Bus Accident: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଭୟଙ୍କର ବସ୍ ଦୁର୍ଘଟଣା: ପୁଲିସ ଇନ୍ସପେକ୍ଟର ଓ କଏଦୀଙ୍କ ସମେତ ୬ ମୃତ, ୩୨ ଆହତ

ଔରସ/ଲକ୍ଷ୍ନୌ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଔରସ ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ବିହାର ପୁଲିସର ଜଣେ ଇନ୍ସପେକ୍ଟର ଓ ଜଣେ କଏଦୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ସ୍ଲିପର ବସର ଡ୍ରାଇଭରଙ୍କୁ ହଠାତ୍ ନିଦ ଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ସକାଳ ପ୍ରାୟ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବସରେ ଥିବା ଅଧିକାଂଶ ଯାତ୍ରୀ ଗଭୀର ନିଦ୍ରାରେ ଶୋଇଥିଲେବା ବେଳେ ବସଟି ହଟାତ୍ ଧକ୍କା ହେବାରୁ କିଛି ଯାତ୍ରୀ ଝରକା ଦେଇ ଏକ୍ସପ୍ରେସୱେ ପାର୍ଶ୍ୱରେ ଥିବା ଏକ ଗଭୀର ଖାଲକୁ ଛିଟିକି ପଡ଼ିଥିଲେ।

ପୁଲିସ ଇନ୍ସପେକ୍ଟର ରାମଚନ୍ଦ୍ର ମୃତ

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିହାର ପୁଲିସର ଇନ୍ସପେକ୍ଟର ରାମଚନ୍ଦ୍ର ବିହାରର ସିୱାନରୁ କଏଦୀ ଛତ୍ରପାଲଙ୍କୁ ଏକ ମାମଲାରେ ବୟାନ ରେକର୍ଡ କରାଇବା ପାଇଁ ଦିଲ୍ଲୀ ନେଇଯାଇଥିଲେ ଏବଂ ସେଠାରୁ କାର୍ଯ୍ୟ ସାରି ସେମାନେ ଏହି ବସ ଯୋଗେ ବିହାର ଫେରୁଥିଲେ। ଘଟଣାର ମାତ୍ର ଆଠ ମିନିଟ୍ ମଧ୍ୟରେ ୟୁପିଡିଏ କର୍ମଚାରୀମାନେ ସେଠାରେ ପହଞ୍ଚି ସ୍ଥାନୀୟ ଔରସ ପୁଲିସକୁ ସୂଚନା ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଫସି ରହିଥିବା ଲୋକଙ୍କୁ ଜଣ ଜଣ କରି ବାହାର କରି ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା, ଯେଉଁଠାରେ ଡାକ୍ତର ଇନ୍ସପେକ୍ଟର ଓ କଏଦୀଙ୍କ ସମେତ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏଏସ୍ପି ଶୈଳେନ୍ଦ୍ର ଲାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ପଠାଇଛନ୍ତି। ପୁଲିସ ଓ ୟୁପିଡିଏ ଦଳ ଏକ ବଡ଼ କ୍ରେନ୍ ସାହାଯ୍ୟରେ କ୍ଷତିଗ୍ରସ୍ତ ବସଟିକୁ ରାସ୍ତାରୁ ହଟାଇ ଏକ୍ସପ୍ରେସୱେରେ ଟ୍ରାଫିକ୍ ବ୍ୟବସ୍ଥାକୁ ପୁନର୍ବାର ସ୍ୱାଭାବିକ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ