Climate change: ଜଳବାୟୁ ପରିବର୍ତ୍ତନ: ଆମ୍ବ ଉତ୍ପାଦନ ପ୍ରଭାବିତ, ବର୍ଷା ନ ଥିବାରୁ ଝଡ଼ିଯାଉଛି ଆମ୍ବକଷି

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ୍ବଚାଷ ଉପରେ ପଡ଼ିଛି। ଗତବର୍ଷ ଗଛରେ ବିଶେଷ ବଉଳ ଆସିନଥିଲା। କିଛି ସ୍ଥାନରେ ବଉଳ ଆସିଥିଲେ ମଧ୍ୟ ଆମ୍ବକଷି ଝଡ଼ି ଯାଇଥିଲା। ଆଶାନୁରୂପ ଉତ୍ପାଦନ ନ ହେବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା।

ବିରଞ୍ଚି କୁମାର ବେହେରା
ତେଲକୋଇ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ୍ବଚାଷ ଉପରେ ପଡ଼ିଛି। ଗତବର୍ଷ ଗଛରେ ବିଶେଷ ବଉଳ ଆସିନଥିଲା। କିଛି ସ୍ଥାନରେ ବଉଳ ଆସିଥିଲେ ମଧ୍ୟ ଆମ୍ବକଷି ଝଡ଼ି ଯାଇଥିଲା। ଆଶାନୁରୂପ ଉତ୍ପାଦନ ନ ହେବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ଚଳିତବର୍ଷ ମଧ୍ୟ ସମାନ ସମସ୍ୟା ଦେଖାଯାଇଛି। ବିଳମ୍ବରେ ବଉଳ ଆସିଥିବାବେଳେ ଆମ୍ବକଷି ଝଡ଼ିଯାଉଛି। ପ୍ରାୟ ଛଅମାସ ହେବ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ବର୍ଷା ନଥିବାରୁ ବଉଳ ଓ ଆମ୍ବକଷି ଶୁଖି ଝଡ଼ିଯାଉଛି। ଏପରି ଅବସ୍ଥା ଲାଗି ରହିଲେ ଏଥର ମଧ୍ୟ ଆମ୍ବ ଉତ୍ପାଦନ ପ୍ରଭାବିତ ହେବ ବୋଲି ଚାଷୀମାନେ କହିଛନ୍ତି।

ଆମ୍ବଚାଷ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ତେଲକୋଇ ଅଞ୍ଚଳର ସ୍ବତନ୍ତ୍ର ପରିଚୟ ରହିଛି। ସ୍ଥାନୀୟ ଅଞ୍ଚଳର ଜଳବାୟୁ ଓ ମାଟି ଆମ୍ବଚାଷ ପାଇଁ ବେଶ୍‌ ଅନୁକୂଳ। ତେଲକୋଇର ମୋଟ ୧୬ ହଜାର ୫୦୦ ହେକ୍ଟର ଚାଷଜମିରୁ ୯ ହଜାର ୫୪୯ ହେକ୍ଟରରେ ଧାନ ଏବଂ ୬ ହଜାର ୯୫୧ହେକ୍ଟର ଜମିରେ ଅର୍ଥକରୀ ଫସଲ କରାଯାଉଛି। ୨୦୩୦ ହେକ୍ଟର ଜମିରେ ଆମ୍ବଚାଷ କରାଯାଇଛି। ଜାତୀୟ ଉଦ୍ୟାନ କୃଷି ମିସନ, ମନରେଗା (ଏବେ ଭିବିଜି ରାମ), ମୃତ୍ତିକା ସଂରକ୍ଷଣ, ବନ ବିଭାଗ, ଆଇଟିଡିଏ, ସ୍ବେଚ୍ଛାସେବୀ ସଂଗଠନ ସାଙ୍ଗକୁ ବ୍ୟକ୍ତିଗତ ପ୍ରଚେଷ୍ଟାରେ ବ୍ୟାପକ ଆମ୍ବବଗିଚା ସୃଷ୍ଟି କରାଯାଇଛି। ତେଲକୋଇ, ଖୁଣ୍ଟାପଡ଼ା, ଛାମୁଣ୍ଡା, ଦେଉଳଡିହା, ଜଗମୋହନପୁର, ଚନ୍ଦ୍ରଶେଖରପୁର, ଦୋବଲାପାଳ, ବିଞ୍ଝବାହାଳ, ସରୁଆଳି, ସିଙ୍କୁଳାବାହାଳ, କଳାପୋଖରୀ, ଲୋକନାଥପୁର, ଜଟ, କତରାପାଲି, ଧନୁର୍ଜୟପୁର, କମଳାଙ୍ଗ, ଆକୁଳ, ଶିରିଗିଡ଼ା, ରାଣୀବେଡ଼ା, ଭୀମକାଣ୍ଡ, ଗୋଳାଗାଡ଼ିଆ, ଉଦୟଗିରିରେ ଏକର ଏକର ଆମ୍ବ ବଗିଚା ରହିଛି।

ତେଲକୋଇ ଅଞ୍ଚଳରୁ କ୍ଷୀରସାଗର, ହେମସାଗର, ଦଶରୀ, ଆମ୍ରପଲ୍ଲୀ, ବାଇଗଣପଲ୍ଲୀ, ତୋଟାପଲ୍ଲୀ, ମିଆଜାକି, ନୁର୍‌ଜାହାନ, ଆରୋଣିକା, ଆଲ୍‌ଫାନ୍‌ସୋ, କଟିମନ, ବାନାନା, ହାପୁସ୍‌ ପ୍ରଭୃତି ଉନ୍ନତ କିସମର ଆମ୍ବ ଉତ୍ପାଦନ ହେଉଛି। ଉତ୍ତରପ୍ରଦେଶ, ଦିଲ୍ଲୀରୁ ବେପାରୀ ଏଠାରେ ଡେରା ପକାଇ ଆମ୍ବ କିଣି ନେଇଥାନ୍ତି। ବିଳମ୍ବରେ ହେଲେ ମଧ୍ୟ ଚଳିତବର୍ଷ ଗଛଗୁଡ଼ିକରେ ଭଲ ବଉଳ ଆସିଥିଲା। ବର୍ଷା ଅଭାବରୁ ବଉଳ ପୋଡ଼ିଯିବା ସହିତ ଗଛରେ ଆମ୍ବକଷି ରହୁନାହିଁ। ଖୁଣ୍ଟାପଡ଼ା ଗ୍ରାମର ଆମ୍ବଚାଷୀ ଗୌରଚନ୍ଦ୍ର ପ୍ରଧାନ କହିଛନ୍ତି, ୨୦୨୪ରେ ସେ ଏକଲକ୍ଷ ଟଙ୍କାର ଆମ୍ବ ବିକ୍ରି କରିଥିଲେ। ଗତଥର ଭଲ ଫଳ ନ ଆସିବାରୁ ମାତ୍ର ୨୫ ହଜାର ଟଙ୍କାର ଆମ୍ବ ବିକ୍ରି କରିଥିଲେ। ସେହିପରି ତେଲକୋଇର ଜିତେନ୍ଦ୍ର କୁମାର ପ୍ରଧାନ କହିଛନ୍ତି, ଚଳିତବର୍ଷ ବର୍ଷା ନ ଥିବାରୁ ଆମ୍ବକଷି ଝଡ଼ିଯାଉଛି। ଔଷଧ ପକାଇଲେ ବି କୌଣସି ପ୍ରଭାବ ପଡୁନି। ଗଛରେ ଫଳ ନରହିଲେ ଏଥର ମଧ୍ୟ  କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏ ଦିଗରେ ଉଦ୍ୟାନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସୌଜନ୍ୟ Prameya News7

Exit mobile version