Environmental warrior: ପରିବେଶ ଯୋଦ୍ଧା: ସବୁଜ ସ୍ୱପ୍ନକୁ ସାକାର କରୁଛନ୍ତି ଟୁକୁନା

ଗ୍ରାମର ବଡ଼ମାନେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ଦେଖି ତାଙ୍କ ମନରେ ମଧ୍ୟ ପ୍ରକୃତି ପାଇଁ କିଛି କରିବାର ଇଚ୍ଛା ଜନ୍ମ ନେଇଥିଲା। ଅନ୍ୟମାନଙ୍କଠାରୁ ପ୍ରେରଣା ପାଇ ସେ ପରିବେଶ ସୁରକ୍ଷା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ନୂଆଗଡ଼ ଗ୍ରାମର ୩୬ ବର୍ଷୀୟ ଟୁକୁନା ପ୍ରଧାନ। ପ୍ରାୟ ଦଶ ବର୍ଷ ଧରି ଟୁକୁନା ପରିବେଶ ସୁରକ୍ଷା ପାଇଁ ନିରନ୍ତର ଭାବେ କାମ କରୁଛନ୍ତି। ସେ ପ୍ରଥମେ ବୃକ୍ଷରୋପଣ ମାଧ୍ୟମରେ ପରିବେଶ ଯାତ୍ରା ଆରମ୍ଭ କରିଥିଲେ। ଗଛ ଲଗାଇବା ସହ ସେ ଲୋକମାନଙ୍କୁ ପ୍ରକୃତିର ମୂଲ୍ୟ ବୁଝାଇବାକୁ ଲାଗିଛନ୍ତି। ୨୦୧୭ ମସିହାରେ ସେ ‘ଜୀବନ ଦ୍ୟୁତି ଏଜୁକେଶ୍ନାଲ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ୍’ ଗଠନ କରି ଅନେକ ଯୁବକ ଓ ସାଧାରଣ ଲୋକଙ୍କୁ ସାଙ୍ଗରେ ନେଇ ପରିବେଶ ସୁରକ୍ଷାର ଅଭିଯାନକୁ ଆଗକୁ ବଢ଼ାଇଛନ୍ତି।
ଟୁକୁନା ଏପର୍ଯ୍ୟନ୍ତ ପଚିଶ ହଜାରରୁ ଅଧିକ ଗଛ ରୋପଣ କରିଛନ୍ତି। ଗ୍ରାମ ନିକଟରେ ଥିବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କରି ସେ ସେହି ଶୁଷ୍କ ଅଞ୍ଚଳକୁ ସବୁଜ ଓ ସୁନ୍ଦର କରିପାରିଛନ୍ତି। ସେ କେବଳ ଗଛ ଲଗାଇବାରେ ଅଟକିଯାଇ ନାହାନ୍ତି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ମଧ୍ୟ ସେ ନିରନ୍ତର ସଚେତନତା କାର୍ଯ୍ୟ କରୁଛନ୍ତି। ହରିଣ ସୁରକ୍ଷା ଓ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ସେ ତାଙ୍କ ଟ୍ରଷ୍ଟ୍ର ସଦସ୍ୟମାନଙ୍କ ସହ ମିଶି ବିଦ୍ୟାଳୟ ଓ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ପିଲାମାନଙ୍କୁ ପଲିଥିନ୍ ବ୍ୟବହାର ନକରିବା ଓ ରାସ୍ତାଘାଟକୁ ସଫା ରଖିବାର ବାର୍ତ୍ତା ଦେଉଛନ୍ତି। ନିଜ ଅଞ୍ଚଳର ଶାଳିଆ ଡ୍ୟାମ୍କୁ ସଫା ଓ ସୁରକ୍ଷିତ ରଖିବା ପାଇଁ ସେ ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି।
ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ସ୍ଥାନ ସଫା ରଖିବାକୁ ସଚେତନ କରିବା ସହ ଲୋକମାନଙ୍କ ସହଯୋଗରେ ‘ଶାଳିଆ ଡ୍ୟାମ୍ ସଫେଇ’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏହାସହ ସେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରୁଛନ୍ତି। ପରିବେଶ ପାଇଁ ଅବଦାନ ଲାଗି ୨୦୨୫ ମସିହାରେ ସେ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ସମ୍ମାନ ତାଙ୍କୁ ଆହୁରି ଉତ୍ସାହିତ କରିଛି। ଆଗାମୀ ଦିନରେ ସେ ତମାଖୁ ଓ ଧୂମପାନର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛନ୍ତି। ଗାଁର ଯୁବକ ଓ ବୃଦ୍ଧମାନଙ୍କୁ ଏକାଠି କରି ସେ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଚାହୁଛନ୍ତି।




