ଦେଶ ବିଦେଶ

Buyout Programme: ମାଇକ୍ରୋସଫ୍ଟ ପରେ ଏବେ ଗୁଗୁଲ୍‌ର ବଡ଼ ନିଷ୍ପତ୍ତି

ମାଇକ୍ରୋସଫ୍ଟ ପରେ ଏବେ ଗୁଗୁଲ୍ ମଧ୍ୟ ନିଜ କର୍ମଚାରୀଙ୍କୁ ଚାକିରି ଛାଡ଼ିବା ପାଇଁ ଅଫର୍ ଦେଇଛି। ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ନିକଟରେ ନିଜ କର୍ମଚାରୀଙ୍କ ପାଇଁ ‘ବାଏଆଉଟ୍ ଅଫର୍’ ଆରମ୍ଭ କରିଛି। ଏହି ଯୋଜନା ଜରିଆରେ କର୍ମଚାରୀଙ୍କୁ କିଛି ଆର୍ଥିକ ପ୍ୟାକେଜ୍ ଦେଇ ସ୍ୱେଚ୍ଛାକୃତ ଭାବେ ଚାକିରି ଛାଡ଼ିବାକୁ ପ୍ରସ୍ତାବ ଦିଆଯାଉଛି।

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପରେ ଏବେ ଗୁଗୁଲ୍ ମଧ୍ୟ ନିଜ କର୍ମଚାରୀଙ୍କୁ ଚାକିରି ଛାଡ଼ିବା ପାଇଁ ଅଫର୍ ଦେଇଛି।  ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ନିକଟରେ ନିଜ କର୍ମଚାରୀଙ୍କ ପାଇଁ ‘ବାଏଆଉଟ୍ ଅଫର୍’ ଆରମ୍ଭ କରିଛି। ଏହି ଯୋଜନା ଜରିଆରେ କର୍ମଚାରୀଙ୍କୁ କିଛି ଆର୍ଥିକ ପ୍ୟାକେଜ୍ ଦେଇ ସ୍ୱେଚ୍ଛାକୃତ ଭାବେ ଚାକିରି ଛାଡ଼ିବାକୁ ପ୍ରସ୍ତାବ ଦିଆଯାଉଛି। ଏହି ଯୋଜନାକୁ ଅନ୍ୟ କେତେକ ଦେଶକୁ ମଧ୍ୟ ସମ୍ପ୍ରସାରଣ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି। ଅନ୍ୟାନ୍ୟ ଖର୍ଚ୍ଚ କମାଇବା ସହ କୃତ୍ରିମ ବୁଦ୍ଧିମତ୍ତା  କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରିବା ଉଦ୍ଦେଶ୍ୟରେ କମ୍ପାନି ଏହି ପଦକ୍ଷେପ ନେଇଛି।

ଏହି ଦେଶଗୁଡ଼ିକର କର୍ମଚାରୀଙ୍କୁ ମିଳିଲା ଅଫର୍

ଗୁଗୁଲ୍‌ର ମୂଳ କମ୍ପାନି ଆଲଫାବେଟ୍ ରଏଟର୍ସ ଆଲୋଚନା ବେଳେ ଏହି ଖବରକୁ ସ୍ପଷ୍ଟ କରିଛି। କମ୍ପାନି କହିଛି ଯେ କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ ଓ ସ୍ୱିଜରଲ୍ୟାଣ୍ଡରେ କାର୍ଯ୍ୟ କରୁଥିବା ନିଜ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଚାକିରି ଛାଡ଼ିବା ପ୍ୟାକେଜ୍ (ଭଲଣ୍ଟାରି ଏକ୍‌ଜିଟ୍ ପ୍ୟାକେଜ୍) ଦେବା ଆରମ୍ଭ କରିଛି।

କ’ଣ କହିଲା କମ୍ପାନି?

ରଏଟର୍ସ ସହ କଥାବାର୍ତ୍ତା ବେଳେ ଗୁଗୁଲ୍‌ର ଜଣେ ମୁଖପାତ୍ର କହିଛନ୍ତି ଯେ, ୨୦୨୫ ମସିହାରେ କମ୍ପାନିର କିଛି ଟିମ୍‌ରେ ଚାକିରି ଛାଡ଼ିବା ସମୟରେ ଆର୍ଥିକ କ୍ଷତିପୂରଣ  ସହିତ ଏକ ସ୍ୱେଚ୍ଛାକୃତ ଚାକିରି ଛାଡ଼ିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଚଳିତ ବର୍ଷ ଜୁନ୍ ମାସରେ ଭବିଷ୍ୟତର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ କେତେକ ଦେଶରେ ବିଶ୍ୱସ୍ତରରେ ସମ୍ପ୍ରସାରଣ କରାଯାଇଛି।

ଭାରତୀୟ କର୍ମଚାରୀଙ୍କ ଉପରେ ମଧ୍ୟ ପଡ଼ିବ କି ପ୍ରଭାବ?

ତେବେ ବର୍ତ୍ତମାନ ଯେଉଁ ଦେଶଗୁଡ଼ିକର ନାମ ସାମ୍ନାକୁ ଆସିଛି, ସେଥିରେ ଭାରତର ନାମ ନାହିଁ। ଭାରତୀୟ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଚାକିରି ଛାଡ଼ିବା ବଦଳରେ କୌଣସି ଆର୍ଥିକ ପ୍ୟାକେଜ୍ ଦେବାକୁ ଅଫର୍ ଦିଆଯାଇନାହିଁ। ତେବେ ଆଗାମୀ ଦିନରେ କମ୍ପାନି ଏହି ଯୋଜନାକୁ ଅନ୍ୟ ଦେଶକୁ ସମ୍ପ୍ରସାରଣ କଲେ ଭାରତୀୟ କର୍ମଚାରୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।

ଗୁଗୁଲ୍ ଏଭଳି ପଦକ୍ଷେପ ନେଇଥିବା ସମୟରେ ଗୁଗୁଲ୍ ସମେତ ଅନ୍ୟ ବଡ଼ ଟେକ୍ କମ୍ପାନିଗୁଡ଼ିକ ଏଆଇ କ୍ଷେତ୍ରରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହାକୁ ନେଇ ୱାଲ୍ ଷ୍ଟ୍ରିଟ୍‌ରେ ଚିନ୍ତା ବଢ଼ିଛି ଏବଂ ଆଲଫାବେଟ୍‌ର ସେୟାର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି।

ମାଇକ୍ରୋସଫ୍ଟ ମଧ୍ୟ ଦେଇଥିଲା ଅଫର୍

ସୂଚନାଯୋଗ୍ୟ, ଗତ ସପ୍ତାହରେ ଆଉ ଏକ ବଡ଼ ଟେକ୍ କମ୍ପାନି ମାଇକ୍ରୋସଫ୍ଟ ମଧ୍ୟ ନିଜ କର୍ମଚାରୀଙ୍କୁ ଚାକିରି ଛାଡ଼ିବା ବଦଳରେ ଆକର୍ଷଣୀୟ ଆର୍ଥିକ ପ୍ୟାକେଜ୍ ଦେବାକୁ ଅଫର୍ କରିଥିଲା। କମ୍ପାନି ପ୍ରାୟ ୬୦ ହଜାର କର୍ମଚାରୀଙ୍କୁ ‘ବାଏଆଉଟ୍ କଣ୍ଟ୍ରାକ୍ଟ’ ଦେଇଥିଲା। ଏଥିରେ ଭାରତୀୟ କର୍ମଚାରୀଙ୍କ ନାମ ମଧ୍ୟ ସାମିଲ ଥିଲା। ଏଆଇର ସମ୍ପ୍ରସାରଣ ପାଇଁ ମାଇକ୍ରୋସଫ୍ଟ ମଧ୍ୟ ଏହି ପଦକ୍ଷେପ ନେଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button