
ଇମ୍ଫାଲ: ମଣିପୁରରୁ ବୁଧବାର ୬ ଜଣଙ୍କ ମର ଶରୀର ମିଳିଛି। ଏହି ମରଶରୀର ଗତ ମେ’ ୧୩ ତାରିଖରୁ ନିଖୋଜ ଥିବା ନାଗା ପଣବନ୍ଦୀଙ୍କର ହୋଇଥାଇପାରେ ବୋଲି ବିଶ୍ବାସ କରାଯାଉଛି। କର୍ତ୍ତୃପକ୍ଷମାନେ କହିଛନ୍ତି, ସେମାନଙ୍କ ପରିଚୟ ଜାଣିବାପାଇଁ ଡିଏନ୍ଏ ପରୀକ୍ଷା କରାଯିବ। ଉଲ୍ଲେଖଯୋଗ୍ୟ ନାଗା ଗୋଷ୍ଠୀ ଦ୍ବାରା ଅନେକ ସପ୍ତାହ ଧରି ବନ୍ଦୀ ରହିଥିବା ୧୪ ଜଣ କୁକି ନାଗରିକଙ୍କୁ ନାଗା ସିଭିଲ ସୋସାଇଟି ଅନୁଷ୍ଠାନ ଅକ୍ଷତ ମୁକ୍ତ କରିବାର ଦିନକ ପରେ ୬ ଜଣଙ୍କ ମର ଶରୀର ମିଳିଛି।
ମଣିପୁର ପୁଲିସ ଏନେଇ ଏକ୍ସରେ ଏକ ପୋଷ୍ଟ୍ କରି କହିଛି ଯେ ‘ ମଣିପୁର ପୁଲିସ, ସିଆରପିଏଫ୍ ଏବଂ ଆସାମ ରାଇଫଲ୍ସ ଟିମ୍ ସହ ସ୍ଲାଇଫର କୁକୁର ଏବଂ ଫରେନ୍ସିକ ବିଶେଷଜ୍ଞ ଦଳର ସହଯୋଗରେ ଆଜି ଅପରାହ୍ନରେ ୬ ଜଣଙ୍କ ମର ଶରୀର ଉଦ୍ଧାର କରାଯାଇଛି। ମେ’ ୧୩ ତାରିଖରୁ ଲିଲନ ଭାଇପେଇରୁ ପଣବନ୍ଦୀ ରଖାଯାଇଥିବା କିଛି ନାଗରିକ ନିଖୋଜ ହୋଇଯାଇଥିଲେ। ଏହି ମୃତଦେହ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ବୋଲି ବିଶ୍ବାସ କରାଯାଉଛି।
ପୁଲିସ ଦ୍ବାରା ଆବଶ୍ୟକୀୟ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଅଧିକାରୀମାନେ କହିଛନ୍ତି, ମର ଶରୀର ଗୁଡ଼ିକ ଅତିମାତ୍ରାରେ ନଷ୍ଟ ହୋଇଯାଇଛି ଏବଂ କାହାକୁ ଚିହ୍ନଟ କରିହେବନାହିଁ। ଇମ୍ଫାଲର ରିମ୍ସ (ରେଜିଓନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ) ଏବଂ ଜେଏନ୍ଆଇଏମଏସ ( ଜବାହରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ)ରେ ଏହି ଦେହାବଶେଷ ଗୁଡ଼ିକର ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।
ସୌଜନ୍ୟ ସମ୍ବାଦ




