ଭୁବନେଶ୍ବର: କେନ୍ଦ୍ର ସରକାର ଖଣି ବେପାରୀଙ୍କ ପାଇଁ ଏମ୍ଏମ୍ଡିଆର୍ ଆଇନରେ ସଂଶୋଧନ କରିଛନ୍ତି। ଓଡ଼ିଶା ଏହାଦ୍ବାରା ଖଣି ସେସ୍ ବାବଦକୁ ପାଇବାକୁ ଥିବା ପ୍ରାୟ ୧ଲକ୍ଷ ୫୦ ହଜାର କୋଟି ଟଙ୍କା ହରାଇଲା। କେବଳ ଏତିକି ନୁହେଁ, ବର୍ଷକୁ ପ୍ରାୟ ୧୫ ହଜାର କୋଟି ଟଙ୍କା ପାଇବାକୁ ଥିଲା, ଯାହା ପାଇବନି। କେନ୍ଦ୍ର ସରକାର ଯେତେବେଳେ ସଂସଦରେ ଏହି ବିଲ୍କୁ ପାସ୍ କଲେ ବିଜେପିର ୨୫ ଜଣ ସାଂସଦ ଟେବୁଲ୍ ବାଡ଼େଇ ସମର୍ଥନ କଲେ। ଏହାଠାରୁ ଦୁଃଖ ଆଉ କ’ଣ? ଯଦି ଏବେ ପଶ୍ଚାତାପ କରିବାକୁ ଚାହୁଁଛ ତେବେ ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ପାଇଁ ବିଧାନସଭାରେ ଏକ ସଂକଳ୍ପ ପାରିତ ହେଉ। ଏହାକୁ ସବୁ ଦଳ ସମର୍ଥନ କରିବେ। ଆଜି ବିଧାନସଭାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାବେଳେ ଉଭୟ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଏହି ପ୍ରସ୍ତାବ ଦେଇଛନ୍ତି।
ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, କେନ୍ଦ୍ରର ସଂଶୋଧିତ ଆଇନକୁ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବାକୁ କର୍ଣ୍ଣାଟକ, ଗୋଆ, କେରଳ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିବାବେଳେ ଝାଡ଼ଖଣ୍ଡ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତି କରୁଛି। ହେଲେ ଆମ ରାଜ୍ୟରେ ସରକାର କାହିଁକି ଚୁପ୍ ବସିଛନ୍ତି। ଦିନେ ଓରିସେଡ୍ ଆଇନକୁ ଲାଗୁ କରିବା ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ତଥା ତତ୍କାଳୀନ ବିଧାୟକ ଥିବା ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ତଥା ସେତେବେଳେ ବିଧାୟକ ଥିବା ମୋହନ ମାଝୀ ଏହି ବିଲ୍କୁ ବିଧାନସଭାରେ ସମର୍ଥନ କରିଥିଲେ। କିନ୍ତୁ ଏବେ ଓଡ଼ିଶାର ସ୍ବାର୍ଥ ହାନି ହେବ ଜାଣି ମଧ୍ୟ ଚୁପ୍? ସୁପ୍ରିମକୋର୍ଟଙ୍କ ରାୟ ପରେ ଝାଡ଼ଖଣ୍ଡ ସରକାର ୨୦୨୫-୨୬ରେ ୧୩୪୪୨ କୋଟି ଟଙ୍କା ଆଦାୟ କରିପାରିଲେ। ହେଲେ ଆମେ କାହିଁକି କରିପାରିଲେନି?
ସଂଶୋଧିତ ଆଇନ ପ୍ରତ୍ୟାହାର ପାଇଁ ସଂକଳ୍ପ ପାରିତ କର: ବିଜେଡି
‘ପି’ ନାମଧାରୀଙ୍କ ଇସାରାରେ ବିଜେଡି ଚୁପ୍ ଥିଲା, ଏବେ ବିଜେପି ଚୁପ୍: କଂଗ୍ରେସ
ମୁହଁ ଦେଖି ଦେଉଥିଲ, ଆମ ସରକାର ଆସିବା ପରେ ନିଲାମ ହେଲା: ବିଜେପି
କଳିକେଶ ସିଂହଦେଓ କହିଥିଲେ, ବିଜେଡି ସରକାର ନିୟମ କରିଥିଲା, ଓଡ଼ିଶାର ଖଣି ନେବ ମାନେ ଓଡ଼ିଶାରେ ଶିଳ୍ପ କରିବ। ହେଲେ ଏବେ ଆମ ଖଣି ନେଇ କିଏ ଗୁଜୁରାଟ, ଛତିଶଗଡ଼, ମହାରାଷ୍ଟରେ ଶିଳ୍ପ କଲେଣି। ରାଜ୍ୟରେ ପ୍ରାୟ ୬୦୦ଟି ଖଣି ଲିଜ୍ ଦିଆଯାଇଥିଲା। ହେଲେ ଚାଲିଛି ୧୩୦ରୁ ୧୪୦ଟି। ନୂଆ ଏମ୍ଏମ୍ଡିଆର୍ ଆଇନରେ ୩୬ଟା ଦେଇସାରିଲଣି। କିନ୍ତୁ ସେମାନେ ଖଣି ଲିଜ୍ ନେଇ ବ୍ୟବହାର କରୁନାହାନ୍ତି। ବିଜେଡି ପକ୍ଷରୁ ତୁଷାରକାନ୍ତି ବେହେରା ଓ ଗଣେଶ୍ବର ବେହେରା ଖର୍ଚ୍ଚଦାବିକୁ ବିରୋଧ କରିଥିଲେ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ୨୦୦୩ରୁ ରାଜ୍ୟରେ ଖଣି ଚୋରି ହେଉଛି। ଏଠାରୁ ଯେଉଁମାନେ ଦୀର୍ଘବର୍ଷ ଧରି ଖଣି ଲୁଟ୍ କଲେ ସେମାନେ ମିଳିମିଶି ମହାରାଷ୍ଟ୍ରରେ ୭ହଜାର କୋଟିର କାରଖାନା କରୁଛନ୍ତି। ଯେଉଁ ‘ପି’ ନାମଧାରୀ ଓଡ଼ିଶାରେ ଖଣି ଲୁଟ୍ କରୁଥିଲେ ତାଙ୍କ ନିର୍ଦ୍ଦେଶରେ ବିଜେଡି ଦୀର୍ଘ ବର୍ଷ ଚୁପ୍ ରହିଲା, ତାଙ୍କ ନିର୍ଦ୍ଦେଶରେ ବିଜେପି ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ବକେୟା ସେସ୍ ଆଦାୟ କଲାନି। ଏବେ କେନ୍ଦ୍ର ସରକାର ତାଙ୍କ ନିର୍ଦ୍ଦେଶରେ ଏମ୍ଏମ୍ଡିଆର୍ ଆଇନରେ ସଂଶୋଧନ କରିଛନ୍ତି। ଏବେବି ସମୟ ଆସିଛି ଗୃହର ସଂକଳ୍ପ ପାରିତ କରନ୍ତୁ, ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରନ୍ତୁ। ସମସ୍ତେ ସହଯୋଗ କରିବୁ।
ସୌଜନ୍ୟ ସମ୍ବାଦ