Bus Rolls Down Hill: ପାହାଡ଼ରୁ ଓଲଟି ତଳକୁ ଖସିଲା ବସ୍: ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ମୃତ, ୨୦ ଆହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ରାମନଗର ଅଞ୍ଚଳର କନୋତରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ରୁ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଘଟଣାସ୍ଥଳକୁ ଅନେକ ଆମ୍ବୁଲାନ୍ସ ପଠାଯାଇଛି, ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଉଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉଧମପୁରର ରାମନଗରରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ୍ସରେ କହିଛନ୍ତି, ସେ ଉଧମପୁର ଜିଲ୍ଲା ଡେପୁଟି କମିସନର ଡିସି ମିଙ୍ଗା ଶେର୍ପାଙ୍କ ସହ କଥା ହୋଇଛି ଏବଂ କନୋତ ଗାଁ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଛି। ରାମନଗରରୁ ଉଧମପୁର ଯାଉଥିବା ଏକ ସାଧାରଣ ପରିବହନ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଠାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି। ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯିବ, ଏବଂ ଗୁରୁତର ଆହତମାନଙ୍କୁ ବିମାନରେ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଛି। ମୁଁ ସ୍ଥାନୀୟ ପ୍ରଶାସନ ଏବଂ ରାଜିନ୍ଦର ଶର୍ମାଙ୍କ ନେତୃତ୍ୱରେ ଆମର ସ୍ଥାନୀୟ କର୍ମୀଙ୍କ ଦଳ ସହିତ ନିରନ୍ତର ଯୋଗାଯୋଗରେ ଅଛି ବୋଲି ମନ୍ତ୍ରୀ କହିଛନ୍ତି।
ଦୁର୍ଘଟଣା ଯୋଗୁ ସ୍ଥାନୀୟ ଯାତାୟାତ ପ୍ରଭାବିତ ହୋଇଛି। ପୁଲିସ ଯାତାୟାତ ମାର୍ଗକୁ ପରିବର୍ତ୍ତନ କରିଛି। ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ବସ୍ ଦୁର୍ଘଟଣା ରୋକିବା ପାଇଁ ରାସ୍ତାର ଉନ୍ନତିକରଣ ଏବଂ ଉତ୍ତମ ଟ୍ରାଫିକ୍ ପରିଚାଳନା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ