ବିଶେଷ

AI: କଣ୍ଠସ୍ବରରୁ ମଧୁମେହ ଚିହ୍ନଟ କରିବ ଏଆଇ!

ଚିକିତ୍ସା କ୍ଷେତ୍ରରେ ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ମଧୁମେହ ଚିହ୍ନଟ ପାଇଁ ମଧ୍ୟ ଏଆଇର ସହାୟତା ନିଆଯାଇପାରେ। ମାତ୍ର ୨୦ ସେକେଣ୍ଡ୍‌ର କଣ୍ଠସ୍ୱର ରେକର୍ଡିଂରୁ ଟାଇପ୍-୨ ଡାଇବେଟିସ୍‌ ସମ୍ପର୍କରେ ସୂଚନା ଦେଇପାରିବ ଏଆଇ।

ଚିକିତ୍ସା କ୍ଷେତ୍ରରେ ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ମଧୁମେହ ଚିହ୍ନଟ ପାଇଁ ମଧ୍ୟ ଏଆଇର ସହାୟତା ନିଆଯାଇପାରେ। ମାତ୍ର ୨୦ ସେକେଣ୍ଡ୍‌ର କଣ୍ଠସ୍ୱର ରେକର୍ଡିଂରୁ ଟାଇପ୍-୨ ଡାଇବେଟିସ୍‌ ସମ୍ପର୍କରେ ସୂଚନା ଦେଇପାରିବ ଏଆଇ। ଥାଇମିଆ ନାମକ ପ୍ରଯୁକ୍ତି କମ୍ପାନି ଦ୍ବାରା ଏହି ଏଆଇ ମଡେଲ୍‌ ବିକଶିତ ହୋଇଛି ଏବଂ ଗବେଷକମାନେ ଏହା ସାହାଯ୍ୟରେ ପରୀକ୍ଷା କରି ସକାରାତ୍ମକ ଫଳାଫଳ ପାଇଛନ୍ତି। ଟାଇପ୍-୨ ଡାଇବେଟିସ୍‌ ଥିବା ବ୍ୟକ୍ତିଙ୍କ କଣ୍ଠସ୍ୱରରେ କିଛି ସୂକ୍ଷ୍ମ ପରିବର୍ତ୍ତନ ଦେଖାଯାଇଥାଏ। ତେବେ ମନୁଷ୍ୟ ପକ୍ଷେ ଏହି ସୂକ୍ଷ୍ମ ପରିବର୍ତ୍ତନକୁ ଠଉରାଇବା ସମ୍ଭବ ନୁହେଁ। ସ୍ୱରର ରୁକ୍ଷତା, ଶ୍ୱାସ ନିୟନ୍ତ୍ରଣ ଏବଂ କଥା କହିବା ସମୟରେ ସ୍ୱର ନିୟନ୍ତ୍ରଣରେ ହେଉଥିବା ପରିବର୍ତ୍ତନକୁ ଆଧାର କରି ଉକ୍ତ ଏଆଇ ହିଁ ଡାଇବେଟିସ୍‌ ସମ୍ପର୍କରେ ସଙ୍କେତ ଦେଇପାରୁଛି।

ଏହି ଏଆଇ ମଡେଲ୍‌କୁ ବ୍ରିଟେନ୍ ଓ ଆମେରିକାର ୨୧,୧୨୯ ଜଣ ବ୍ୟକ୍ତିଙ୍କ ୬୩,୨୮୩ଟି କଣ୍ଠସ୍ୱର ନମୁନା ଉପରେ ପରୀକ୍ଷଣ କରାଯାଇଥିଲା। ପରେ ବ୍ରିଟେନ୍‌ର ୭,୩୧୯ ଜଣ ବୟସ୍କଙ୍କ ଉପରେ ଏହାର ପ୍ରୟୋଗ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରିବାରେ ଏଆଇ ସଫଳ ହୋଇଛି। ତେବେ ଗବେଷକମାନେ ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରଯୁକ୍ତି ରକ୍ତ ପରୀକ୍ଷାର ବିକଳ୍ପ ନୁହେଁ। ଏହାକୁ ପ୍ରାରମ୍ଭିକ ସ୍କ୍ରିନିଂ ଟୁଲ୍ ଭାବେ ବ୍ୟବହାର କରାଯାଇପାରେ। ଅର୍ଥାତ୍, ଏଆଇ ମାଧ୍ୟମରେ କାହାର ଡାଇବେଟିସ୍‌ ହେବାର ଅଧିକ ଆଶଙ୍କା ଥାଇପାରେ ତାହା ପ୍ରଥମେ ନିରୂପଣ କରିବା ପରେ ରକ୍ତ ପରୀକ୍ଷା ଭଳି ପାରମ୍ପରିକ ପଦ୍ଧତି ଆପଣାଇ ଠିକ୍ ରୋଗ ନିରୂପଣ କରାଯାଇପାରିବ। ତେଣୁ ମାତ୍ର ୨୦ ସେକେଣ୍ଡ୍‌ର କଣ୍ଠସ୍ୱର ଆଧାରରେ କାହାର ମଧୁମେହ ଅଛି ବୋଲି ସୁନିଶ୍ଚିତ କରାଯାଇପାରିବ ନାହିଁ। ଏହି ପ୍ରଯୁକ୍ତିର ବାସ୍ତବ ଚିକିତ୍ସା ବ୍ୟାବହାରିକତା ଜାଣିବା ପାଇଁ ଆହୁରି ଗବେଷଣା ଓ କ୍ଲିନିକାଲ୍ ପରୀକ୍ଷଣ ଆବଶ୍ୟକ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button