ରାଜ୍ୟ
Kotia dispute: କୋଟିଆ ବିବାଦ ଥାନାକୁ ଗଲା: ୪ ଜଣଙ୍କୁ ଅପହରଣ ନେଇ ଆନ୍ଧ୍ରର ଏତଲା
ଆନ୍ଧ୍ରର ସରପଞ୍ଚ ନିର୍ବାଚନ ପୂର୍ବରୁ କୋଟିଆ ସୀମା ବିବାଦ ନୂଆ ମୋଡ଼ ନେଇଛି। ଓଡ଼ିଶା ପ୍ରଶାସନ ବିରୋଧରେ ଆନ୍ଧ୍ରର ସାଲୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦାୟର ହୋଇଛି। କୋଟିଆରୁ ୪ଜଣଙ୍କୁ ଅପହରଣ କରାଯାଇଥିବା ନେଇ ଏତଲାରେ ଉଲ୍ଲେଖ ଅଛି।

କୋରାପୁଟ: ଆନ୍ଧ୍ରର ସରପଞ୍ଚ ନିର୍ବାଚନ ପୂର୍ବରୁ କୋଟିଆ ସୀମା ବିବାଦ ନୂଆ ମୋଡ଼ ନେଇଛି। ଓଡ଼ିଶା ପ୍ରଶାସନ ବିରୋଧରେ ଆନ୍ଧ୍ରର ସାଲୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦାୟର ହୋଇଛି। କୋଟିଆରୁ ୪ଜଣଙ୍କୁ ଅପହରଣ କରାଯାଇଥିବା ନେଇ ଏତଲାରେ ଉଲ୍ଲେଖ ଅଛି। ସରପଞ୍ଚ ନିର୍ବାଚନର ଠିକ୍ ସପ୍ତାହକ ପୂର୍ବରୁ ଆନ୍ଧ୍ରର ଏଭଳି ଚାଲ୍ କୋଟିଆ ବିବାଦକୁ ଆହୁରି ଗୋଳମାଳିଆ କରିଛି। ଅନ୍ୟପଟେ ଓଡ଼ିଶା ପୁଲିସ ଏବଂ ପ୍ରଶାସନ ଆନ୍ଧ୍ରର ଅଭିଯୋଗକୁ ଖଣ୍ଡନ କରି ମିଛ ବୋଲି କହିଛନ୍ତି। ଏତଲାରେ ଉଲ୍ଲେଖ ଥିବା ସମସ୍ତ ଚାରିଜଣ ଗାଁରେ ଥିବା ସ୍ପଷ୍ଟ କରାଯାଇଛି।
ଆନ୍ଧ୍ରର ଏଭଳି ସଙ୍ଗିନ ଅଭିଯୋଗ ପରେ ଓଡ଼ିଶା ପକ୍ଷରୁ ତୁରନ୍ତ ଜବାବୀ ପଦକ୍ଷେପ ନିଆଯିବାରୁ ଆନ୍ଧ୍ରର ଷଡ଼ଯନ୍ତ୍ର ବିଫଳ ହୋଇଛି। କୋରାପୁଟ ପୁଲିସ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। କାହାକୁ ଅପହରଣ କରାଯାଇ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ମଧ୍ୟ ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି। ଅନ୍ୟପଟେ ଆନ୍ଧ୍ର କରିଥିବା ଅଭିଯୋଗର ଅନୁସନ୍ଧାନ କରିବାରୁ ଯେଉଁ ୪ଜଣଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି, ସମସ୍ତେ ଏବେ ଗାଁରେ ଅଛନ୍ତି। ପାରିବାରିକ କାର୍ଯ୍ୟକ୍ରମ ପାଇଁ ‘ଆର୍କୁ’ ଯାଇଥିଲେ। ସେମାନଙ୍କୁ କେହି ଅପହରଣ କରିନାହାନ୍ତି। ସେମାନେ ମଧ୍ୟ ଅଭିଯୋଗକାରୀଙ୍କୁ ଆଦୌ ଚିହ୍ନି ନଥିବା ଗଣମାଧ୍ୟମକୁ କହିଛନ୍ତି। ଏମିତି ମିଛ ଅଭିଯୋଗ କରିବା ପଛର କାରଣ ଆନ୍ଧ୍ରର ଏଜେଣ୍ଟ ଗିରଫ ଘଟଣା ସହ ଯୋଡ଼ାଯାଉଛି। କୋଟିଆରେ ବିଶୃଙ୍ଖଳା କରୁଥିବା ଓ ପୁଲିସକୁ ବାଧା ଦେଇଥିବା ଏଜେଣ୍ଟଙ୍କୁ ଓଡ଼ିଶା ପୁଲିସ ବାନ୍ଧିବା ପରେ ଥାନାରେ ପାଲଟା ଏତଲା ଦେଇ ଆନ୍ଧ୍ର ହଟଚମଟ ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଏଭଳି ମିଛ ଏତଲା ଆଧାରରେ ଆନ୍ଧ୍ର ପୁଲିସ ତଦନ୍ତ ଆଳରେ କୋଟିଆରେ ଅନୁପ୍ରବେଶ କରିବ। ହୁଏତ ଏହି ଚାଲ୍ ଖେଳି କିଛି ଓଡ଼ିଶା ସପକ୍ଷବାଦୀଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି।
ସୌଜନ୍ୟ ସମ୍ବାଦ




