Air condition: ଏସି ସାଜିପାରେ ଆତଙ୍କ!

ବିଭିନ୍ନ କାରଣରୁ ପୃଥିିବୀର ତାପମାତ୍ରା ବଢ଼ିବାରେ ଲାଗିଛି। ନିଜର ଆରାମ ପାଇଁ ଆମେ ଆମ ଘର ସମେତ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ଅନ୍ୟ ଜାଗାରେ ଏୟାର କଣ୍ଡିସନର୍‌ ବା ଏସିର ବ୍ୟବହାର କରୁଛନ୍ତି।

ବିଭିନ୍ନ କାରଣରୁ ପୃଥିିବୀର ତାପମାତ୍ରା ବଢ଼ିବାରେ ଲାଗିଛି। ନିଜର ଆରାମ ପାଇଁ ଆମେ ଆମ ଘର ସମେତ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ଅନ୍ୟ ଜାଗାରେ ଏୟାର କଣ୍ଡିସନର୍‌ ବା ଏସିର ବ୍ୟବହାର କରୁଛନ୍ତି। ତେବେ ଆପଣ କେବେ ଭାବିଛନ୍ତି କି ଯେ, ଏହି ସାମୟିକ ସୁଖ ଆମ ପୃଥିବୀକୁ ବିପଦ ଆଡ଼କୁ ଟାଣିନେଉଛି। ବୈଜ୍ଞାନିକମାନଙ୍କ ଏକ ନୂଆ ଗବେଷଣା ଅନୁସାରେ, ଏସି ବିକିରଣ କରୁଥିବା ଉତ୍ତାପ ଯୋଗୁଁ ପୃଥିବୀର ତାପମାତ୍ରା ଆହୁରି ୦.୦୫ ଡିଗ୍ରି ସେଲସିୟସ୍‌ ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଜୁଳି, ରାସାୟନିକ ରେଫ୍ରିଜରାଣ୍ଟ ସାଙ୍ଗକୁ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ବିକିରଣ ଯୋଗୁଁ ପୃଥିବୀକୁ ଏହା ଆହୁରି ଉତ୍ତପ୍ତ କରିଦେଇପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ଏହାର ଅର୍ଥ, ଗରମରୁ ତ୍ରାହି ପାଇବାପାଇଁ ଆମେ ଦୁନିଆକୁ ଆହୁରି ତତଲା କରିବା ଦିଗରେ ଲଗାତାର କାମ କରିଚାଲିଛେ।

‘ନେଚର୍‌ କମ୍ୟୁନିକେସନ୍‌’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାତ୍ମକ ତଥ୍ୟ ଅନୁସାରେ, ୨୦୫୦ ମଧ୍ୟରେ ଭାରତ ଭଳି ପୃଥିବୀର ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକର ୨୫୦ କୋଟି ଲୋକଙ୍କ ପାଖରେ ନିଜସ୍ବ ଏସି ସୁବିଧା ରହିଥିବ। ଆକଳନ ଅନୁସାରେ, ଏବେ ପ୍ରାୟ ୧୯୦ କୋଟି ଲୋକ ଏସିର ଆବଶ୍ୟକତା ଅନୁଭବ କରୁଥିଲେ ମଧ୍ୟ ସେମାନଙ୍କର ନିଜସ୍ବ ଏସି ନାହିଁ। ତେବେ ୨୦୫୦ ବେଳକୁ ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକର ପ୍ରାୟ ୭୫ ପ୍ରତିଶତ ଲୋକ ଏସି ବ୍ୟବହାର କରୁଥିବେ ବୋଲି ଅନୁମାନ କରାଯାଉଛି। ଆକଳନ ଅନୁଯାୟୀ, ଏବେ ପୃଥିବୀରେ ୨୦୦ କୋଟି ଏସି ବ୍ୟବହାର କରାଯାଉଛି।

୨୦୫୦ ମସିହା ସୁଦ୍ଧା ଏହି ସଂଖ୍ୟା ୫୬୦ କୋଟି ହୋଇଯାଇଥିବ। ୨୦୧୮ରେ ପ୍ରକାଶିତ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର  ରିପୋର୍ଟ ଅନୁସାରେ, ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ଫଳରେ ଲୋକେ ଏସି ଭଳି ଆରାମଦାୟକ ଉପକରଣର ବ୍ୟବହାର ବଢ଼ାଇବାରେ ଲାଗିଛନ୍ତି। ଏହିଭଳି ଭାବେ ୨୦୫୦ ମଧ୍ୟରେ କେବଳ ଭାରତରେ ୧୧୦ କୋଟି ଏସି ବ୍ୟବହାର ହେଉଥିବ ବୋଲି ଅନୁମାନ କରାଯାଉଛି। ହିସାବ ଅନୁସାରେ, ୨୦୨୦ରେ ଆମ ଦେଶରେ ପାଖାପାଖି ୪.୮ କୋଟି ଏସି ଥିଲା। ୨୮ ବର୍ଷ ଭିତରେ ଏସି ସଂଖ୍ୟା ୨୩ ଗୁଣା ବଢ଼ିିବା ଆକଳନ କରାଯାଉଛି। ଏହିଭଳି ଭାବେ ଜଳବାୟୁ ପରିବର୍ତ୍ତନ, ଏସିର ଆବଶ୍ୟକତା ଓ ଆର୍ଥିକ ବିକାଶ ପୃଥିବୀର ତାପମାତ୍ରାକୁ ଆଶାତୀତ ଭାବେ ବଢ଼ାଇବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version