Balianta brutality: ବାଲିଅନ୍ତା ବର୍ବରତା: କ୍ରାଇମବ୍ରାଞ୍ଚ ହାତରେ ୧୬ ଅଭିଯୁକ୍ତଙ୍କ ତାଲିକା, ୮ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା

କଟକ: ବାଲିଅନ୍ତାରେ ଘଟିଥିବା ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ୧୬ ଜଣ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇଛି। ଆହୁରି ୪ଜଣ ଫେରାର ଅଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓ ଆଧାରରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।  ଏମାନଙ୍କ ସଂଖ୍ୟା ବଢ଼ିପାରେ। ଏପଟେ ସୋମବାର କ୍ରାଇମବ୍ରାଞ୍ଚ ୮ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଛି। କେଉଁ ପରିସ୍ଥିତିରେ ଭିଡ଼ ହିଂସା ସ୍ଥିତି ସୃଷ୍ଟି ହେଲା ସେ ନେଇ ତଥ୍ୟ ହାସଲ କରିଛି।

ସୂଚନା ଅନୁଯାୟୀ, କନେଷ୍ଟବଳ ସୌମ୍ୟରଂଜନଙ୍କୁ ହତ୍ୟା ଘଟଣାରେ ପ୍ରଥମେ ୫ ଜଣ ଏବଂ ପରେ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏହି ଅଭିଯୁକ୍ତମାନେ ବାଲିଅନ୍ତା ଥାନା ଅଞ୍ଚଳର ଥିଲେ। ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ୧୦ ତାରିଖ ସକାଳୁ କ୍ରାଇମବ୍ରାଞ୍ଚ ଏସ୍‌ପି ଅନିରୁଦ୍ଧ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ଉଭୟ ପୀଡ଼ିତା ଦେଇଥିବା ଅଭିଯୋଗ ପତ୍ର ଏବଂ ଭିଡ଼ ହିଂସାକୁ ନେଇ ହୋଇଥିବା ଦୁଇଟି ମାମଲାକୁ ଗ୍ରହଣ କରିଛି। ସୋମବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ କମିସନରେଟ୍ ପୁଲିସ ଯାହା ତଦନ୍ତ କରିଛି; କ୍ରାଇମବ୍ରାଞ୍ଚ ତାହାର ରେକର୍ଡ ସଂଗ୍ରହ କରିଛି। ସାକ୍ଷୀଙ୍କ ବୟାନ ସଂଗ୍ରହ କରାଯାଇଛି। ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚକୁ ଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରି ରିପୋର୍ଟ ସଂଗ୍ରହ କରାଯାଉଛି। ଭାଇରାଲ୍ ହେଉଥିବା ଭିଡିଓ ସଂଗ୍ରହ କରାଯାଉଛି।

୮ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା
୯୦ ଦିନରେ ସରିବ ତଦନ୍ତ: କ୍ରାଇମ୍‌ବ୍ରାଞ୍ଚ ଡିଜି

ଯେଉଁମାନେ ସେଠି ଥିଲେ ସମସ୍ତେ ହିଂସା ଘଟାଇଥିଲେ ‌ବୋଲି କହିବା ଠିକ୍‌ ହେବ ନାହିଁ। କିଛି ପ୍ରତ୍ୟକ୍ଷଦର୍ଶୀ ଥିଲେ। କିଛି ଲୋକ ଉଦ୍ଧାର କରିବାକୁ ଉଦ୍ୟମ କରିଥିବେ। ସମସ୍ତଙ୍କ ବୟାନ ନେଲା ପରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ସମନ ଦିଆଯିବ। ହିଂସା ଘଟାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ଭିଡ଼ ହିଂସା ଦଫା ଲାଗିନାହିଁ। ଭିଡ଼ ହିଂସା ଧାରାରେ ଯେଉଁ ସଜା ରହିଛି, ହତ୍ୟା ଧାରାରେ ବି ସମାନ ସଜା ରହିଛି। ଭିଡ଼ ହିଂସା ଧାରା ଲାଗିବା ପାଇଁ କିଛି ନିୟମ ରହିଛି। ବିଏନ୍‌ଏସ୍‌ଏସ୍‌ର ଧାରା ୧୦୩(୨) କହୁଛି ଯଦି ୫୦୦ରୁ ଅଧିକ ଲୋକ କାହାକୁ ହତ୍ୟା କରିଥିବେ, ଯାହା ଜାତି, ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା ଇତ୍ୟାଦି ଆଧାରରେ ହୋଇଥିବ, ସେ କ୍ଷେତ୍ରରେ ଭିଡ଼ ହିଂସା ଧାରା ଲାଗିବ। ଅଭିଯୋଗରେ ଏସବୁ ଆସିନାହିଁ। ସାକ୍ଷୀଙ୍କ ବୟାନ ସଂଗ୍ରହ କରିବା ସମୟରେ ଯଦି ସେଭଳି କିଛି ଆସେ; ପରବର୍ତ୍ତୀ ପର୍ଯ୍ୟାୟରେ ଭିଡ଼ ହିଂସା ଧାରା ଲାଗିବ। ପୁଲିସ ଅଫିସରଙ୍କ ଡ୍ୟୁଟିରେ ଅବହେଳା ଥିବା ସାମନାକୁ ଆସିଲେ, ତା’ର ରିପୋର୍ଟ ପୁଲିସ ଡିଜିଙ୍କୁ ପଠାଯିବ। ଏହି ଘଟଣାର ତଦନ୍ତ ୯୦ ଦିନ ମଧ୍ୟରେ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ