ଜାତୀୟ

ଦିଲ୍ଲୀରେ ସିଇସି ବିରୋଧୀ ଆନ୍ଦୋଳନ ମାମଲା, ସ୍ୱୀକୃତିପ୍ରାପ୍ତ ଏବଂ ଆତ୍ମଘୋଷିତ ସାମ୍ବାଦିକଙ୍କ ସୁରକ୍ଷା ବିଚାର କରିବେ ଶୀର୍ଷ ଅଦାଲତ

ନୂଆଦିଲ୍ଲୀ, ୨୭/୧୧ : କାହାକୁ ସାମ୍ବାଦିକ ଭାବେ ଯୋଗ୍ୟ ବିବେଚନା କରାଯିବ ଏବଂ ବିକ୍ଷୋଭବେଳେ ଖବର ସଂଗ୍ରହ ସମୟରେ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ଆତ୍ମଘୋଷିତ ସାମ୍ବାଦିକ ମଧ୍ୟରୁ କିଏ ଅଧିକ ସୁରକ୍ଷା ପାଇବାକୁ ଯୋଗ୍ୟ ତାହା ସୁପ୍ରିମକୋର୍ଟ ବିଚାର କରିବେ ବୋଲି ଶୀର୍ଷ ଅଦାଲତ ଗୁରୁବାର ଟିପ୍ପଣୀ ଦେଇଛନ୍ତି । ଏଥିସହ ପେସାଦାର ସାମ୍ବାଦିକ ଏବଂ ସୋସିଆଲ ମିଡିଆରେ କଣ୍ଟେଣ୍ଟ କ୍ରିଏଟରଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ସୁପ୍ରିମକୋର୍ଟ ଆଲୋକପାତ କରିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍‌ ଭି. ମୋହନାଙ୍କ ଖଣ୍ଡପୀଠ ସାମ୍ୱାଦିକତାରେ ସ୍ୱାଧୀନତା ଏବଂ ସାଧାରଣ ଆଇନ ଶୃଙ୍ଖଳା ରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ଆବଶ୍ୟକ ବୋଲି କହିଛନ୍ତି ।

ଗତ ଅକ୍ଟୋବର ୧୦ରେ ଦିଲ୍ଲୀରେ ହୋଇଥିବା ବିକ୍ଷୋଭ ବେଳର ଖବର ସଂଗ୍ରହ କରୁଥିବା ୭ ଜଣ ସାମ୍ୱାଦିକଙ୍କୁ ଅଟକ ରଖାଯିବା, ସେମାନଙ୍କ ଉପରେ ଆକ୍ରମଣ ଏବଂ ଗଣମାଧ୍ୟମ କର୍ମୀଙ୍କୁ ବାଧା ଦିଆଯିବା ଅଭିଯୋଗ ସମ୍ୱନ୍ଧୀୟ ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଆର୍‌. ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ପଠାଇ ଦେଇଛନ୍ତି । ସାମ୍ୱାଦିକମାନେ ବିକ୍ଷୋଭ ସ୍ଥଳରେ ଉପସ୍ଥିତ ଥିଲେ କି ନା ଏବଂ ସେମାନଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରାଯାଇଥିଲା କି ନାହିଁ ତାହା ପ୍ରମାଣିତ କରିବା ପାଇଁ ପାଞ୍ଚ ଜଣିଆ କମିଟି ସମ୍ମୁଖରେ ପ୍ରାସଙ୍ଗିକ ତଥ୍ୟ ଦାଖଲ କରିବାକୁ ଖଣ୍ଡପୀଠ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ସେହି କମିଟି ନିକଟରେ ତଥ୍ୟଗତ ପ୍ରମାଣ ରଖିବେ ଯେ, ସମ୍ପୃକ୍ତ ସାମ୍ବାଦିକମାନେ ପ୍ରକୃତରେ ସେଠାରେ ଉପସ୍ଥିତ ଥିଲେ କି ନାହିଁ । ଯଦି ଉପସ୍ଥିତ ଥିଲେ, ତେବେ ସେମାନଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରାଯାଇଥିଲା କି ନାହିଁ । ଯଦି କରାଯାଇଥିଲା, ତେବେ ସାଧାରଣ ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ଅନୁପାତ ତୁଳନାରେ ତାହା ଅତ୍ୟଧିକ ଥିଲା କି ନାହିଁ ତାହା ଦେଖାଯିବ ।

ଜଷ୍ଟିସ୍‌ ବାଗ୍‌ଚୀ କହିଛନ୍ତି, ଆତ୍ମଘୋଷିତ ସାମ୍ବାଦିକମାନେ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଭଳି ସମାନ ସୁରକ୍ଷା ପାଇ ନ ପାରନ୍ତି । ଦିଲ୍ଲୀ ପୋଲିସ ମଧ୍ୟ ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା ଯେ, ସୋସିଆଲ ମିଡିଆ “ରିଲ୍‌-ମେକର୍‌’ ଏବଂ ଇନଫ୍ଲୁଏନ୍ସରମାନେ ବିକ୍ଷୋଭ କଭର୍‌ କରିବା ସମୟରେ ସାମ୍ୱାଦିକଙ୍କ ଭଳି ସମାନ ସୁରକ୍ଷା ଦାବି କରିପାରିବେ ନାହିଁ । ସେମାନେ ବ୍ୟବସାୟିକ ଲାଭ ପାଇଁ କ୍ୟାମେରା ଏବଂ ମାଇକ୍ରୋଫୋନ୍‌ ବ୍ୟବହାର କରି ରିଲ୍‌ ତିଆରି କରିଥାନ୍ତି । ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟରମାନଙ୍କଠାରୁ ସାମ୍ୱାଦିକମାନେ ଭିନ୍ନ । ତେଣୁ କଣ୍ଟେଣ୍ଟ କ୍ରିଏଟରମାନେ ସ୍ୱତଃପ୍ରବୃତ୍ତ ଭାବେ ଗଣମାଧ୍ୟମକୁ ମିଳୁଥିବା ସୁରକ୍ଷା ଦାବି କରିପାରିବେ ନାହିଁ ବୋଲି ପୁଲିସ ସତ୍ୟପାଠରେ ଯୁକ୍ତି ବାଢିଥିଲା ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button