ଦେଶ ବିଦେଶ

BJP MP: ଧର୍ମେନ୍ଦ୍ରଙ୍କ ପାଇଁ ବାହାରିଲେ ବିଜେପି ସାଂସଦ: ନବୀନଙ୍କ ମନ୍ତବ୍ୟକୁ ସମୂହ ବିରୋଧ

ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ବିଜେଡିର ରାଜ୍ୟସଭା ସାଂସଦମାନେ ହସ୍ପିଟାଲ ଯାଇ ଆହତ ଛାତ୍ରମାନଙ୍କୁ ଭେଟିଥିଲେ।

ନୂଆଦିଲ୍ଲୀ/ଭୁବନେଶ୍ବର: ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ବିଜେଡିର ରାଜ୍ୟସଭା ସାଂସଦମାନେ ହସ୍ପିଟାଲ ଯାଇ ଆହତ ଛାତ୍ରମାନଙ୍କୁ ଭେଟିଥିଲେ। ଆଜି ନବୀନଙ୍କ ମନ୍ତବ୍ୟକୁ ପ୍ରତିବାଦ କରିବା ସହ ଧର୍ମେନ୍ଦ୍ରଙ୍କ ସପକ୍ଷରେ ବାହାରିଛନ୍ତି ଓଡ଼ିଶାର ବିଜେପି ସାଂସଦମାନେ। ନୂଆଦିଲ୍ଲୀରେ ସାଂସଦ ମାଳବିକା ରାୟଙ୍କ ବାସଭବନରେ ସାଂସଦମାନେ ଏକାଠି ହୋଇ ନବୀନଙ୍କ ବିବୃତିକୁ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି।

ନବୀନଙ୍କ ମନ୍ତବ୍ୟକୁ ସମୂହ ବିରୋଧ
ବିଜେଡିର ‘ଚଟୁ ଆମିଷ, ବେଣ୍ଟ ନିରାମିଷ’ ନୀତି ରାଜନୈତିକ ମତିଭ୍ରମକୁ ପ୍ରମାଣିତ କରୁଛି

ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ନବୀନ ପଟ୍ଟନାୟକ ବୋଧହୁଏ ଭାବିଛନ୍ତି ଯେ ଲୋକଙ୍କର ସ୍ମୃତିଶକ୍ତି କମ୍‌ ଏବଂ ଓଡ଼ିଶାବାସୀ ସବୁକିଛି ଭୁଲି ଯାଇଛନ୍ତି। କିନ୍ତୁ ଓଡ଼ିଆ ଲୋକମାନଙ୍କୁ, ଓଡ଼ିଶାବାସୀଙ୍କୁ ଏତେ ଦୁର୍ବଳ କିମ୍ବା ଅଜ୍ଞ ମନେ କରିବା ଉଚିତ ନୁହେଁ । ୨୦୧୫ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ତାଙ୍କ ନିଜ ଶାସନ କାଳରେ ଓଡ଼ିଶାରେ ପ୍ରତ୍ୟେକ ବର୍ଷ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟିଥିଲା। ସେହି ସମୟରେ ବିରାଟ ଆନ୍ଦୋଳନ, ଶୋଭାଯାତ୍ରା ଓ ବିକ୍ଷୋଭ ହୋଇଥିଲେ ସୁଦ୍ଧା ସେତେବେଳର ସରକାର ଜଣେ ହେଲେ ମନ୍ତ୍ରୀଙ୍କ ଇସ୍ତଫା ନେଇ ନଥିଲେ। ନବୀନ ବାବୁ ମଧ୍ୟ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇ ନଥିଲେ। ଯେଉଁଭଳି ଭାବରେ ନବୀନ ପଟ୍ଟନାୟକ ଓ ବିଜେଡି କଂଗ୍ରେସ ଓ ସିଜେପିର ଦେଶବିରୋଧୀ ଓ ହିଂସାତ୍ମକ କାର୍ଯ୍ୟକଳାପକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି, ତାହା ତାଙ୍କର ନିମ୍ନ ମନୋବୃତ୍ତିକୁ ପରିପ୍ରକାଶ କରୁଛି। ଗଣତନ୍ତ୍ରରେ ଧାରଣା ଦେବା ଓ ମତ ପ୍ରକାଶ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ସୁରକ୍ଷା ବାରିକେଡ୍ ଭାଙ୍ଗି ସଂସଦ ଭିତରକୁ ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିବା, ହିଂସାକାଣ୍ଡ ରଚନା କରିବା ଅତ୍ୟନ୍ତ ଦେଶବିରୋଧୀ ଅଟେ। ବିଜେଡିର କିଛି ନେତା କହୁଛନ୍ତି ଯେ ‘ଆମେ ସିଜେପିକୁ ସମର୍ଥନ କରୁନୁ, ଆନ୍ଦୋଳନକୁ ସମର୍ଥନ କରୁଛୁ’। ଏହା ‘ଚଟୁ ଆମିଷ, ବେଣ୍ଟ ନିରାମିଷ’ ଭଳି ଦୋମୁହାଁ ନୀତି ଅଟେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜେଡି ନେତାମାନଙ୍କର ସମ୍ପୂର୍ଣ୍ଣ ମତିଭ୍ରମ ଘଟିଛି।

ଶ୍ରୀ ମହତାବ କହିଥିଲେ, ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନଜରକୁ ଆସିବା କ୍ଷଣି କେନ୍ଦ୍ର ସରକାର, ଶିକ୍ଷା ମନ୍ତ୍ରଣାଳୟ ଓ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଦୃଢ଼ ଓ ସଂଶୋଧନାତ୍ମକ ପଦକ୍ଷେପ ଗ୍ରହଣ କଲେ। ପ୍ରତ୍ୟେକ ରାଜ୍ୟ ସରକାର ଏବଂ ପ୍ରତିରକ୍ଷା ବିଭାଗର ସହଯୋଗରେ ବିମାନ ଯୋଗେ ପ୍ରଶ୍ନପତ୍ର ପଠାଯାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୁନଃପରୀକ୍ଷା ସଫଳତାର ସହ ପରିଚାଳିତ ହେଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖାତା ଦେଖା ଶେଷ ହୋଇ ଫଳାଫଳ ମଧ୍ୟ ପ୍ରକାଶ ପାଇଲା। ଏଥି ପାଇଁ ଶ୍ରୀ ପ୍ରଧାନ ପ୍ରଶଂସାର ପାତ୍ର। ପୂର୍ବର ୟୁପିଏ ସରକାର ଅମଳରେ ବହୁବାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା, କିନ୍ତୁ କେନ୍ଦ୍ରର ମୋଦୀ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳ। ବିଜେଡି ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗୃହ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବାକୁ ଶ୍ରୀ ମହତାବ ଆହ୍ୱାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସାଂସଦ ସଙ୍ଗୀତା ସିଂହଦେଓ, ଅନିତା ପ୍ରିୟଦର୍ଶିନୀ, ମାଳବିକା ଦେବୀ, ରୁଦ୍ର ନାରାୟଣ ପାଣି, ପ୍ରଦୀପ ପୁରୋହିତ, ଅନନ୍ତ ନାଏକ, ଅଭିମନ୍ୟୁ ସେଠୀ, ରବି ନାରାୟଣ ବେହେରା, ବଳଭଦ୍ର ମାଝୀ, ସୁକାନ୍ତ ପାଣିଗ୍ରାହୀ ଓ ବିଭୁ ପ୍ରସାଦ ତରାଇ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button