ଓଡ଼ିଶାରେ ରହିଛି ୫୨,୪୩୩ ବର୍ଗ କିମି ଜଙ୍ଗଲ। ରାଜ୍ୟର ଅଧିକାଂଶ ଜଙ୍ଗଲ ପର୍ଣ୍ଣମୋଚୀ (ଡ୍ରାଏ ଡେସିଡିଅସ୍) ଶ୍ରେଣୀର ହୋଇଥିବାରୁ ଶୀତ ଋତୁ ଶେଷଆଡ଼କୁ ଗଛଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି। ଏହି ସମୟରେ ଜଙ୍ଗଲରେ ଶୁଖିଲା ପତ୍ର ଯଦି ନିଆଁ ସଂସ୍ପର୍ଶରେ ଆସେ ତେବେ ତାହା ପୂରା ଜଙ୍ଗଲକୁ ବ୍ୟାପିଯାଏ। ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ର ତଥ୍ୟ ଅନୁଯାୟୀ ୨୦୨୪-୨୫ରେ ରାଜ୍ୟରେ ୪୬୦୯.୩୫ ହେକ୍ଟର୍ ବନାଗ୍ନି ଦ୍ବାରା ପ୍ରଭାବିତ ହୋଇଥିଲା। ଦେଶରେ ସର୍ବାଧିକ ବନାଗ୍ନି ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ବି ଓଡ଼ିଶା ରହିଛି। ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ୨୦୨୫ରେ ଦେଶର ୨୦ଟି ସର୍ବାଧିକ ବନାଗ୍ନି ପ୍ରଭାବିତ ଜିଲ୍ଲା ତାଲିକାରେ ଥିଲା। ୨୦୨୧ରେ ଶିମିଳିପାଳ ଅଭୟାରଣ୍ୟ ଜଳିବା ରାଜ୍ୟ ପାଇଁ ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଘଟଣା ଥିଲା। ୨୦୧୮ ମସିହାରୁ ଭାରତ ସରକାର ବନାଗ୍ନି ପାଇଁ ଘୋଷଣା କରିଥିବା ନାସନାଲ ଆକ୍ସନ୍ ପ୍ଲାନ୍ ଆଧାରରେ ରାଜ୍ୟଗୁଡ଼ିକ ବନାଗ୍ନି ରୋକିବାକୁ ପ୍ରତି ବର୍ଷ ଆଗୁଆ ପଦକ୍ଷେପ ନେଇଥାନ୍ତି।
ଜଙ୍ଗଲ ନିଆଁର କାରଣ:
ବେଳେବେଳେ ପ୍ରାକୃତିକ ଉପାୟରେ ଜଙ୍ଗଲରେ ନିଆଁ ସୃଷ୍ଟି ହୋଇଥାଏ। ଯଥା ସମୟରେ ଲିଭା ନ ଗଲେ ଏହା ପୂରା ଜଙ୍ଗଲକୁ ବ୍ୟାପିଥାଏ। କିନ୍ତୁ ଅଧିକାଂଶ ସମୟରେ ଜଙ୍ଗଲ ନିଆଁ ମନୁଷ୍ୟକୃତ। ମହୁଲ ସଂଗ୍ରହ ଓ ପୋଡ଼ୁଚାଷ ବନାଗ୍ନିର ବହୁ ପୁରୁଣା କାରଣ। ସେହିପରି ବଣଭୋଜି ବେଳେ ଲୋକେ ସିଗାରେଟ୍ ପକାଇ ଦେବା ସହିତ ଭୋଜି ପରେ ଚୁଲି ନିଆଁକୁ ନ ଲିଭାଇବା ଜଙ୍ଗଲ ଜଳିବାର ଅନ୍ୟ କାରଣ।
ନିଆଁଲିଭାରେ ପ୍ରଯୁକ୍ତିର ପ୍ରୟୋଗ:
ବିଶାଳ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଅନ୍ୟ ଦେଶରେ ଆକଶମାର୍ଗରୁ ହେଲିକପ୍ଟରରେ ଜଳ ବୃଷ୍ଟି କରାଯାଉଥିବା ଦେଖିବାକୁ ମିଳେ। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ପ୍ରୟୋଗ କରି ଓଡ଼ିଶାରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ଇତିମଧ୍ୟରେ ଉଦ୍ୟମ ଆରମ୍ଭ ହୋଇଛି। ଶିମିଳିପାଳ ସମେତ କେତେକ ବଡ଼ ଜଙ୍ଗଲରେ ବନାଗ୍ନିର ସୂଚନା ପାଇଁ ବନବିଭାଗ ଏଆଇ ସ୍ମାର୍ଟ କ୍ୟାମେରା ଓ ଡ୍ରୋନ୍ ବ୍ୟବହାର କରୁଛି।
ସଚେତନତା ଓ ସହଯୋଗ:
ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବା ଦିଗରେ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ଜରୁରି ହୋଇଥାଏ। ଜଙ୍ଗଲ ଭିତରେ ରହୁଥିବା ଆଦିବାସୀମାନଙ୍କୁ ଜଙ୍ଗଲ ନିଆଁ ହ୍ରାସ ପାଇଁ ସଚେତନ କରାଯାଉଛି। ଏହା ସହିତ ନିଆଁ ଲିଭାଇବାରେ ମଧ୍ୟ ବନ ବିଭାଗ ସେମାନଙ୍କ ସାହାଯ୍ୟ ନେଉଛି। ଅତୀତରେ ଓଡ଼ିଶାରେ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି।
ସୌଜନ୍ୟ ସମ୍ବାଦ
