Iran Drone Attacks: ଆମେରିକା ନୌସେନା ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ: ହର୍ମୁଜ୍ ପ୍ରଣାଳୀରେ ପୁଣି ସଙ୍କଟ

ତେହେରାନ: ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକୀୟ ସେନା ଏକ ଇରାନୀ ପତାକାଯୁକ୍ତ ବାଣିଜ୍ୟିକ ଜାହାଜକୁ ଅଟକାଇ ଜବତ କରିବାର କିଛି ଘଣ୍ଟା ପରେ ସୋମବାର ଇରାନ ଦାବି କରିଛି, ଓମାନ ସାଗରରେ ଆମେରିକୀୟ ସାମରିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଛି। ଇତିମଧ୍ୟରେ ଦୁଇସପ୍ତାହ ପାଇଁ ଲାଗୁ ହୋଇଥିବା ଅସ୍ତ୍ରବିରତି ସମୟ ସୀମା ବୁଧବାର ଶେଷ ହେବାକୁଥିବା ବେଳେ ଉଭୟ ପକ୍ଷ ପୁଣି ଯୁଦ୍ଧମୁହାଁ ହେବାରେ ଲାଗିଛନ୍ତି। ଇରାନର ଅର୍ଦ୍ଧ-ସରକାରୀ ତସନିମ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଦିନକ ପୂର୍ବରୁ ଇରାନୀ ଜାହାଜ ଉପରେ କରାଯାଇଥିବା ଆମେରିକାର କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ସ୍ୱରୂପ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି।

ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି

ତେହେରାନ ଦାବି କରିଛି, ଆମେରିକୀୟ ନୌସେନା ଜାହାଜ ଟାର୍ଗେଟ କରାଯାଇଛି। କିନ୍ତୁ ଆକ୍ରମଣରେ କେତେ ସଂଖ୍ୟକ ଡ୍ରୋନ୍ ବ୍ୟବହୃତ ହୋଇଛି ତଥା ଆକ୍ରମଣରେ କୌଣସି କ୍ଷତି ହୋଇଛି କି ନାହିଁ ସେ ବିଷୟରେ କୌଣସି ବିବରଣୀ ପ୍ରକାଶ କରିନାହିଁ। ଓମାନ ସାଗରରେ ଆମେରିକୀୟ ସେନା ଏକ ଇରାନୀ ମାଲବାହୀ ଜାହାଜକୁ ନିୟନ୍ତ୍ରଣ କରିବା ପରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟୌସ୍କା ନାମକ ଏହି ଜାହାଜଟି ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକା ଦ୍ୱାରା ଲଗାଯାଇଥିବା ନୌସେନା ଅବରୋଧକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥିଲା। ପରେ ଏହାକୁ ଜବତ କରାଯାଇଥିଲା।

 

ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଚେତାବନୀର ଜବାବ ନ ଦେବାରୁ ଆମେରିକୀୟ ମାରିନ୍ ଜାହାଜରେ ଚଢ଼ିଥିଲେ। ଜାହାଜଟି ଏବେ ସମ୍ପୂର୍ଣ୍ଣ ଭାବେ ଆମେରିକୀୟ ହେପାଜତରେ ଅଛି ଏବଂ ଯାଞ୍ଚ୍ କରାଯାଉଛି। ପରେ ଯୁକ୍ତରାଷ୍ଟ୍ର କେନ୍ଦ୍ରୀୟ କମାଣ୍ଡ ଏହି ଅଭିଯାନକୁ ନିଶ୍ଚିତ କରି ​ ଭିଡିଓ ଫୁଟେଜ୍ ଜାରି କରିଛି। ​​ଯେଉଁଥିରେ ଆମେରିକୀୟ ନୌସେନା କର୍ମଚାରୀମାନେ ଜାହାଜକୁ ଜବତ କରୁଥିବାର ଦୃଶ୍ୟ ରହିଛି। ଇରାନ ପ୍ରଥମେ ଜାହାଜକୁ ଜବତ କରାଯାଇଥିବା କଥାକୁ ଅସ୍ୱୀକାର କରି କହିଥିଲା ​​ଯେ, ଆମର ନୌସେନା ୟୁନିଟଗୁଡ଼ିକ ଆମେରିକୀୟ ସେନାକୁ ପଛକୁ ହଟିବାକୁ ବାଧ୍ୟ କରିଥିଲେ। ତଥାପି, ଆମେରିକୀୟ ଅଧିକାରୀମାନେ ଏହି ଅଭିଯାନକୁ ନିଶ୍ଚିତ କରିବା ପରେ ତେହେରାନ ପରେ ଏହାକୁ ସ୍ୱୀକାର କରିଥିଲା। ଇରାନୀ ସାମରିକ ଅଧିକାରୀମାନେ କହିଥିଲେ, ଜାହାଜଟି ଚୀନ୍‌ରୁ ଯାତ୍ରା କରୁଥିଲା। ଇରାନର ମିଳିତ ସାମରିକ କମାଣ୍ଡ, ଖାତମ ଅଲ-ଆନବିୟା, ଆମେରିକାର ଏଭଳି କାର୍ଯ୍ୟର ନିନ୍ଦା କରି ୱାସିଂଟନ ଲାଗୁ ହୋଇଥିବା ଦୁଇ ସପ୍ତାହର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା କହିଛି। ଇରାନ ଏହି ଅଭିଯାନକୁ ଜଳଦସ୍ୟୁଙ୍କ କାର୍ଯ୍ୟ ବୋଲି ଦର୍ଶାଇଛି। ଜଣେ ସାମରିକ ମୁଖପାତ୍ର ଦାବି କରିଛନ୍ତି, ଆମେରିକୀୟ ସେନା ଜାହାଜ ଉପରେ ଗୁଳି ଚଳାଇଥିଲେ ଏବଂ ଜାହାଜରେ ଚଢ଼ିବା ପୂର୍ବରୁ ଏହାର ନାଭିଗେସନ୍ ସିଷ୍ଟମକୁ ଅକାମୀ କରିଦେଇଥିଲେ। ଇରାନର ସଶସ୍ତ୍ର ବାହିନୀ ଖୁବ୍ ଶୀଘ୍ର ଏହି ସଶସ୍ତ୍ର ଡକାୟତିର ଜବାବ ଦେବେ ଏବଂ ପ୍ରତିଶୋଧ ନେବ ବୋଲି ମୁଖପାତ୍ର କହିଥିଲେ। ଏହା ପରେ ଇରାନ ପକ୍ଷରୁ ଆମେରିକା ନୌସେନା ଜାହାଜ ଉପରେ ଆକ୍ରମଣ କରାଯାଇଛି। ଏହା ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ପୁଣି ସଙ୍କଟ ଦେଖାଦେଇଛି।

 

 

 

ସୌଜନ୍ୟ ସମ୍ବାଦ