Assam- Kerala Assembly election ଆସାମ ଓ କେରଳରେ ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି

ବିଜେପି ମଙ୍ଗଳବାର ଆସାମ ଏବଂ କେରଳରେ ଏହାର ନିର୍ବାଚନୀ ଇସ୍ତାହାର ଜାରି କରିଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆସାମ ପାଇଁ ବିଜେପିର ଇସ୍ତାହାର ଜାରି କରି ୩୧ ପ୍ରମୁଖ ପ୍ରତିଶ୍ରୁତି ଦେଇଛନ୍ତି

ଆସାମରେ ୫ ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରତିଶ୍ରୁତି
ନୂଆଦିଲ୍ଲୀ: ବିଜେପି ମଙ୍ଗଳବାର ଆସାମ ଏବଂ କେରଳରେ ଏହାର ନିର୍ବାଚନୀ ଇସ୍ତାହାର ଜାରି କରିଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆସାମ ପାଇଁ ବିଜେପିର ଇସ୍ତାହାର ଜାରି କରି ୩୧ ପ୍ରମୁଖ ପ୍ରତିଶ୍ରୁତି ଦେଇଛନ୍ତି ଯେଉଁଥିରେ ଆସାମର ଆଦିମ ଅଧିବାସୀଙ୍କ ଅଧିକାରକୁ ସୁରକ୍ଷା ଦେବା, ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ଉପରେ ଫୋକସ୍‌ କରାଯାଇଛି। ଗୌହାଟୀରେ ବିଜେପିର ଇସ୍ତାହାର ଜାରି କରି ସୀତାରମଣ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ବିଜେପି ଯେଉଁ ପ୍ରଗତି ହାସଲ କରିଛି ତାହା କଂଗ୍ରେସ ଦଶନ୍ଧି ଦଶନ୍ଧିର ଶାସନରେ ବି ଦେଇପାରିନି।

ଦଳର ସଙ୍କଳ୍ପ ପତ୍ରରେ ଆସାମର ଆଦିମ ଅଧିବାସୀଙ୍କ ଜମି, ଐତିହ୍ୟ ଏବଂ ସମ୍ମାନ ସୁରକ୍ଷା ଦେବା ଉପରେ ଗୁରୁତ୍ବାରୋପ କରାଯାଇଛି। ଏଥିସହ ପୂର୍ବଭାରତରେ ଆସାମକୁ ଅର୍ଥନୈତିକ ଦ୍ବାରରେ ପରିଣତ କରିବାପାଇଁ ୫ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରସ୍ତାବ ରହିଛି। ଇସ୍ତାହାରର ଏକ ମୁଖ୍ୟ ବିଷୟବସ୍ତୁ ହେଉଛି ଇମିଗ୍ରାଣ୍ଟ୍‌ସ( ଏକ୍ସପଲସନ୍‌ ଫ୍ରମ ଆସାମ ଆକ୍ଟ, ୧୯୫୦) କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି। ରାଜ୍ୟରୁ ବେଆଇନ ଆପ୍ରବାସୀଙ୍କୁ ଚିହ୍ନଟ କରି ପ୍ରତ୍ୟର୍ପଣ କରିବା ଏହାର ମୂଳ ଲକ୍ଷ୍ୟ। ବିଜେପି ମଧ୍ୟ ଜବରଦଖଲ ଜମି ଛଡ଼ାଇ ଏହାକୁ ମିସନ୍‌ ବସୁନ୍ଧରା ଯୋଜନା ଅଧୀନରେ ଗରିବ ନାଗରିକଙ୍କ ମଧ୍ୟରେ ବାଣ୍ଟିବାପାଇଁ ପ୍ରତିଜ୍ଞା କରିଛି। ଦଳ ମଧ୍ୟ ୟୁସିସି ଆଣିବାପାଇଁ ଏକ ପ୍ରସ୍ତାବ ରଖିଛି। ଅନ୍ୟପକ୍ଷେ ବିଜେପି ଆଜି କେରଳରେ ମଧ୍ୟ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ ମଧ୍ୟ ମୁଖ୍ୟତଃ ରାଜ୍ୟର ବିକାଶ, ଆର୍ଥିକ ବିକାଶ ଏବଂ ମହିଳା ଓ ଗରିବ ପରିବାର ପାଇଁ କଲ୍ୟାଣକାରୀ ପଦକ୍ଷେପ ଉପରେ ଫୋକସ୍‌ କରାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version