Environmental: ପରିବେଶ ଆନ୍ଦୋଳନ: ଚିପ୍‌କୋ

ଚିପ୍‌କୋ ଆନ୍ଦୋଳନ ଏକ ପରିବେଶ ସୁରକ୍ଷା ଆନ୍ଦୋଳନ ଥିଲା। ଏହାର ନାମ ହିନ୍ଦୀ ଶବ୍ଦ ‘ଚିପ୍‌କୋ’ରୁ ଆସିଛି, ଯାହାର ଅର୍ଥ ଆଲିଙ୍ଗନ କରିବା। ଗାଁ ଲୋକେ ଗଛକଟା ରୋକିବା ପାଇଁ ଗଛଗୁଡ଼ିକୁ କୁଣ୍ଢାଇ ଧରି ପ୍ରତିବାଦ କରିଥିଲେ।

ଚିପ୍‌କୋ ଆନ୍ଦୋଳନ ଏକ ପରିବେଶ ସୁରକ୍ଷା ଆନ୍ଦୋଳନ ଥିଲା। ଏହାର ନାମ ହିନ୍ଦୀ ଶବ୍ଦ ‘ଚିପ୍‌କୋ’ରୁ ଆସିଛି, ଯାହାର ଅର୍ଥ ଆଲିଙ୍ଗନ କରିବା। ଗାଁ ଲୋକେ ଗଛକଟା ରୋକିବା ପାଇଁ ଗଛଗୁଡ଼ିକୁ କୁଣ୍ଢାଇ ଧରି ପ୍ରତିବାଦ କରିଥିଲେ। ଏହି ଆନ୍ଦୋଳନ ଗ୍ରାମବାସୀଙ୍କ ଦ୍ବାରା ଏକ ଅହିଂସାତ୍ମକ ପ୍ରତିବାଦ ଥିଲା। ବିଶେଷକରି ମହିଳାମାନେ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେମାନେ ଠିକାଦାରଙ୍କ ଦ୍ୱାରା ଗଛକଟା ରୋକିବା ପାଇଁ ଗଛକୁ ଭିଡ଼ି ଧରିଥିଲେ। ସେମାନଙ୍କ ଲକ୍ଷ୍ୟ ଥିଲା ହିମାଳୟ ଅଞ୍ଚଳକୁ ଜଙ୍ଗଲ କ୍ଷୟରୁ ରକ୍ଷା କରିବା। ଇନ୍ଧନ, ଚାରା ଓ ପାଣି ପାଇଁ ଜଙ୍ଗଲ ଉପରେ ବହୁଳ ଭାବରେ ନିର୍ଭର କରୁଥିବା ମହିଳାମାନେ ଗଛକଟାର ପ୍ରତିରୋଧ କରିଥିଲେ। ଚିପ୍‌କୋ ଆନ୍ଦୋଳନ ଗାନ୍ଧୀଜୀଙ୍କ ଅହିଂସା ଏବଂ ସତ୍ୟାଗ୍ରହ ନୀତି ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଏହି ଆନ୍ଦୋଳନ ଦ୍ରୁତ ଗତିରେ ବ୍ୟାପିଥିଲା।

ଚିପ୍‌କୋ ଆନ୍ଦୋଳନ ୧୯୭୩ ମସିହାରେ ବର୍ତ୍ତମାନର ଉତ୍ତରାଖଣ୍ଡର ଗଢ଼ୱାଲ ଅଞ୍ଚଳରେ ଆରମ୍ଭ ହୋଇଥିଲା। ସେତେବେଳେ ଏହା ଉତ୍ତର ପ୍ରଦେଶର ଏକ ଅଂଶ ଥିଲା। ସରକାର ଏକ କ୍ରୀଡ଼ା ସାମଗ୍ରୀ ନିର୍ମାଣ କରୁଥିବା କମ୍ପାନିକୁ ଜଙ୍ଗଲରୁ ଗଛ କାଟିବାକୁ ଅନୁମତି ଦେବା ପରେ  ଗ୍ରାମବାସୀମାନେ ଏହାର ପ୍ରତିବାଦ କରିଥିଲେ। ସେମାନଙ୍କ ଅନୁରୋଧକୁ ଅଣଦେଖା କରାଗଲା। ତେଣୁ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ଦାସୋଲି ଗ୍ରାମ ସ୍ୱରାଜ୍ୟ ସଂଘ ଭଳି ସ୍ଥାନୀୟ ସଂଗଠନର ନେତୃତ୍ୱରେ ଗଛ କଟାଳିମାନଙ୍କୁ ବିରୋଧ କରାଯାଇଥିଲା। ଗ୍ରାମର ଅଧିକାଂଶ ମହିଳା ଗଛଗୁଡ଼ିକୁ କୁଣ୍ଢାଇ ପ୍ରତିବାଦ କରିଥିଲେ। ଗଛଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସେମାନେ ନିଜର ଜୀବନକୁ ବାଜି ଲଗାଇଥିଲେ।

ଚିପ୍‌କୋ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଗାନ୍ଧୀବାଦୀ ସାମାଜିକ କର୍ମୀ ତଥା ଗ୍ରାମ ସ୍ୱରାଜ୍ୟ ସଂଘର ପ୍ରତିଷ୍ଠାତା ଚଣ୍ଡି ପ୍ରସାଦ ଭଟ୍ଟ। ଚିପ୍‌କୋ ଆନ୍ଦୋଳନ ସହିତ ଗଭୀର ଭାବରେ ଜଡ଼ିତ ଥିଲେ ସୁନ୍ଦରଲାଲ ବହୁଗୁଣା। ଏହି ଆନ୍ଦୋଳନକୁ ପରବର୍ତ୍ତୀ ସମୟରେ ସେ ସାରା ବିଶ୍ବରେ ବେଶ୍‌ ପରିଚିତ କରାଇପାରିଥିଲେ। ହିମାଳୟ ଦେଇ ତାଙ୍କର ଦୀର୍ଘ ପଦଯାତ୍ରା ଜଙ୍ଗଲ କ୍ଷୟ ତଥା ପରିବେଶଗତ ଅବକ୍ଷୟ ବିଷୟରେ ସଚେତନତା ସୃ‌‌ଷ୍ଟି କରିଥିଲା। ୧୯୭୪ ମସିହାରେ ଏହି ଆନ୍ଦୋଳନ ଅଧିକ ଶକ୍ତିଶାଳୀ ହୋଇଥିଲା, ଯେତେବେଳେ ରାଇନି ଗ୍ରାମର ଜଣେ ମହିଳା ଗୌର ଦେବୀ ଏକ ମହିଳା ଗୋଷ୍ଠୀର ନେତୃତ୍ବ ନେବା ସହ ଗଛକଟା ରୋକିବାକୁ ଅଣ୍ଟା ଭିଡ଼ିଥିଲେ। ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଅଧିବାସୀମାନଙ୍କର ଆର୍ଥିକ ସମ୍ବଳ ଯୋଗାଉଥିବା ଜଙ୍ଗଲକୁ ରକ୍ଷା କରିବା। ବହୁଗୁଣା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏ ବିଷୟରେ ଅବଗତ କରାଇବା ପରେ ହିମାଳୟ ଅଞ୍ଚଳରେ ଗଛକଟା ଉପରେ ପ୍ରତିବନ୍ଧକ ଲାଗିଥିଲା।

ସୌଜନ୍ୟ Prameya News7

Exit mobile version