ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କେବଳ ତାପମାତ୍ରା ବୃଦ୍ଧି କିମ୍ବା ହିମବାହ ତରଳିବା ଭିତରେ ସୀମିତ ରହିନାହିଁ। ପୃଥିବୀର ସର୍ବାଧିକ ଜୈବବିବିଧତାପୂର୍ଣ୍ଣ ଅଞ୍ଚଳର ଉଦ୍ଭିଦ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୃଥିବୀର ଉଷ୍ଣକଟିବନ୍ଧୀୟ ଅଞ୍ଚଳରେ ଫୁଲ ଫୁଟିବା ସମୟରେ ପରିବର୍ତ୍ତନ ଘଟିବାରେ ଲାଗିଛି। ଏହି ଅଞ୍ଚଳର ଅନେକ ଫୁଲ ଏବେ ପୂର୍ବପରି ଠିକ୍ ସମୟରେ ନ ଫୁଟି ଯଥେଷ୍ଟ ପୂର୍ବରୁ କିମ୍ବା ପରେ ଫୁଟିଛନ୍ତି। ଜଳବାୟୁର ପରିବର୍ତ୍ତନ ଯୋଗୁଁ ପରିସଂସ୍ଥାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।
୧୭୯୪ରୁ ୨୦୨୪ ମସିହା ମଧ୍ୟରେ ସଂଗୃହୀତ ଆଠ ହଜାରରୁ ଅଧିକ ଫୁଲର ନମୁନାଗୁଡ଼ିକୁ ସଂଗ୍ରହାଳୟରେ ସଂରକ୍ଷିତ କରାଯାଇଥିଲା। ସେଥିମଧ୍ୟରୁ ବୈଜ୍ଞାନିକମାନେ ମୋଟ ୩୩ଟି ଉଷ୍ଣକଟିବନ୍ଧୀୟ ପ୍ରଜାତି ଚୟନ କରିଥିଲେ। ଏହି ପ୍ରଜାତିଗୁଡ଼ିକର ଫୁଲ ବର୍ଷସାରା ଭିନ୍ନ ଭିନ୍ନ ସମୟରେ ଫୁଟିଥାଏ। ଗବେଷକମାନେ ଏହି ନମୁନାଗୁଡ଼ିକର ସଂଗ୍ରହ ତାରିଖକୁ ଦେଖି ଜାଣିପାରୁଥିଲେ ଯେ ସମୟ ସହିତ ଫୁଲ ଫୁଟିବାରେ କିପରି ବ୍ୟତିକ୍ରମ ଦେଖାଦେଇଛି। ଆମେରିକୀୟ ବୈଜ୍ଞାନିକ ସ୍କାଏଲର୍ ଗ୍ରେଭ୍ସ ଓ ଏରିନ୍ ମାଞ୍ଜିଟୋ ଟ୍ରିପ୍ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତି ଦଶନ୍ଧିରେ ହାରାହାରି ଫୁଲ ଫୁଟିବା ସମୟ ପ୍ରାୟ ଦୁଇ ଦିନ ପରିବର୍ତ୍ତନ ହେଉଥିଲା। ପରେ ୧୦୦ରୁ ୨୦୦ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ କିଛି ସପ୍ତାହ ଓ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଜଳବାୟୁ ପରିବର୍ତ୍ତନ ଉଦ୍ଭିଦ ଓ ସେମାନଙ୍କ ଉପରେ ନିର୍ଭର କରୁଥିବା ଜୀବମାନଙ୍କ ମଧ୍ୟରେ ଥିବା ସନ୍ତୁଳନକୁ ବିଗାଡ଼ିବାରେ ଲାଗିଛି। ପରାଗ ସଙ୍ଗମ ଦ୍ବାରା ଗଛରେ ଫୁଲ ଫୁଟେ। ଫଳରେ ପକ୍ଷୀ ଓ ପ୍ରାଣୀଙ୍କ ଖାଦ୍ୟଚକ୍ର ଠିକ୍ ଭାବରେ ଜାରି ରହେ। ଯଦି କୀଟପତଙ୍ଗ ନଥିବା ସମୟରେ ପରାଗ ସଙ୍ଗମ ହୁଏ, ତେବେ ବିହନ ସୃଷ୍ଟି ହେବା ନେଇ ସମସ୍ୟା ଉପୁଜେ। ଯାହାଫଳରେ ଫୁଲ ଓ ଫଳ ଉପରେ ନିର୍ଭର କରୁଥିବା ପ୍ରାଣୀମାନେ ସମସ୍ୟା ଭୋଗନ୍ତି।
ସୌଜନ୍ୟ Prameya News7
