Odia Cinema: ମାଉସୀ ପ୍ରେମରେ ସିନେପ୍ରେମୀ…ଅନ୍ୟ ଭାଷାରେ ସିନେମା ଆସିଲେ ଓଡ଼ିଆ ସିନେମାକୁ ହଟାଅ, ଭଲ ହେଲେ ବି ଫ୍ଲପ୍ ଥୟ

ଭୁବନେଶ୍ୱର,୩୦/୦୯;(ମନୋରଞ୍ଜନ ମହାନ୍ତି) ସିନେମାକୁ ‘ମା’ ଭାବୁଥିବା ଲୋକେ ଆଜି ମା’କୁ ହତାଦର କରି ମାଉସୀକୁ ବେଶି ଆଦର କରୁଛନ୍ତି । ଆମ ପାଇଁ ଓଡ଼ିଆ ସିନେମା ଯଦି ମା’ ହୁଏ ଅନ୍ୟ ଭାଷାଭାଷୀ ସିନେମା ମାଉସୀ । ତେବେ ମାଉସୀ ସ୍ୱରୂପ ବଡ଼ ସିନେମା ହଲ୍କୁ ଆସିଲେ ମା’ ଅର୍ଥାତ୍ ଓଡ଼ିଆ ସିନେମାର ସ୍ଥାନ ନାହିଁ ।
ଆଜି ଓଡ଼ିଆ ସିନେମା ଯେତେବେଳେ ପିକ୍ରେ ଏବଂ ପ୍ରତି ସୋ’ ହାଉସ୍ଫୁଲ୍ ଯାଉଛି, ସେତିକିବେଳେ ତା’ର ସୋ’ କମାଯାଉଛି, କଟାଯାଉଛି ଏବଂ ହଲ୍ରୁ ଉଠାଯାଉଛି । ମଲ୍ଟିପ୍ଲେକ୍ସରେ ପ୍ରାଇମ୍ ଟାଇମ୍ ସୋ’ ଦିଆଯାଉନି । ଏମିତି ଚାପ ସୃଷ୍ଟି କରାଯାଉଛି, ଯେଉଁଥିରେ ଜଣେ ପ୍ରଯୋଜକ ରିଲିଜ୍ ତାରିଖ ବି ପାଉନି । ଘୁଞ୍ଚାଉଛି, ନଚେତ୍ ଓହରି ଯାଉଛି । ସାଲିସ୍ କଲେ ସୁଯୋଗ ମିଳୁଛି, ନହେଲେ ନାହିଁ । ବହୁ କଷ୍ଟରେ ଗୋଟିଏ କି ଦୁଇଟି ହଲ୍ ମିଳୁଛି । ମଲ୍ଟିପ୍ଲେକ୍ସରେ ଗୋଟିଏ ଗୋଟିଏ ସୋ’ । ସିଙ୍ଗିଲ୍ ସ୍କ୍ରିନ୍ ଆଦୌ ମିଳୁନି । କେହି ପ୍ରଚାର କରିବେନି କି ଦେଖିବାକୁ ଯିବେନି । ଯେତେ ଭଲ ସିନେମା କର ଫ୍ଲପ୍ ଥୟ । ଗୋଟିଏ ସିନେମା ପରେ ପ୍ରଯୋଜକ ଦେବାଳିଆ । ନାୟକ ସିନେମା ଖୋଜି ବୁଲିବେ ବାକି ନିର୍ଦ୍ଦେଶକଙ୍କ କଥା ନକହିବା ଭଲ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରି ସମାନ ଅବସ୍ଥା ଓଡ଼ିଆ ସିନେମାର । ଏଠି ଓଡ଼ିଆ ଭାଷା, ସାହିତ୍ୟ ଚୁଲିକୁ ଗଲାଣି କିନ୍ତୁ ଆମେ ଇଂରାଜୀ ମୋହ ଛାଡ଼ି ସମ୍ପୂର୍ଣ୍ଣ ଓଡ଼ିଆରେ କାମ ଆରମ୍ଭ କରିପାରିଲୁନି । କେବଳ ଚିଠି ଲେଖି ରହିଗଲୁ । ଆମର ଲଉଡ଼ି ଖେଳ ଲୁପ୍ତପ୍ରାୟ କିନ୍ତୁ ଆମେ ଦାଣ୍ଡିଆ ପ୍ରେମରେ । ଯାହା ଦେଖିଲୁ ଆପଣାଇଲୁ । ତାହା ଭଲ କିନ୍ତୁ ଅଧିକଟା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଯାହା ଓଡ଼ିଆ ସିନେମା କ୍ଷେତ୍ରରେ ଘଟୁଛି ।
ପୂର୍ବରୁ ଓଡ଼ିଆ ସିନେମା ସେମିତି ଅନୁକରଣ କରି ହନୁକରଣ ହେବା ପରେ ଏବେ ବାଟକୁ ଆସିଛି । ଯେତେବେଳେ ସିନେମା ତା’ର ଟ୍ରାକ୍ ବଦଳାଇଲା ସେତେବେଳେ ଆମେ କିନ୍ତୁ ଅନ୍ୟ ଭାଷାଭାଷୀ ସିନେମା ଆସିଲେ ଯେତିକି ପ୍ରେମ ସେମାନଙ୍କ ପ୍ରତି ଦେଖାଉଛୁ, ସେତିକି ଓଡ଼ିଆ ପ୍ରତି ରହୁନି । ନା ଦର୍ଶକ ନା ସରକାର କେହି ସଚେତନ ନୁହନ୍ତି । ଏଇ ଦେଖନ୍ତୁ, ଏବେ ତ ‘ଦଣ୍ଡକାଳୀ’, ‘ଦାହାନ୍’, ‘ଯଦି’, ‘ମାଳିପୁଟ୍ ମେଲୋଡିଜ୍’ ଭଳି ସବୁ ଓଡ଼ିଆ ସିନେମା ରେକର୍ଡ ବ୍ରେକ୍ କରି ହାଉସ୍ଫୁଲ୍ ଚାଲିଛି । କିନ୍ତୁ ସମସ୍ତଙ୍କୁ କେତେ ହଲ୍ରେ କେତେ ସୋ’ ମିଳିଛି ? ତା’ର ତର୍ଜମା ହେଉ । ତେଲୁଗୁ ଷ୍ଟାର୍ ନାନୀଙ୍କ ‘ଦ ପାରାଡାଇଜ୍’ ଆସିଲା ବୋଲି ଭଲ ଚାଲିଥିବା ଓଡ଼ିଆ ସିନେମା କାହିଁକି ହଟିବ ? କିଛି ମଲ୍ଟିପ୍ଲେକ୍ସ ପ୍ରଥମେ ସୋ’ କାଟିଲେ । ପରେ ପ୍ରାଇମ୍ ଟାଇମ୍ ସୋ’ ଦେଲେନି । ଯେଉଁଥିପାଇଁ ୨-୩ଟି ଓଡ଼ିଆ ସିନେମା ସେହି ମଲ୍ଟିପ୍ଲେକ୍ସକୁ ଛାଡ଼ିବାକୁ ବାଧ୍ୟ ହେଲେ ।
ସୌଜନ୍ୟ ପ୍ରମେୟ




