Greenhouse gas emissions: ଭାରତରେ ହ୍ରାସ ପାଇଛି ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ

ବିଶ୍ବବ୍ୟାପୀ କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଉତ୍ତାପ ଆବଦ୍ଧକାରୀ ବାଷ୍ପ ବା ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପାଇଥିଲେ ବି ୨୦୨୫ ବର୍ଷରେ ପ୍ରଧାନ ଦେଶମାନଙ୍କ ମଧ୍ୟରେ ଭାରତରେ ଏହି ବାଷ୍ପ ସବୁଠୁ ବେଶୀ ହ୍ରାସ ପାଇଛି।

ବିଶ୍ବବ୍ୟାପୀ କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଉତ୍ତାପ ଆବଦ୍ଧକାରୀ ବାଷ୍ପ ବା ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପାଇଥିଲେ ବି ୨୦୨୫ ବର୍ଷରେ ପ୍ରଧାନ ଦେଶମାନଙ୍କ ମଧ୍ୟରେ ଭାରତରେ ଏହି ବାଷ୍ପ ସବୁଠୁ ବେଶୀ ହ୍ରାସ ପାଇଛି। ଅକ୍ଷୟଶକ୍ତି ଉପଯୋଗ ଯୋଗୁଁ ଏହା ସମ୍ଭବ ହୋଇଥିବା କଥା ‘କ୍ଲାଇମେଟ୍‌ ଟ୍ରେସ୍‌’ରୁ ଜଣାପଡ଼ିଛି।
ବିଶ୍ବବ୍ୟାପୀ ଦଶଟି ପ୍ରଧାନ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ କ୍ଷେତ୍ରରୁ ଗତବର୍ଷ ସର୍ବାଧିକ ନିର୍ଗମନ ବୃଦ୍ଧି ପାଇଥିଲା ଜୀବାଶ୍ମ ତୈଳ ବ୍ୟବହାରରୁ। ତଦ୍ବାରା ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ପରିମାଣ ୧.୫୬ ପ୍ରତିଶତ ବୃଦ୍ଧି ପାଇଥିଲା। ଏତିକି ପରିମାଣ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ୧୫୧.୫୭ ନିୟୁତ ଟନ୍‌ କାର୍ବନ୍‌ ଡାଇଅକ୍ସାଇଡ୍‌ ସମକକ୍ଷ।
ସାରା ବିଶ୍ବରେ ଅକ୍ଷୟଶକ୍ତି ଭଳି ନିର୍ମଳ ଶକ୍ତି ଉତ୍ସ ଉପଯୋଗ ଏବଂ ବିଦ୍ୟୁତ୍‌ଚାଳିତ ଯାନବାହନ ପ୍ରଚଳନ ହେଲାଣି। ତେଣୁ, ଏସବୁ ଅଞ୍ଚଳରେ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ମାତ୍ରା କ୍ରମଶଃ ହ୍ରାସ ପାଉଛି।

୨୦୨୫ ବର୍ଷରେ ଭାରତର ବିଦ୍ୟୁତ୍‌ଶକ୍ତି କ୍ଷେତ୍ରରେ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୨.୬ ପ୍ରତିଶତ ହ୍ରାସ ପାଇଛି। ୨୦୨୦ ପରଠାରୁ ଦେଶର ଶକ୍ତି କ୍ଷେତ୍ରରେ ଏହା ହେଉଛି ପ୍ରଥମ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ହ୍ରାସ। ବିଦ୍ୟୁତ୍‌ ଶକ୍ତି ଚାହିଦା ବୃଦ୍ଧି ଓ ନିରନ୍ତର ଆର୍ଥିକ ଅଭିବୃଦ୍ଧି ସତ୍ତ୍ବେ ଏତାଦୃଶ ହ୍ରାସ ସମ୍ଭବ ହୋଇଛି। ଏଥିରୁ ଆଭାସ ମିଳୁଛି ଯେ ଦ୍ରୁତ ଅକ୍ଷୟଶକ୍ତି ସମ୍ପ୍ରସାରଣ ଯୋଗୁଁ ବିଦ୍ୟୁତ୍‌ ଉତ୍ପାଦନଜନିତ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ କମି ଆସୁଛି। ବିଶ୍ବବ୍ୟାପୀ ନିଃସୃତ ସମଗ୍ର ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ରୁ ୨୬ ପ୍ରତିଶତ ନିମନ୍ତେ ଦାୟୀ ବିଦ୍ୟୁତ୍‌ କ୍ଷେତ୍ର। କୋଭିଡ୍‌-୧୯ ମହାମାରୀ ପରଠାରୁ ପ୍ରଥମକରି ୨୦୨୫ରେ ବିଶ୍ବବ୍ୟାପୀ ଏହି ବାଷ୍ପ ନିର୍ଗମନ ୦.୧୩ ପ୍ରତିଶତ ନିମ୍ନଗାମୀ ହୋଇଛି। ସମଗ୍ର ବିଶ୍ବରେ ଭାରତ ଓ ଚୀନ୍‌ରେ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଏତାଦୃଶ ନିର୍ଗମନ ହ୍ରାସ ପରିମାଣ ଅଧିକ ହୋଇଥିବା ଜଣାପଡ଼ିଛି।

ପ୍ରାୟ ଏକ ଦଶନ୍ଧି ଧରି ବିଦ୍ୟୁତ୍‌ ଶକ୍ତି ସମ୍ବନ୍ଧୀୟ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ କ୍ଷେତ୍ରରେ ଭାରତ ଓ ଚୀନ୍‌ ଅଗ୍ରଣୀ ଥିଲେ। ୨୦୧୫ରୁ ୨୦୨୪ ମଧ୍ୟରେ ଚୀନ୍‌ରେ ବିଦ୍ୟୁତ୍‌ଶକ୍ତି କ୍ଷେତ୍ର ୫୩.୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଭାରତରେ ବୃଦ୍ଧି ପାଇଥିଲା ୩୪.୬ ପ୍ରତିଶତ। କିନ୍ତୁ, ୨୦୨୫ରେ ଅବସ୍ଥା ବଦଳିଗଲା। ଚୀନ୍‌ର ବିଦ୍ୟୁତ୍‌ଶକ୍ତି କ୍ଷେତ୍ରରେ ପ୍ରଥମକରି ନିର୍ଗମନ ୦.୪ ପ୍ରତିଶତ ହ୍ରାସ ପାଇଥିବା କଥା ‘କ୍ଲାଇମେଟ୍‌ ଟ୍ରେସ୍‌’  ତୁଳନାତ୍ମକ ପର୍ଯ୍ୟବେକ୍ଷଣ କରି ଦର୍ଶାଇଛି। ଏ କ୍ଷେତ୍ରରେ ଭାରତରେ ବି ସେମିତି ଘଟିଛି।

ବିଦ୍ୟୁତ୍‌ଶକ୍ତି କ୍ଷେତ୍ରରେ ପ୍ରଦୂଷଣ ହ୍ରାସ ପାଇଥିଲେ ବି ଭାରତରେ ମୋଟାମୋଟି ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୨୦୨୫ ଶେଷ ଆଡ଼କୁ ସାମାନ୍ୟ ବୃଦ୍ଧି ପାଇଥିଲା। ୨୦୨୪ ଡିସେମ୍ବର ମାସ ତୁଳନାରେ ୨୦୨୫ ଡିସେମ୍ବର ମାସରେ ଦେଶରେ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୪.୭୭ ନିୟୁତ ଟନ୍‌ ବୃଦ୍ଧି ପାଇଥିଲା। ସେହିପରି, ୨୦୨୫ରେ ମୋଟାମୋଟି ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି କ୍ଷେତ୍ରରେ ରେକର୍ଡ କରିଛି ରୁଷ୍‌। କିନ୍ତୁ, ବିଶ୍ବରେ ଦୁଇ ସର୍ବାଧିକ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନକାରୀ ଦେଶ ଭାବେ କୁଖ୍ୟାତ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍‌ରେ ଗତବର୍ଷ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ହାର କ୍ବଚିତ୍‌ ବୃଦ୍ଧିପାଇ ଯଥାପୂର୍ବଂ ତଥାପରଂ ଅବସ୍ଥାରେ ରହିଥିଲା। ବୈଶ୍ବିକ ସ୍ତରରେ ଦେଖିଲେ ଭାରତୀୟ ନଗରୀ ମହାରାଷ୍ଟ୍ରର ବୁଟୀବୋରୀ ଓ ହରିୟାଣାର ଯମୁନାନଗରରେ ସବୁଠୁ ଅଧିକ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପାଇଛି। ସେହିପରି, ତାମିଲନାଡୁର ମେଟ୍ଟୁର୍‌ରେ ସବୁଠୁ ଅଧିକ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ହ୍ରାସ ପାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗ୍ରିନ୍‌ହାଉସ୍‌ କହିଲେ ସବୁଜଗୃହ ନୁହେଁ। ବାସ୍ତବରେ ଏହା ହେଉଛି କେତେକ ଫସଲ ଚାଷ ନିମନ୍ତେ ନିର୍ମିତ କାଚଘର। ବୃହଦ୍‌କାୟ ଏ କାଚଘର ମଧ୍ୟ ଦେଇ ଖରା ତେଜ ବା ଉତ୍ତାପ ପ୍ରବେଶ କରିଯାଏ, କିନ୍ତୁ ଆଉ ବାହାରି ପାରେନାହିଁ। ଫଳତଃ, କାଚଘରେ ରୋପିତ ଗଛବୃଚ୍ଛ ଉଧାଇବା ପାଇଁ ଉପଯୁକ୍ତ ଉତ୍ତାପ ପାଇପାରନ୍ତି। ଏହି ଉତ୍ତାପ ଆବଦ୍ଧକାରୀ କାଚଘରକୁ ଗ୍ରିନ୍‌ହାଉସ୍‌ କୁହାଯାଏ। ବିଶେଷତଃ ଶିଳ୍ପ କ୍ଷେତ୍ରରୁ ନିଃସୃତ ଜଳୀୟବାଷ୍ପ, ମିଥେନ୍‌, ନାଇଟ୍ରସ୍‌ ଅକ୍ସାଇଡ୍‌ ଓ ଫ୍ଲୁରୋକାର୍ବନ୍‌ ଭଳି ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ବାୟୁମଣ୍ଡଳରେ ମିଶି ଠିକ୍‌ କାଚଘର ଆବଦ୍ଧ କଲାପରି ଉତ୍ତାପ ଆବଦ୍ଧକରି ରଖେ। ଫଳସ୍ବରୂପ ଭୂପୃଷ୍ଠରେ ତାପମାତ୍ରା ଅତିରିକ୍ତ ବୃଦ୍ଧିପାଏ।

ସୌଜନ୍ୟ ସମ୍ବାଦ

Exit mobile version