ସୁବ୍ରତ କୁମାର ସାମଲ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପାଖାପାଖି ୪୦ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ସ୍କୁଲ୍, କ୍ଲବ୍ ଅଥବା ଅଙ୍ଗନାବାଡ଼ି କର୍ମୀଙ୍କ ଘରେ ପିଲାଙ୍କ ପାଠପଢ଼ା ଚାଲିଛି। କେଉଁଠି ଗାଁ କନ୍ଦଳ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ବାଟରେ କଣ୍ଟା ସାଜିଛି ତ’ ଆଉ କେଉଁଠି ପ୍ରଶାସନିକ ଅବହେଳାରୁ କାମ ଅଧାରେ ଅଟକିଛି। ଅନେକଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଅନୁଦାନ ଥାଇ ବି ଜାଗା ଅଭାବରୁ କାମ ଆରମ୍ଭ ହୋଇପାରୁନାହିଁ। ତଥ୍ୟ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧୪୭ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେଥିରେ ୮୪ହଜାର ୮୫୫ପିଲା ପାଠ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ୪୫ହଜାର ୮୨୬ ପିଲା ଛଅମାସରୁ ତିନିବର୍ଷ ଭିତରେ ଥିଲା ବେଳେ ୩୯ହଜାର ୨୯ଜଣ ତିନିବର୍ଷରୁ ଛଅବର୍ଷ ଯାଏଁ ଅଛନ୍ତି। ଉଦ୍ବେଗର ବିଷୟ ହେଉଛି, ୨୧୪୭ ଅଙ୍ଗନବାଡ଼ି କେନ୍ଦ୍ରରୁ ୮୨୮ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। କେଉଁଠି ସ୍କୁଲ ବାରଣ୍ଡାରେ କେନ୍ଦ୍ର ଚାଲିଛି ତ’ ଆଉ କେଉଁଠି କ୍ଲବ୍ ଘରେ। ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଉଦାହରଣ ଭାବେ ବହୁଚର୍ଚ୍ଚିତ ରାଜନଗର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଆଯାଇପାରେ। ନିକଟରେ ଏହି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇଥିଲେ। ଏହାକୁ ବିରୋଧ କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ନ ଛାଡ଼ିବାରୁ ୮୧ଦିନ କାଳ ପାଠପଢ଼ା ବନ୍ଦ ରହିଥିଲା। ଏହି ଘଟଣା ସାରା ଦେଶରେ ତମ୍ବିତୋଫାନ୍ ସୃଷ୍ଟି କରିଥିଲା। ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିଥିଲା।
ସ୍କୁଲ ବାରଣ୍ଡା, କର୍ମୀଙ୍କ ଘରେ ଚାଲୁଛି କେନ୍ଦ୍ର
ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଏହି କେନ୍ଦ୍ରର ବି ନିଜସ୍ବ ଘର ନାହିଁ। ବର୍ତ୍ତମାନ ନୂଆଗାଁ ପ୍ରାଥମିକ ଶିକ୍ଷାକେନ୍ଦ୍ରରେ କେନ୍ଦ୍ର ଚାଲିଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ବହୁବର୍ଷ ଧରି ପିଲାମାନେ ପାଠ ପଢ଼ୁଥିଲେ। ଅନେକ ସ୍ଥାନରେ ଅଧପନ୍ତରିଆ ଅବସ୍ଥାରେ ବହୁ ଅଙ୍ଗନବାଡ଼ି ଘର ପଡ଼ିରହିଛି। କିଛି ଘର ମୂଳଦୁଆରେ ଅଟକିଛି। ଅନେକ ଘରର ଛାତ ପଡ଼ିଥିଲେ ବି ବିଜୁଳି ସଂଯୋଗ ଆଦି ମୌଳିକ ସୁବିଧା ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। କିଛି କେନ୍ଦ୍ରର ନିର୍ମାଣ ଶେଷ ହୋଇଥିଲେ ହେଁ ବିଭାଗକୁ ଏଯାବତ୍ ହସ୍ତାନ୍ତର ହୋଇନାହିଁ। ରାଜନଗରରୁ ରାଜକନିକା, ମାର୍ଶାଘାଇରୁ ମହାକାଳପଡ଼ା ଯାଏଁ ଜିଲ୍ଲାର ୯ଟି ବ୍ଲକ୍ରେ ଏପରି ସ୍ଥିତି ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ଜରିଆରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଅଣାଯାଇଥିବା ଦାବି କରୁଥିଲା ବେଳେ ଅନ୍ୟପଟେ ପ୍ରାଥମିକ ଶିକ୍ଷାର ଅନ୍ତୁଡ଼ିଶାଳ କୁହାଯାଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଘର ନ ଥିବାରୁ କୋମଳମତି ଶିଶୁମାନେ ସ୍କୁଲ୍ ବାରଣ୍ଡା, ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଛନ୍ତି।
ସୌଜନ୍ୟ ସମ୍ବାଦ
