Britain: ଭାରତ ଗସ୍ତ ପରେ ବ୍ରିଟେନ ମହିଳାଙ୍କ ମସ୍ତିଷ୍କରୁ ମିଳିଲା ୩୮ ପରଜୀବୀ, ‘ନ୍ୟୁରୋସିଷ୍ଟିସର୍କୋସିସ୍’ ରୋଗ ଚିହ୍ନଟ
ଭାରତ ଗସ୍ତରୁ ଫେରିବା ପରେ ବ୍ରିଟେନର ୩୦ ବର୍ଷୀୟା ଜଣେ ମହିଳାଙ୍କ ମସ୍ତିଷ୍କରେ ୩୮ଟି ପରଜୀବୀ ଚିହ୍ନଟ ହେବା ଘଟଣା ଚିକିତ୍ସା ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ନୂଆଦିଲ୍ଲୀ: ଭାରତ ଗସ୍ତରୁ ଫେରିବା ପରେ ବ୍ରିଟେନର ୩୦ ବର୍ଷୀୟା ଜଣେ ମହିଳାଙ୍କ ମସ୍ତିଷ୍କରେ ୩୮ଟି ପରଜୀବୀ ଚିହ୍ନଟ ହେବା ଘଟଣା ଚିକିତ୍ସା ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଜଣକ ଦୀର୍ଘ ସମୟ ଧରି ଅସହ୍ୟ ମୁଣ୍ଡବିନ୍ଧା, ବାରମ୍ବାର ମୁଣ୍ଡ ବୁଲାଇବା ଏବଂ ଶରୀରର ବାମପାର୍ଶ୍ୱରେ ଦୁର୍ବଳତା ଅନୁଭବ କରୁଥିଲେ। ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ‘ନ୍ୟୁରୋସିଷ୍ଟିସର୍କୋସିସ୍’ ନାମକ ଏକ ପରଜୀବୀଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ ସାଧାରଣତଃ ଟେପ୍ୱର୍ମ (ଫିତାକୃମି)ର ଡିମ୍ବ ଶରୀରକୁ ପ୍ରବେଶ କରି ମସ୍ତିଷ୍କରେ ପହଞ୍ଚିଲେ ସୃଷ୍ଟି ହୋଇଥାଏ।
ଡାକ୍ତରମାନଙ୍କ କହିବା ଅନୁସାରେ, ମହିଳା ଜଣକ ଭାରତରେ ପ୍ରାୟ ଏକ ବର୍ଷ ବସବାସ କରିଥିଲେ। ସେହି ସମୟରେ ଦୂଷିତ ଖାଦ୍ୟ କିମ୍ବା ପାଣି ମାଧ୍ୟମରେ ଫିତାକୃମିର ଡିମ୍ବ ତାଙ୍କ ଶରୀରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ପରେ ଏହି ଡିମ୍ବଗୁଡ଼ିକ ରକ୍ତ ସଞ୍ଚାଳନ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚି ସିଷ୍ଟ ସୃଷ୍ଟି କରିଥିଲେ। ଏମ୍ଆର୍ଆଇ ଓ ସିଟି ସ୍କାନ୍ରେ ତାଙ୍କ ମସ୍ତିଷ୍କରେ ୩୮ଟି ପରଜୀବୀଜନିତ ସିଷ୍ଟ ଥିବା ସ୍ପଷ୍ଟ ହୋଇଥିଲା।
ଚିକିତ୍ସା ବିଶେଷଜ୍ଞଙ୍କ କହିବା ଅନୁସାରେ, ନ୍ୟୁରୋସିଷ୍ଟିସର୍କୋସିସ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ତୀବ୍ର ମୁଣ୍ଡବିନ୍ଧା, ଅଚେତ ହୋଇଯିବା, ଶରୀରର କୌଣସି ଅଂଶ ଦୁର୍ବଳ ହୋଇଯିବା, ସନ୍ତୁଳନ ହରାଇବା ଓ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିବା ଭଳି ଲକ୍ଷଣ ଦେଖାଦେଇପାରେ। ଠିକ୍ ସମୟରେ ଚିହ୍ନଟ ନ ହେଲେ ଏହା ଗୁରୁତର ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ। ତେବେ ଉପଯୁକ୍ତ ଔଷଧ ଓ ଚିକିତ୍ସା ଦ୍ୱାରା ଅଧିକାଂଶ ରୋଗୀ ସୁସ୍ଥ ହୋଇପାରନ୍ତି। ଡାକ୍ତରମାନେ ମହିଳାଙ୍କୁ ପରଜୀବୀଙ୍କୁ ମାରିବା ପାଇଁ ଆଣ୍ଟି-ପାରାସିଟିକ୍ ଔଷଧ, ପ୍ରଦାହ କମାଇବା ପାଇଁ ଷ୍ଟେରଏଡ୍ ଓ ଅନ୍ୟାନ୍ୟ ଔଷଧ ଦେଇ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଏହି ରୋଗ ସିଧାସଳଖ ଜଣେ ବ୍ୟକ୍ତିଠାରୁ ଅନ୍ୟଜଣଙ୍କୁ ବ୍ୟାପେ ନାହିଁ। ଦୂଷିତ ଖାଦ୍ୟ କିମ୍ବା ପାଣି ସେବନ, ଅସ୍ୱଚ୍ଛ ପରିବେଶ ଏବଂ ହାତ ଭଲଭାବେ ନ ଧୋଇ ଖାଦ୍ୟ ଖାଇବା ଯୋଗୁ ସଂକ୍ରମଣର ଆଶଙ୍କା ବଢ଼ିଥାଏ। ସେଥିପାଇଁ ସର୍ବଦା ପରିଷ୍କାର ପାଣି ପିଇବା, ଖାଦ୍ୟକୁ ଭଲ ଭାବେ ରାନ୍ଧି ଖାଇବା, ଫଳ ଓ ପନିପରିବାକୁ ଭଲ ଭାବେ ଧୋଇ ବ୍ୟବହାର କରିବା ଏବଂ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା ଭଳି ସତର୍କତା ଅବଲମ୍ବନ କଲେ ଏହି ରୋଗରୁ ଅନେକାଂଶରେ ସୁରକ୍ଷିତ ରହିହେବ।
ସୌଜନ୍ୟ ସମ୍ବାଦ




