ରାଜ୍ୟ

CAMPA Funds: ଖର୍ଚ୍ଚ ହୋଇପାରୁନି ‘କାମ୍ପା’ ଅନୁଦାନ: ପଡ଼ିରହିଛି ୨୮.୧୯ କୋଟି

ଜଙ୍ଗଲ ସୁରକ୍ଷା ପାଇଁ କ୍ଷତିପୂରଣମୂଳକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ ପାଣ୍ଠିରୁ ବ୍ୟାପକ ଅର୍ଥ ବିନିଯୋଗ କରାଯାଉଛି। ଶିଳ୍ପାୟନ ଓ ଖଣି ଖନନ ଯୋଗୁ ହ୍ରାସ ପାଉଥିବା ଜଙ୍ଗଲର ଭରଣା ପାଇଁ ଜିଲ୍ଲାରେ ସବୁଜ ସୁନ୍ଦରଗଡ଼ ଅଭିଯାନକୁ ଏହା ମାଧ୍ୟମରେ ଅଧିକ କ୍ରିୟାଶୀଳ କରାଯାଇଛି।

ରାଉରକେଲା (ଦେବବ୍ରତ ଗଡ଼ତିଆ):ଜଙ୍ଗଲ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ କ୍ଷତିପୂରଣମୂଳକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ପାଣ୍ଠିରୁ ବ୍ୟାପକ ଅର୍ଥ ବିନିଯୋଗ କରାଯାଉଛି। ଶିଳ୍ପାୟନ ଓ ଖଣି ଖନନ ଯୋଗୁ ହ୍ରାସ ପାଉଥିବା ଜଙ୍ଗଲର ଭରଣା ପାଇଁ ଜିଲ୍ଲାରେ ସବୁଜ ସୁନ୍ଦରଗଡ଼ ଅଭିଯାନକୁ ଏହା ମାଧ୍ୟମରେ ଅଧିକ କ୍ରିୟାଶୀଳ କରାଯାଇଛି। ଗୋଟିଏପଟେ ବ୍ୟାପକ ବନୀକରଣ ପାଇଁ ଅନୁଦାନ ଆସୁଛି, କିନ୍ତୁ ବିଭାଗୀୟ ଉଦାସୀନତା ଯୋଗୁ ତା’ର ଶତ ପ୍ରତିଶତ ବ୍ୟୟ ହୋଇପାରୁନି। ଫଳରେ ଯୋଜନାର ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରୁନି।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପରିଲକ୍ଷିତ

କାମ୍ପା ଯୋଜନା କାର୍ଯ୍ୟକାରୀ ହେବାପ ପରଠାରୁ ଆଜି ପର୍ଯ୍ୟନ୍ତ, ଅର୍ଥାତ୍‌ ୨୦୧୯-୨୦ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ, ଜିଲ୍ଲାର ତିନି ବନଖଣ୍ଡ ରାଉରକେଲା, ସୁନ୍ଦରଗଡ଼ ଓ ବଣାଇ ବନଖଣ୍ଡ ପାଇଁ ୪୪୩.୦୯ କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୨୪,୭୪୯.୭୧ ହେକ୍ଟର ଜମିରେ ଚାରାରୋପଣ କରାଯାଇଛି। ଏଥିମଧ୍ୟରୁ ୬,୮୨୪.୭୧ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ କରାଯାଇଥିବା ବେଳେ ‘ନେଟ୍ ପ୍ରେଜେଣ୍ଟ ଭାଲ୍ୟୁ’ (ଏନ୍‌ପିଭି) ଅଧୀନରେ ୧୭,୯୨୫.୦୦ ହେକ୍ଟର ଜମିରେ ଅନ୍ୟାନ୍ୟ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସମସ୍ତ ପ୍ରକଳ୍ପ ଜରିଆରେ ଜିଲ୍ଲାରେ ପ୍ରାୟ ୫୮.୯୬ ଲକ୍ଷ ଚାରାରୋପଣ କରାଯାଇଥିଲା। ଏହିକ୍ରମରେ ରାଉରକେଲା ବନଖଣ୍ଡରେ ମୋଟ୍‌ ୮୭୦୯.୯୯ ହେକ୍ଟର ଜମିରେ ୭.୦୧ ଲକ୍ଷ ଚାରାରୋପଣ କରାଯାଇଥିବାବେଳେ ବଣାଇ ବନଖଣ୍ଡରେ ୭୪୧୭.୮୮ ହେକ୍ଟର ଜମିରେ ୧୫.୪୧ ଲକ୍ଷ ଏବଂ ସୁନ୍ଦରଗଡ଼ ବନଖଣ୍ଡରେ ୮୬୨୧.୮୩୮ ହେକ୍ଟର ଜମିରେ ୩୬.୫୪ ଲକ୍ଷ ଚାରାରୋପଣ କରାଯାଇଛି।

ତେବେ ଅର୍ଥ ବିନିଯୋଗ କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପରିଲକ୍ଷିତ ହୁଏ। ବହୁ ପରିମାଣର ଅର୍ଥ ବିନିଯୋଗ ନହୋଇ ପଡ଼ିରହୁଛି। ଏହି ଯୋଜନାରେ ଜିଲ୍ଲାକୁ ୪୪୩.୦୯ କୋଟି ଟଙ୍କା ଅନୁମୋଦିତ ହୋଇଥିଲା। ତେବେ ଏଥିମଧ୍ୟରୁ ୪୧୪.୯୦ କୋଟି ବ୍ୟୟ ହୋଇଥିବା ବେଳେ ପ୍ରାୟ ୨୮.୧୯ କୋଟି ବିନିଯୋଗ ହୋଇପାରିନି। ରାଉରକେଲା ବନଖଣ୍ଡ ପାଇଁ ୧୩୪.୨୧ କୋଟି ଅନୁମୋଦିତ ହୋଇଥିବାବେଳେ ୫.୧୪ କୋଟି ବ୍ୟୟ ହୋଇପାରିନି। ସେହିଭଳି ବଣାଇ ବନଖଣ୍ଡ ପାଇଁ ଅନୁମୋଦିତ ୧୨୮.୬୯ କୋଟି ମଧ୍ୟରୁ ୧୧.୩୨ କୋଟି ଓ ସୁନ୍ଦରଗଡ଼ ବନଖଣ୍ଡ ପାଇଁ ଅନୁମୋଦିତ ୧୬୮.୮୫ କୋଟିରୁ ୧୧.୭୨ କୋଟି ବ୍ୟୟ ହୋଇପାରିନି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button