ଦେଶ ବିଦେଶ

BJP: ମଧ୍ୟପ୍ରଦେଶରେ ୩ ରାଜ୍ୟସଭା ଆସନରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ବିଜେପି ମଧ୍ୟପ୍ରଦେଶରେ ସମସ୍ତ ୩ ରାଜ୍ୟସଭା ଆସନ ପୋଛି ନେଇଛି। ନିର୍ବାଚନ ଅଧିକାରୀ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବା ଘଟଣାକୁ କଂଗ୍ରେସ ବେଆଇନ କହିବା ସହ ଏନେଇ ନ୍ୟାୟିକ ଲଢ଼େଇ...

ଭୋପାଳ: ବିଜେପି ମଧ୍ୟପ୍ରଦେଶରେ ସମସ୍ତ ୩ ରାଜ୍ୟସଭା ଆସନ ପୋଛି ନେଇଛି। ନିର୍ବାଚନ ଅଧିକାରୀ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବା ଘଟଣାକୁ କଂଗ୍ରେସ ବେଆଇନ କହିବା ସହ ଏନେଇ ନ୍ୟାୟିକ ଲଢ଼େଇ ଆରମ୍ଭ କରିଦେଇଥିଲା। ନଟରାଜନଙ୍କ ପ୍ରାର୍ଥିପତ୍ର ନାକଚ ନକରିବାପାଇଁ କଂଗ୍ରେସ ଉଭୟ ନିର୍ବାଚନ କମିସନ୍‌ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏହି ଘଟଣାର ଆଜି ଏକ ନାଟକୀୟ ଅନ୍ତ ଘଟିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିସନ୍‌ କଂଗ୍ରେସର ଏହି ଆବେଦନ ଉପରେ କିଛି ନିଷ୍ପତ୍ତି ଶୁଣାଇ ନଥିବାବେଳେ ସୁପ୍ରିମକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରିବାପାଇଁ ରାଜି ହୋଇଛନ୍ତି। କିନ୍ତୁ କୋର୍ଟ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ହସ୍ତ‌କ୍ଷେପ କରିବେନି ବୋଲି ସ୍ପଷ୍ଟ ଶୁଣାଇବାପରେ ନିର୍ବାଚନ କମିସନ୍‌ ଆଜି ସନ୍ଧ୍ୟାରେ ରାଜ୍ୟସଭା ନିର୍ବାଚନ ଫଳ ଘୋଷଣା କରିଛନ୍ତି।

କିନ୍ତୁ ଏସବୁ ମଧ୍ୟରେ ଆଜି ବିଜେପିର ସମସ୍ତ ୩ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଜେପିର ତରୁଣ ଛୁଗ, ରାଜନୀଶ ଅଗ୍ରୱାଲ ଏବଂ ମହେଶ କେୱତ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି। ବିଧାନସଭା ପରିସରରେ ବିଜୟୀ ପ୍ରାର୍ଥୀମାନେ ସେମାନଙ୍କ ସାର୍ଟିଫିକେଟ ପାଇବାପରେ ବିଜେପି ରାଜ୍ୟ ସଭାପତି ହେମନ୍ତ ଖଣ୍ଡେଲୱାଲଙ୍କୁ ଭେଟିଥିଲେ। ଖଣ୍ଡେଲୱାଲ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ମିଠା ବାଣ୍ଟି ଉତ୍ସବ ମନାଇଛନ୍ତି।

ଉଲ୍ଲେଖଯୋଗ୍ୟ ‌ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ମହେଶ କେୱତଙ୍କୁ ତୃତୀୟ ପ୍ରାର୍ଥୀ କରିବାପରେ ବିବାଦ ଆରମ୍ଭ ହୋଇଥିଲା। ପାଖରେ ସଂଖ୍ୟା ନଥାଇ ସୁଦ୍ଧା ବିଜେପି ତୃତୀୟ ପ୍ରାର୍ଥୀ ଦେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କ୍ରସ୍‌ ଭୋଟିଂ କିମ୍ବା ଘୋଡ଼ା ବେପାର ହୋଇପାରେ ବୋଲି କଂଗ୍ରେସ ଭୟ କରିଥିଲା ଏବଂ ଏପରିକି କଂଗ୍ରେସ ନେତାମାନେ ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଇବା ଆରମ୍ଭ କରିଥିଲେ। ଗତ ୩ ଦିନ ମଧ୍ୟରେ ଭୋପାଳରେ ଅପ୍ରତ୍ୟାଶିତ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଛି। କଂଗ୍ରେସ ନେତାମା‌ନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌ ବାହାରେ ରାତି ତମାମ ବସିବାଠାରୁ ଆରମ୍ଭ କରି ରାସ୍ତାରେ ଆନ୍ଦୋଳନ କରିଥିଲେ। ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ରାଜନୈତିକ ଚାପ ଅଧୀନରେ କାମ କରୁଛି ବୋଲି ବରିଷ୍ଠ ନେତାମାନେ ଅଭିଯୋଗ କରିଥିଲେ। କିନ୍ତୁ ପରିଶେଷରେ ବିଜେପିର ବିଜୟ ହେଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button