ଚନ୍ଦାହାଣ୍ଡି: ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ନିଜର ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ କିଛି ଲୋକ ଲୋଧୁଆପଡ଼ା ଗ୍ରାମ ନିକଟରେ ଅଟକେଇ ଥିଲେ। ସେମାନଙ୍କୁ ୪୪ ଡିଗ୍ରୀ ଖରାରେ ଆଣ୍ଠେଇ ଚଳେଇବା ସହ ସେମାନଙ୍କୁ ମାଡ଼ ମାରିଥିଲେ। ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚନ୍ଦାହାଣ୍ଡି ବ୍ଲକର ଅନୁସୂଚିତ ଜାତି ଜନଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ବ୍ୟକ୍ତି ଆଜି ସକାଳୁ ଚନ୍ଦାହାଣ୍ଡି ଥାନା ଘେରାଉ କରିଛନ୍ତି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଥାନା ସମ୍ମୁଖରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ପୁଲିସ ଜଣେ ଅଭିଯୁକ୍ତ ଶ୍ରୀମନ୍ତ ରଥଙ୍କୁ ଅଟକ ରଖିଥିବା ସହ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରିଛି।
ବିବରଣୀରୁ ପ୍ରକାଶ ଯେ ଗତ ୨୧ ତାରିଖ ଗୁରୁବାର ଦିନ ରାଇଘର ଭାର ସୋଣ୍ଡି ଅଞ୍ଚଳର କିଛି ବଙ୍ଗୀୟ, ଆଦିବାସୀ, ଗୌଡ଼ ସମ୍ପ୍ରଦାୟର ଚାଷୀମାନେ ନିଜ ବଳଦଗୁଡ଼ିକୁ ଚନ୍ଦାହାଣ୍ଡି ବ୍ଲକ୍ ର ଡହିମାଲ ଗ୍ରାମରେ ଚରେଇବାକୁ ଦେଇଥିଲେ। ତେବେ ଚାଷ ଋତୁ ପାଖେଇ ଆସିଥିବାରୁ ନିଜ ଗାଁକୁ ବଳଦ ସବୁ ନେଇ କି ଯାଉଥିଲେ। ସେମାନେ ପୀଡ଼ିତ ଚାଷୀମାନଙ୍କୁ ବଳଦ ସହ ଅଟକାଇଥିଲେ ଓ ନିର୍ଦ୍ଧୁମ ମାଡ଼ ମାରିବା ସହ ପ୍ରଚଣ୍ଡ ଖରାରେ ଆଣ୍ଠେଇ ଆଣ୍ଠେଇ ଚଲାଇ ଚଲାଇ ନେଇଥିଲେ ଓ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ଏହାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡିଥିଲେ।
ଚନ୍ଦାହାଣ୍ଡି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା
ଏହି ସବୁ ଭିଡିଓ ଭାଇରାଲହବୋ ପରେ ଚନ୍ଦାହାଣ୍ଡି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିବା ବେଳେ ଆଜି ଚନ୍ଦାହାଣ୍ଡି ବ୍ଲକ୍ ଏସ ସି ,ଏସ ଟି ଓବିସି ଓ ସଂଖ୍ୟାଲଘୁ ମହାସଂଘ ତରଫରୁ ଚନ୍ଦାହାଣ୍ଡି ଥାନା ଘେରାଉ କରା ଯାଇଛି।ସଂମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ଥାନା ସାମନାରେ ଧାରଣା ଦେବେ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ

