Bahuda Yatra: ବାହୁଡ଼ାଯାତ୍ରା ପ୍ରସ୍ତୁତି ସମୀକ୍ଷା ବେଳେ ଭିଡ଼ ପରିଚାଳନାକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ‘ଆଇନଶୃଙ୍ଖଳା, ସୁରକ୍ଷା ସହ ସାଲିସ ନାହିଁ’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ ମଧ୍ୟ କରିଛନ୍ତି। ବୈଠକରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ରଥଯାତ୍ରାଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପ୍ରାୟତଃ ଠିକ୍ ଭାବରେ ପରିଚାଳିତ ହୋଇଛି। ଲଗାଣ ବର୍ଷା, ପ୍ରତିକୂଳ ପାଗ, ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଅଧିକାରୀ ଓ କର୍ମଚାରୀ ତଥା ଭକ୍ତମାନଙ୍କ ସେବା ଓ ସମର୍ପଣ କୌଣସି ମାତ୍ରାରେ ପ୍ରଭାବିତ ହୋଇ ନାହିଁ। ସେବାୟତମାନଙ୍କ ନିଷ୍ଠା ଓ ସମର୍ପଣ ମନୋଭାବର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଦଳଗତ ମନୋଭାବ ନେଇ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ପୁରୀ ସହରରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସଜାଗ ରହି ସମସ୍ତ ବ୍ୟବସ୍ଥାର ନିୟମିତ ପରିଚାଳନା ଓ ତଦାରଖ କରୁଛନ୍ତି। ପହଣ୍ଡି, ରଥଟଣା, ଦକ୍ଷିଣ ମୋଡ଼, ଆଡ଼ପ ମଣ୍ଡପ ଦର୍ଶନ ଆଦି ପ୍ରତ୍ୟେକ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି।
ବୈଠକରେ ଭିଡ଼ ପରିଚାଳନା ଓ ନିରନ୍ତର ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭିଡ଼ରେ ଜନଗହଳିକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସିସିଟିଭିରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ବ୍ୟବସ୍ଥା ଜରିଆରେ ସମସ୍ୟା ଥିବା ସ୍ଥାନକୁ ତୁରନ୍ତ ପ୍ରଦାନ କରାଗଲେ ସମସ୍ୟାର ସମାଧାନ ହୋଇପାରିବ। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ତେଣୁ ସମସ୍ତ ନୀତିକାନ୍ତି ଯେପରି ସୁଚାରୁରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।
ସୌଜନ୍ୟ ସମ୍ବାଦ




