Camping: ପ୍ରକୃତି କୋଳରେ କ୍ୟାମ୍ପିଂ ଦିଏ ଶାନ୍ତି

ସାଂପ୍ରତିକ ସମୟରେ ମଣିଷ ବ୍ୟସ୍ତ ଓ ଚାପଯୁକ୍ତ ଜୀବନ ଜିଉଁଛି। ଦୈନନ୍ଦିନ କାର୍ଯ୍ୟ, ପାଠପଢ଼ା ଓ କାର୍ଯ୍ୟସ୍ଥଳର ଚାପ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତିରେ ପ୍ରକୃତି ସହ ସମୟ ବିତାଇବା ଏକ ଆବଶ୍ୟକତା ହୋଇଯାଇଛି। କ୍ୟାମ୍ପିଂ ଏମିତି ଏକ ଅନୁଭବ, ଯାହା ଆମକୁ ସହରୀ ଜୀବନର ବ୍ୟସ୍ତତାରୁ ଦୂରେଇ ପ୍ରକୃତିର କୋଳରେ ଶାନ୍ତି ଓ ସତେଜତା ପ୍ରଦାନ କରିଥାଏ। ଏହା କେବଳ ସାମାନ୍ୟ ଭ୍ରମଣ ନୁହେଁ ବରଂ ମନ, ଶରୀର ଓ ଆତ୍ମାକୁ ପୁନରୁଜ୍ଜୀବିତ କରିବାର ଏକ ଉତ୍ତମ ଉପାୟ।
ମାନସିକ ଶାନ୍ତି ମିଳେ: ଅତ୍ୟଧିକ କାମର ଚାପ ଓ ବ୍ୟସ୍ତ ସମୟସୂଚୀ ମଧ୍ୟରେ ଏବେ ଅନେକ ଜୀବନଯାପନ କରୁଛନ୍ତି। ଏହି ପରିସ୍ଥିତିରେ କ୍ୟାମ୍ପିଂ ଏକ ଉତ୍ତମ ପ୍ରାକୃତିକ ଉପାୟ ଯାହା ଚାପ କମାଇବାରେ ସାହାଯ୍ୟ କରେ। ଏହି ସମୟରେ ଲୋକମାନେ ତାଙ୍କର ଦୈନନ୍ଦିନ ବ୍ୟସ୍ତ ଜୀବନରୁ ଦୂରେଇଯାଇ ପ୍ରକୃତି ସହ ସମୟ ବିତାଇଥାନ୍ତି। ଫଳରେ ପ୍ରାକୃତିକ ପରିବେଶ ମନକୁ ଶାନ୍ତି ଓ ଆରାମ ପ୍ରଦାନ କରେ। ଶୁଦ୍ଧ ପବନ ଓ ପ୍ରାକୃତିକ ସତେଜତା: ଆମର ଦୈନନ୍ଦିନ ଜୀବନରେ ଶୁଦ୍ଧ ଓ ସ୍ୱଚ୍ଛ ବାୟୁର ଆବଶ୍ୟକତା ରହିଛି। ଆମେ କ୍ୟାମ୍ପିଂକୁ ଯିବାଦ୍ବାରା ପ୍ରକୃତିର ଶୁଦ୍ଧ ଓ ସୁଗନ୍ଧମୟ ସ୍ପର୍ଶ ଅନୁଭବ କରିପାରୁ। ଗଛଲତା, ମାଟି ଓ ଜଙ୍ଗଲର ନିଜସ୍ୱ ସୁଗନ୍ଧ ମନକୁ ଶାନ୍ତି ଓ ସତେଜତା ଦେଇଥାଏ। ଏହାସହ ଖୋଲା ଆକାଶ ତଳେ ରନ୍ଧାଯାଉଥିବା ଖାଦ୍ୟର ସୁଗନ୍ଧ ମଧ୍ୟ ଏକ ନିଆରା ଆନନ୍ଦ ଦେଇଥାଏ। ଏହି ସବୁ ଅନୁଭବ ଆମକୁ ପ୍ରକୃତି ସହ ଅଧିକ ନିବିଡ଼ କରେ ଏବଂ ମନକୁ ସତେଜ କରେ।
ଶାରୀରିକ ସକ୍ରିୟତା ବୃଦ୍ଧି ପାଏ: କ୍ୟାମ୍ପିଂ ସମୟରେ ଆମ ଶରୀର ଅଧିକ ଚଳନଶୀଳ ହୋଇଯାଏ। ଆମକୁ ସେଠାରେ ନିଜେ ଚାଲିବା, ଦୌଡ଼ିବା ଏବଂ କାମ କରିବାକୁ ପଡ଼େ। ଯଥା ଆମେ ତମ୍ବୁ ବାନ୍ଧିଥାଉ, କାଠ ସଂଗ୍ରହକରୁ ଏବଂ ବାହାରେ ବୁଲାବୁଲି କରୁ ଇତ୍ୟାାଦି। ଏହିସବୁ କାମ ଆମ ଶରୀରକୁ ସକ୍ରିୟ କରେ। ତେଣୁ ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଡିଜିଟାଲ୍ ଯନ୍ତ୍ରଠୁ ଦୂରେଇ ରହିବାର ସୁେଯାଗ: କ୍ୟାମ୍ପିଂ ସମୟରେ ଡିଜିଟାଲ୍ ଯନ୍ତ୍ରଗୁଡ଼ିକୁ ଦୂରେଇ ରଖିବାର ସୁଯୋଗ ମିଳିଥାଏ। ପ୍ରାକୃତିକ ପରିବେଶରେ ଥିବା ସମୟରେ ଲାପ୍ଟପ୍ ଓ ମୋବାଇଲ ଭଳି ଇଲେକ୍ଟ୍ରୋନିକ୍ ଉତ୍ପାଦର ଆବଶ୍ୟକତା ନଥାଏ। ଏହି ସମୟରେ ଲୋକମାନେ ପ୍ରକୃତି ସହ ଅଧିକ ନିକଟତର ହୋଇଯାନ୍ତି ଏବଂ ଇଲେକ୍ଟ୍ରୋନିକ୍ ଯନ୍ତ୍ର ବିନା ଖୁସିରେ ସମୟ ବିତାନ୍ତି।
କ୍ୟାମ୍ପିଂରେ ସୁସ୍ବାଦୁ ଖାଦ୍ୟ: ବାହାରେ କ୍ୟାମ୍ପିଂ ସମୟରେ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ସାଧାରଣତଃ ଘରେ ଖାଉଥିବା ଖାଦ୍ୟଠାରୁ ଅଧିକ ସୁସ୍ୱାଦୁ ଲାଗେ। କ୍ୟାମ୍ପଫାୟାର୍, କ୍ୟାମ୍ପସାଇଟ୍ ଗ୍ରିଲ୍ କିମ୍ବା ଖୋଲା ପରିବେଶରେ ରନ୍ଧାଯାଉଥିବା ଖାଦ୍ୟରେ ଏକ ଅଲଗା ପ୍ରକାରର ଆକର୍ଷଣ ଥାଏ। ବିଶେଷକରି ଖୋଲା ସ୍ଥାନରେ କାଠ ନିଆଁରେ ରନ୍ଧାଯାଇଥିବା ଖାଦ୍ୟଗୁଡ଼ିକ ଅତ୍ୟନ୍ତ ସ୍ବାଦିଷ୍ଠ ହୋଇଥାଏ।
ସୌଜନ୍ୟ ସମ୍ବାଦ




