ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଯାଇଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ବିପୁଳ କ୍ଷତି ସହୁଥିଲେ ମଧ୍ୟ ଦେଶରେ ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଥିବାରୁ ସରକାର ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ପାରିନାହାନ୍ତି। ନିର୍ବାଚନ ଶେଷ ହୋଇଯାଇଥିବାରୁ ସରକାର ଯେ କୌଣସି ମୁହୂର୍ତ୍ତରେ ଏହାର ଦର ବଢ଼ାଇ ପାରନ୍ତି। ଆସନ୍ତା ୧୫ ତାରିଖ ପୂର୍ବରୁ ଦର ବଢ଼ାଇବା ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି। ତେଲ ଓ ଗ୍ୟାସ୍ ଦରର ସମ୍ଭାବ୍ୟ ବୃଦ୍ଧିକୁ ନେଇ କିଛିଦିନ ହେଲା ଦେଶବାସୀ ଆଶଙ୍କାରେ ରହିଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଏକ ଗମ୍ଭୀର ବାର୍ତ୍ତା ଦେଇଛନ୍ତି। ପେଟ୍ରୋଲ ବ୍ୟବହାର କମାଇବା ସହିତ ବର୍ଷକ ପାଇଁ ବିବାହ ନିମନ୍ତେ ସୁନା କ୍ରୟକୁ ସ୍ଥଗିତ ରଖିବା ଏବଂ ବିଦେଶ ଭ୍ରମଣକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ, କରୋନା ମହାମାରୀ ସମୟ ଭଳି ପୁଣି ଥରେ ୱାର୍କ ଫ୍ରମ୍ ହୋମ୍ ବା ଘରୁ କାମ କରିବା ପନ୍ଥାକୁ ଆପଣାଇବା ଲାଗି କହିଛନ୍ତି। ଲୋକମାନେ ଖାଇବା ତେଲ ବ୍ୟବହାର କମାଇବା ସହିତ ଚାଷୀମାନେ ଆମଦାନି ହେଉଥିବା ସାର ବ୍ୟବହାରକୁ କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହାଇଦ୍ରାବାଦଠାରେ ଆୟୋଜିତ ଏକ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି।
ପେଟ୍ରୋଲ୍ ବ୍ୟବହାର କମାଅ, ବର୍ଷେ ସୁନାକିଣା ବନ୍ଦ କର, ବିଦେଶ ଭ୍ରମଣରେ ଯାଅନାହିଁ
ଖାଇବା ତେଲ ଓ ସାର ବ୍ୟବହାର କମାଅ
ଘରୁ କାମ କରିବାକୁ ଅଗ୍ରାଧିକାର ଦିଅ
ଖାଇବା ତେଲ ଆମଦାନି ବାବଦରେ ଆମକୁ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି। ଯଦି ପରିବାରଗୁଡ଼ିକ ଖାଇବା ତେଲ ବ୍ୟବହାର କମାଇ ଦିଅନ୍ତି ତା’ହେଲେ ରାଷ୍ଟ୍ରଭକ୍ତି ପାଇଁ ଏହା ଏକ ବଡ଼ ଯୋଗଦାନ ହେବ। ଏହା ଦେଶର ରାଜକୋଷ ଏବଂ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବ। ବିଦେଶରୁ ଆମଦାନି ହେଉଥିବା ରାସାୟନିକ ସାର ବାବଦରେ ସରକାର ବିପୁଳ ରାଶି ବ୍ୟୟ କରୁଛନ୍ତି। ଚାଷୀମାନେ ରାସାୟନିକ ସାର ବ୍ୟବହାରକୁ ଅଧାଅଧି କମାଇବା ସହିତ ପ୍ରାକୃତିକ କୃଷିକୁ ଆପଣାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ଆମେ ବିଦେଶୀ ମୁଦ୍ରା ସଞ୍ଚୟ କରିବା ସହିତ ଚାଷ ଓ ପୃଥିବୀକୁ ସୁରକ୍ଷିତ ରଖିପାରିବା ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏଥିସହିତ ଅଶୋଧିତ ତେଲ ଦର ଉଚ୍ଚସ୍ତରରେ ରହିବା ସହ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟ ବଢ଼ିଯାଇଛି। ତେଣୁ ବର୍ତ୍ତମାନ ତେଲ ସଞ୍ଚୟ ଜାତୀୟ ଦାୟିତ୍ବ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମହାମାରୀ ସମୟରେ ଆମେ ଘରୁ କାମ କରିବା ବ୍ୟବସ୍ଥାକୁ ଆପଣାଇଥିଲେ। ଅନଲାଇନ୍ରେ ବୈଠକ ଓ ଭିଡିଓ କନ୍ଫରେନ୍ସି ଆଦି ହେଉଥିଲା। ସେସବୁ ବ୍ୟବସ୍ଥା ସହିତ ମଧ୍ୟ ଆମେ ନିଜକୁ ଖାପ ଖୁଆଇ ନେଇଥିଲେ। ବର୍ତ୍ତମାନ ସେସବୁ ଅଭ୍ୟାସକୁ ପୁଣିଥରେ ଆରମ୍ଭ କରିବାର ଆବଶ୍ୟକତା ରହିଛି। କାରଣ ଏହା ଦେଶର ଜାତୀୟ ସ୍ବାର୍ଥରେ ଆସିବ ଏବଂ ଆମେ ସେସବୁକୁ ପୁଣି ଥରେ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଦେଶୀ ମୁଦ୍ରା ସଞ୍ଚୟରେ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି।
ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ମଧ୍ୟରେ ବିଦେଶରେ ବିବାହ କରିବା, ବିଦେଶ ବୁଲିବା ଏବଂ ବିଦେଶରେ ଛୁଟି କଟାଇବା ଏକ ଧାରାରେ ପରିଣତ ହୋଇଯାଇଛି। ବର୍ତ୍ତମାନର ସଂକଟ ସମୟରେ ଆମେ ବିଦେଶ ଭ୍ରମଣକୁ ଅତିକମ୍ରେ ବର୍ଷେ ପାଇଁ ଘୁଞ୍ଚାଇ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ଭାରତରେ ନିର୍ମିତ ଉତ୍ପାଦ ବ୍ୟବହାର କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ବର ଯୋଗାଣ ଶୃଙ୍ଖଳ ଯେତେବେଳେ ସଂକଟରେ ରହିଛି ସେତେବେଳେ ଆମେ ଯେତେ ପଦକ୍ଷେପ ନେଲେ ମଧ୍ୟ ସମସ୍ୟାର ସଂପୂର୍ଣ୍ଣ ସମାଧାନ କରିପାରିବ ନାହିଁ। ତେଣୁ ଆମକୁ ଏକାଠି ସଂଗ୍ରାମ କରିବାକୁ ହେବ। ଦେଶ ପାଇଁ ଜୀବନ ଦେବା କେବଳ ଦେଶପ୍ରେମ ନୁହେଁ। ଦେଶ ପାଇଁ ବଞ୍ଚିବା ଏବଂ ଆମର ଦାୟିତ୍ବ ସଂପାଦନ କରିବା ମଧ୍ୟ ଦେଶପ୍ରେମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଯାଇଛି। ମଧ୍ୟପ୍ରାଚ୍ୟରୁ ଅଶୋଧିତ ତେଲ, ଗ୍ୟାସ୍ ଆଦି ଆସିବା ବାଧାପ୍ରାପ୍ତ ହୋଇଛି। ତେଲ ଦର ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ସିଧାସଳଖ କହିବା ପରିବର୍ତ୍ତେ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତୀୟ ଅର୍ଥନୀତିକୁ ସେତେଟା ପ୍ରଭାବିତ କରିନାହିଁ ବୋଲି ଯେଉଁ ଧାରଣା ସାଧାରଣରେ ଥିଲା ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଆଜି ତାହାକୁ ବଦଳାଇ ଦେଇଛି। ଭାରତୀୟ ଅର୍ଥନୀତି ମଧ୍ୟ ଗୁରୁତର ସଂକଟରେ ରହିଥିବା ଏଥିରୁ ବୁଝାପଡ଼ୁଛି।
ସୌଜନ୍ୟ ସମ୍ବାଦ