ନୂଆଦିଲ୍ଲୀ/କୋଲକାତା: ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ପାଇଁ ନିଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ହିଂସାକୁ ନେଇ ଗୁରୁବାର ସୁପ୍ରିମ୍କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ସମ୍ପୂର୍ଣ୍ଣ ବିଫଳତାକୁ ପ୍ରକାଶ କରୁଛି ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଚିଠିରେ ଦର୍ଶାଯାଇଛି ଯେ ମାଲଦାର ନ୍ୟାୟିକ ଅଧିକାରୀମାନେ ବୁଧବାର ହିଂସାର ଶିକାର ହୋଇଥିଲେ ଏବଂ ରାତି ୮ଟା ୩୦ ପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀଙ୍କଠାରୁ କୌଣସି ସହାୟତା ପାଇ ନ ଥିଲେ। ନିର୍ବାଚନ ଆୟୋଗ ସମସ୍ତ ଅଧିକାରୀଙ୍କୁ ବଦଳାଇଥିବାରୁ ସବୁ ଦୋଷ ଆୟୋଗ ଉପରେ ଲଦିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବାବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ପ୍ରଶ୍ନ କରିଛନ୍ତି, ରାଜନୈତିକ ନେତାମାନେ କ’ଣ କରୁଥିଲେ? ଘଟଣାସ୍ଥଳକୁ ଯାଇ କ’ଣ ଘଟୁଛି ଦେଖିବା କ’ଣ ସେମାନଙ୍କର କର୍ତ୍ତବ୍ୟ ନ ଥିଲା? କେହି ଆଇନ ଶୃଙ୍ଖଳା ହାତକୁ ନେବାକୁ ଚେଷ୍ଟା କରୁଛି କି ନାହିଁ ଜାଣିବା ଓ ପ୍ରତିକାର କରିବା କ’ଣ ସେମାନଙ୍କର ଉଚିତ ନ ଥିଲା?
ପ୍ରଧାନ ବିଚାରପତି ରାଜ୍ୟ ଆଡ୍ଭୋକେଟ୍ ଜେନେରାଲ କିଶୋର ଦତ୍ତଙ୍କୁ ମଧ୍ୟ କହିଛନ୍ତି,ଦୁର୍ଭାଗ୍ୟବଶତଃ ଆପଣମାନେ ସମସ୍ତେ ରାଜନୈତିକ ଭାଷା କୁହନ୍ତି। ଆମେ ଏପରି ଧ୍ରୁବୀକରଣ ଅବସ୍ଥା କେବେ ଦେଖିନାହୁଁ। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ ମଧ୍ୟ ରାଜନୀତି ପ୍ରତିଫଳିତ ହେଉଛି। ଆପଣ ଭାବୁଛନ୍ତି କି ଆକ୍ରମଣକାରୀମାନେ କିଏ ତାହା ଆମେ ଜାଣିନାହୁଁ? ଅନ୍ତତଃପକ୍ଷେ ରାତି ୨ଟା ପର୍ଯ୍ୟନ୍ତ ମୁଁ ସବୁକିଛି ଉପରେ ନଜର ରଖିଥିଲି।
ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ବିପୁଲ୍ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହା କେବଳ ନ୍ୟାୟିକ ଅଧିକାରୀଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ପାଇଁ ଏକ ଲଜ୍ଜାଜନକ ପ୍ରୟାସ ନୁହେଁ, ବରଂ ଏହା କୋର୍ଟଙ୍କୁ ଚ୍ୟାଲେଞ୍ଜ କରିବା ସହ ସମାନ। ଏହା ନ୍ୟାୟିକ ଅଧିକାରୀଙ୍କ ମନୋବଳ ହ୍ରାସ କରିବ ଏବଂ ଆପତ୍ତିର ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଏକ ସୁଚିନ୍ତିତ ପଦକ୍ଷେପ। ଆମେ କାହାକୁ ହସ୍ତକ୍ଷେପ କରିବାକୁ ଏବଂ ଆଇନକୁ ହାତକୁ ନେବା ପାଇଁ ଦେବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। କୋର୍ଟ କହିଛନ୍ତି ଯେ ଯାହା ଘଟିଲା ତାହା ନିଃସନ୍ଦେହରେ ଆପରାଧିକ ଅଦାଲତ ଅବମାନନା। ଏହା ବ୍ୟତୀତ ଏହା ପଶ୍ଚିମବଙ୍ଗ ରାଜ୍ୟର ସରକାର ଓ ପୁଲିସ ପ୍ରଶାସନର ସମ୍ପୂର୍ଣ୍ଣ ବିଫଳତାକୁ ମଧ୍ୟ ପ୍ରକାଶ କରୁଛି। ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ମାଲଦା ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ ଯେଉଁଭଳି ଆଚରଣ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ସେମାନେ ଏହି କୋର୍ଟକୁ ଏକ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ଯେ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେବାରେ ସେମାନେ କାହିଁକି ବିଫଳ ହୋଇଥିଲେ। କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଚିଠି ପରିପ୍ରେକ୍ଷୀରେ ସେମାନଙ୍କ ବିରୋଧରେ କାହିଁକି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ସେମାନେ ଦର୍ଶାଇବା ଉଚିତ। ଏପ୍ରିଲ ୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ମୁଖ୍ୟ ସଚିବ, ଡିଜିପି, ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସ୍ଏସ୍ପି ଆଭାସୀ ମାଧ୍ୟମରେ କୋର୍ଟରେ ହାଜର ହୋଇ ଉକ୍ତ କାରଣ ଦର୍ଶାଇବାକୁ ଖଣ୍ଡପୀଠ କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସିବିଆଇ କିମ୍ବା ଏନ୍ଆଇଏ ଭଳି ଏକ ସ୍ୱାଧୀନ ଏଜେନ୍ସିକୁ ଦାୟିତ୍ବ ଦେବାକୁ କୋର୍ଟ ଇସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ କହୁଛନ୍ତି ବଙ୍ଗଳା ସରକାର
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ୱାମୀ ନିର୍ବାଚନ ଆୟୋଗ ଉପରେ ସବୁ ଦୋଷ ଲଦି କହିଥିଲେ ଯେ ଆୟୋଗ ଅଧିକାରୀମାନଙ୍କୁ ବଦଳି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ବଦଳି କରାଯାଇଛି ଏବଂ ସ୍ଥାନୀୟ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ତେଣୁ ସେମାନେ ଏହାର ଦାୟିତ୍ବ ନେବା ଉଚିତ। ନିର୍ବାଚନ ଆୟୋଗର ବରିଷ୍ଠ ଓକିଲ ଡିଏସ୍ ନାଇଡୁ ଦର୍ଶାଇଛନ୍ତି ଯେ ବଦଳିକୁ ଚ୍ୟାଲେଞ୍ଜ କରି ନିକଟରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା, କିନ୍ତୁ ଏହାକୁ ଖାରଜ କରିଦିଆଯାଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜାଣିଛନ୍ତି ଯେ ପୂର୍ବରୁ ଜଣେ ନ୍ୟାୟିକ ଅଧିକାରୀଙ୍କୁ ଧମକ ଦିଆଯାଉଥିଲା, ବର୍ତ୍ତମାନ ଶାରୀରିକ ଆକ୍ରମଣ ମଧ୍ୟ ହୋଇଛି। ଜଷ୍ଟିସ୍ ବାଗଚୀ କହିଛନ୍ତି, ନିର୍ବାଚନ ଆୟୋଗର କ୍ଷମତା ପ୍ରୟୋଗ ବିଷୟରେ ଆମେ ସମ୍ପୂର୍ଣ୍ଣ ସଚେତନ ଏବଂ ଆମେ ଏହା ଉପରେ ଆଦୌ ମନ୍ତବ୍ୟ ଦେଉନାହୁଁ। ଆମେ ଯାହା ଉପରେ ମନ୍ତବ୍ୟ ଦେଉଛୁ ତାହା ହେଉଛି ଆଇନଶୃଙ୍ଖଳା ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷମାନେ ଅଧିକ ସତର୍କ ରହିବା ଆବଶ୍ୟକ ଥିଲା।
ସୌଜନ୍ୟ ସମ୍ବାଦ
