ଜିଲ୍ଲାରାଜ୍ୟ

Accused Arrested: କେନ୍ଦୁପତ୍ର ତୋଳିବାକୁ ଯାଇଥିବା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଅଭିଯୁକ୍ତ

କଣ୍ଟାବାଞ୍ଜି: ରାଜ୍ୟରେ ନାବାଳିକା ଅସୁରକ୍ଷିତ ହୋଇପଡ଼ୁଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବଲାଙ୍ଗୀରଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜଙ୍ଗଲରୁ ଅଭିଯୁକ୍ତକୁ ଧରିଲା ପୁଲିସ

ମିଳିଥିବା ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ସମ୍ପୃକ୍ତ ୧୬ ବର୍ଷୀୟା ନାବାଳିକା ଜଣକ କେନ୍ଦୁପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଅଚାନକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ନପାଇବାରୁ ଶେଷରେ ୨୪ ତାରିଖରେ ମୁରିବାହାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିବା ପରେ ପାଖ ଜଙ୍ଗଲରୁ ଅଭିଯୁକ୍ତକୁ ଧରିବା ସହ ଘଟଣାର ପର୍ଦ୍ଦାଫାଶ କରିଥିଲା।

ପୁଲିସ ଏହି ମାମଲାରେ ଶ୍ରୀକାନ୍ତ ବନଛୋର ନାମକ ଜଣେ ଯୁବକକୁ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ଶ୍ରୀକାନ୍ତ ବିବାହିତ ଏବଂ ଦୁଇଟି ସନ୍ତାନର ପିତା ହୋଇଥିବା ସତ୍ତ୍ୱେ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବିରୋଧରେ କଠୋର ପୋକ୍ସୋ ଆକ୍ଟ ଲଗାଇ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ନାବାଳିକା ଜଣକ ନିଜର ଡାକ୍ତରୀ ପରୀକ୍ଷା ପାଇଁ ମନା କରିଦେଇଥିବା ବେଳେ ପୁଲିସ ପକ୍ଷରୁ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପୀଡ଼ିତାର ୧୬୪ ବୟାନ ରେକର୍ଡ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ନାବାଳିକାଙ୍କୁ ବର୍ତ୍ତମାନ ବଲାଙ୍ଗୀର ସୁଧ‌ାର ଗୃହକୁ ପଠାଇ ଦିଆଯାଇଛି। ମୁରିବାହାଲ ପୁଲିସ ଏବେ ମଧ୍ୟ ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଏସଆଇ ଅଭୟ ପଧାନ।

ସୌଜନ୍ୟ ସମ୍ବାଦ

Show More
Back to top button