଯେ, ପୁଲିସ ଏହି ତିନି ଜଣଙ୍କୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତ ହେଉଛି।
ଲକଡାଉନ୍ କାର୍ଯ୍ୟକ୍ରମର ପ୍ରଚାର
ବାଂଲାଦେଶ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ହସିନାଙ୍କୁ ବାଂଲାଦେଶରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲେ ମଧ୍ୟ ସେ ଡିସେମ୍ବର ୧୬ ରେ ଭାରତରୁ ଫେରିବେ ବୋଲି ଆଶା କରାଯାଉଛି। ଉତ୍ତେଜନାକୁ ଲକ୍ଷ୍ୟ କରି ବିଏନ୍ପି ନେତୃତ୍ୱାଧୀନ ସରକାର ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି, ୧୦୮ ପ୍ଲାଟୁନ୍ ସୀମାନ୍ତ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିଛନ୍ତି। ଏଥିମଧ୍ୟରୁ ୫୬ ଟି ହାସିନାଙ୍କ ଗୃହ ଜିଲ୍ଲା ଗୋପାଳଗଞ୍ଜରେ ମୁତୟନ କରାଯାଇଛି। ଦେଶରେ ଦେଖାଯାଇଥିବା ହିଂସା ପାଇଁ ପୁଲିସ ହସିନାଙ୍କ ଆୱାମୀ ଲିଗ୍ ଓ ଏହାର ସହଯୋଗୀ ସଙ୍ଗଠନଙ୍କୁ ଦାୟୀ କରିଛି। ଆୱାମୀ ଲିଗର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି, ତେବେ ଦଳ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ନଭେମ୍ବର ୨୯ ଓ ୩୦ ପାଇଁ ଏକ ଲକଡାଉନ୍ କାର୍ଯ୍ୟକ୍ରମର ପ୍ରଚାର କରୁଛି। ଛାତ୍ର ନେତୃତ୍ୱାଧୀନ ବିଦ୍ରୋହରେ ତାଙ୍କ ସରକାରର ପତନ ପରେ ହସିନା ଅଗଷ୍ଟ ୨୦୨୪ରେ ଢାକା ଛାଡି ପଳାଇବା ପରଠାରୁ ଭାରତରେ ରହୁଛନ୍ତି।
ସୌଜନ୍ୟ ସମ୍ବାଦ




