Advance Funeral Booking: ବଞ୍ଚିଥିବା ବେଳେ ନିଜ ଶେଷକୃତ୍ୟର ବୁକିଂ ! ମୃତ୍ୟୁ ପୂର୍ବରୁ ଅନ୍ତିମ ସଂସ୍କାରର ସବୁ ବ୍ୟବସ୍ଥା କରୁଛି ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ, ୨୭।୧୧: ବିବାହ ଉତ୍ସବର ଆୟୋଜନଠୁ ଭ୍ରମଣ ଆଦି ପାଇଁ ଲୋକେ ଆଗୁଆ ପ୍ରସ୍ତୁତି କରିଥାନ୍ତି । ଦିଲ୍ଲୀର ଏକ ଷ୍ଟାର୍ଟଅପ୍ ଏଭଳି ଏକ ସେବା ପ୍ରଦାନ କରୁଛି, ଯାହାର ଯୋଜନା ସାଧାରଣତଃ କେହି କରିନଥାନ୍ତି । ନିଜର ଅନ୍ତିମ ସଂସ୍କାର । ‘ମୋକ୍ଷ ଭୋୟାଜ’ ଏହି ସେବା ଆରମ୍ଭ କରିଛି । ନିଜର ଶେଷକୃତ୍ୟ ଲାଗି ଆଗୁଆ ବ୍ୟବସ୍ଥାର ସୁବିଧା ଦେଉଛି । ମୃତ୍ୟୁ ପରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆୟୋଜନ ଲାଗି ମୃତକଙ୍କ ପରିବାରକୁ ମଧ୍ୟ ସାହାଯ୍ୟ କରୁଛି । ନମୋ ଗଙ୍ଗେ ୱେଲ୍ନେସ୍ ପ୍ରା.ଲିଃ. ଦ୍ୱାରା ପରିଚାଳିତ ଏହି ଷ୍ଟାର୍ଟଅପ୍ ହିନ୍ଦୁ ରୀତିନୀତି ଅନ୍ତର୍ଗତ ଅନ୍ତିମ ସଂସ୍କାରର ବିଭିନ୍ନ କାର୍ଯ୍ୟ ସମ୍ପନ୍ନ କରୁଛି । ଏଥିରେ ଶବବାହକ, ପରିବହନ, କର୍ମ ନିମନ୍ତେ ପୁରୋହିତ, ସଂସ୍କାର ସାମଗ୍ରୀ ଓ ସଂସ୍କାର ପରବର୍ତ୍ତୀ ରୀତିନୀତି ରହିଛି ।
ପ୍ରିୟଜନଙ୍କ ମୃତ୍ୟୁର ଦୁଃଖରେ ମ୍ରିୟମାଣ ପରିବାରକୁ ଅନ୍ତିମ ସଂସ୍କାର ସମ୍ପର୍କିତ ବିଭିନ୍ନ ପ୍ରକାର ପ୍ରବନ୍ଧନର ବୋଝରୁ ମୁକ୍ତ କରିବା ସହିତ ଏ ସମସ୍ତ ଦାୟିତ୍ୱ ବହନ କରି ଦୁଃଖ ସମୟରେ ପରିବାରକୁ ସାହାଯ୍ୟ କରିବା ଏହାର ଲକ୍ଷ୍ୟ । ଶ୍ରାଦ୍ଧ ବିଧି ଲାଗି ବି ପରିବାର ଷ୍ଟାର୍ଟଅପ୍ର ସାହାଯ୍ୟ ଲୋଡ଼ିପାରିବେ । ଅସ୍ଥି ବିସର୍ଜନ ବିଧି ପାଇଁ ଡଙ୍ଗା ଓ ଘାଟର ବ୍ୟବସ୍ଥା ଏହା କରିପାରିବ । କମ୍ପାନିର ୱେବ୍ସାଇଟ୍ ଅନୁସାରେ, ଅନ୍ତିମ ସଂସ୍କାର ପ୍ୟାକେଜ୍ ମୂଲ୍ୟ ୬ ହଜାରରୁ ୧୫ ହଜାର ଟଙ୍କା, ଯାହା ସେବା ଚୟନ ଉପରେ ନିର୍ଭର କରେ । ମୋକ୍ଷ ଭୋୟାଜର ସବୁଠୁ ଆଶ୍ଚର୍ଯ୍ୟଚକିତ ବୈଶିଷ୍ଟ୍ୟ ଏହାର ଅଗ୍ରୀମ-ବୁକିଂ ସୁବିଧା । ଲୋକେ ଜୀବିତ ଅବସ୍ଥାରେ ନିଜ ଶେଷକୃତ୍ୟ ଯୋଜନା କରିପାରିବେ । ଏହି ଦାୟିତ୍ୱକୁ ସମ୍ପୂର୍ଣ୍ଣ ପରିବାର ଉପରେ ଛାଡ଼ିଦେବା ବଦଳରେ ସେମାନେ ଆଗୁଆ ନିଜ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମର ପ୍ରବନ୍ଧନ କରିପାରିବେ ।
ଏହା ଜରିଆରେ ମୋକ୍ଷ ଭୋୟାଜ ସ୍ୱାସ୍ଥ୍ୟ, ସଚେତନତା, ଶିକ୍ଷା ଓ ସମୁଦାୟ ସେବା କ୍ଷେତ୍ରରେ ନିଜ କାର୍ଯ୍ୟର ବିସ୍ତାରକୁ ଦର୍ଶାଇଛି । ସମ୍ମାନ ଓ ସମର୍ଥନ ସହିତ ଅନ୍ତିମ ସଂସ୍କାର ଆୟୋଜନକୁ ସଫଳ କରିବାରେ ପରିବାରକୁ ସାହାଯ୍ୟ କରିବା ଉପରେ ଏହା ଜୋର ଦିଏ । ବର୍ତ୍ତମାନ ଏହା ଦିଲ୍ଲୀ-ଏନ୍ସିଆର୍ ଓ ଦେଶର ଅନ୍ୟ ସହରରେ ସେବା ଦେଉଛି । ବ୍ୟାପକ ବିସ୍ତାର ନିମନ୍ତେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଏହା ଏକ ଷ୍ଟଲ୍ ମଧ୍ୟ ଖୋଲିଛି । ଏହି ବ୍ୟବସାୟ ବିଚାର ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରିଛି ।
ସୌଜନ୍ୟ ପ୍ରମେୟ




