ନୂଆଦିଲ୍ଲୀ, ୨୦/୩: ରାଜ୍ୟସଭାରେ ୧୪ ପ୍ରତିଶତ ଅର୍ଥାତ୍ ୩୧ ଜଣ ସାଂସଦ କୋଟିପତି ବୋଲି ଜଣାପଡ଼ିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ କୁହାଯାଇଛି ଯେ, କୋଟିପତି ସାଂସଦଙ୍କ ମଧ୍ୟରେ ବିଜେପିର ୬ ଜଣ, କଂଗ୍ରେସର ୫ ଜଣ, ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ୪ ଜଣ ସାଂସଦ ଥିବାବେଳେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଓ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ର ଦୁଇ ଜଣ ଲେଖାଏଁ ସାଂସଦ ଏହି ତାଲିକାରେ ଅଛନ୍ତି। ଏନ୍ସିପିର ତିନିଜଣ ସାଂସଦ ସେମାନଙ୍କ ସମ୍ପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ ଥିବା ଘୋଷଣା କରିଛନ୍ତି।
୩୧ ରାଜ୍ୟସଭା ସାଂସଦ କୋଟିପତି
ବିଆର୍ଏସ୍ ସାଂସଦ ବନ୍ଦୀ ପାର୍ଥ ସାରଥୀଙ୍କ ନିକଟରେ ସର୍ବାଧିକ ୫,୩୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ପରେ ଆପ୍ର ରାଜିନ୍ଦର ଗୁପ୍ତା (୫,୦୫୩ କୋଟି ଟଙ୍କା), ୱାଇଏସ୍ଆର୍ସିପିର ଆଲ୍ଲା ଅଯୋଧ୍ୟା ରାମି ରେଡ୍ଡୀଙ୍କ ନିକଟରେ (୨୫୭୭ କୋଟି ଟଙ୍କା)ର ସମ୍ପତ୍ତି ରହିଛି। ଆପ୍ ସାଂସଦ ସନ୍ଥ ବଲବୀର ସିଂହଙ୍କ ନାଁରେ ସବୁଠୁ କମ୍ ସମ୍ପତ୍ତି ରହିଛି। ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୩ ଲକ୍ଷ ଟଙ୍କା ଭିତରେ ହେବ। ତାଙ୍କ ପରେ ମଣିପୁରର ମହାରାଜା ସାଜୋଓବା ଲିସେମ୍ବା ପ୍ରାୟ ୫ ଲକ୍ଷ ଟଙ୍କା ସହିତ ଦ୍ୱିତୀୟ ଏବଂ ଟିଏମସି ସାଂସଦ ପ୍ରକାଶ ଚିକ୍ ବାରାଇକ ପ୍ରାୟ ୯ ଲକ୍ଷ ଟଙ୍କା ସହିତ ତୃତୀୟ ସ୍ଥାନରେ ଅଛନ୍ତି।
୩୨ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ନାଁରେ ଅପରାଧିକ ମାମଲା
ସେହିପରି ଏଡିଆର୍ ରିପୋର୍ଟ ଅନୁଯାୟୀ ୩୨ ପ୍ରତିଶତ ରାଜ୍ୟସଭା ସାଂସଦ ସେମାନଙ୍କ ନାଁରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଏହି ରିପୋର୍ଟ ୨୩୩ ସାଂସଦଙ୍କ ମଧ୍ୟରୁ ୨୨୯ ସାଂସଦଙ୍କ ସତ୍ୟପାଠ ସମୀକ୍ଷା କରାଯାଇଛି। ଏମାନଙ୍କ ମଧ୍ୟରେ ନବନିର୍ବାଚିତ ୩୭ ସାଂସଦ ମଧ୍ୟ ଅଛନ୍ତି। ୨୨୯ରୁ ୭୩ ସାଂସଦ (୩୨ ପ୍ରତିଶତ) ସେମାନଙ୍କ ନାଁରେ ଅପରାଧିକ ମାମଲା ରହିଥିବା, ୩୬ (୧୬ ପ୍ରତିଶତ) ହତ୍ୟା , ହତ୍ୟା ଉଦ୍ୟମ ଓ ମହିଳାଙ୍କ ବିରୋଧରେ ସଙ୍ଗୀନ ଅପରାଧ ମାମଲା ପରି ଅଭିଯୋଗ ରହିଛି। ଦଳ ଭିତ୍ତିରେ ଦେଖିଲେ ବିଜେପିର ୯୯ ସାଂସଦଙ୍କ ମଧ୍ୟରୁ ୨୭ ଜଣ, କଂଗ୍ରେସର ୨୮ ସାଂସଦର ୧୨ ଜଣ, ତୃଣମୂଳ କଂଗ୍ରେସର ୧୩ ସାଂସଦରୁ ୪ ଜଣ, ଆପ୍ର ୧୦ରୁ ୪ ଜଣ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି।
ସୌଜନ୍ୟ ସମ୍ବାଦ
