Consumers are buying more gas out of fear: ଭୟରେ ଅଧିକ ଗ୍ୟାସ୍ କିଣୁଛନ୍ତି ଗ୍ରାହକ:ଦୈନିକ ୭୫.୭ ଲକ୍ଷ ବୁକିଂ:ଯୁଦ୍ଧ ପୂର୍ବରୁ ଥିଲା ୫୫.୭ ଲକ୍ଷ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଘରୋଇ ଏଲ୍ପିଜି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସରକାର ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଉପରେ କଟକଣା ଲଗାଇଛନ୍ତି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଘରୋଇ ଏଲ୍ପିଜି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସରକାର ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଏଭଳି ସମୟରେ ସରକାର ଆଜି କହିଛନ୍ତି ଯୁଦ୍ଧ କାରଣରୁ ଏଲ୍ପିଜି ନପାଇବା ଆଶଙ୍କା ଗ୍ରାହକଙ୍କ ମନରେ ଦେଖାଦେଇଛି। ଏଥିପାଇଁ ସେମାନେ ଅଧିକ ସଂଖ୍ୟାରେ ଏଲ୍ପିଜି ବୁକିଂ କରୁଛନ୍ତି।
ଭୟରେ ଏଲ୍ପିଜି ବୁକିଂ ନକରିବା ପାଇଁ ଲୋକଙ୍କୁ ସରକାର କହିଛନ୍ତି। ଆବଶ୍ୟକତା ଥିଲେ ବୁକିଂ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପରିବାରଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଏଲ୍ପିଜି ଯୋଗାଣକୁ ନିଶ୍ଚିତ କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି। ତେବେ ପିଏନ୍ଜି ସୁବିଧା ଥିବା ଅଞ୍ଚଳରେ ବସବାସ କରୁଥିବା ପରିବାରଗୁଡ଼ିକ ଏହାର ସଂଯୋଗ ନେବା ପାଇଁ ସରକାର କହିଛନ୍ତି। ଏଥିସହିତ ପୁଲିସ ଓ ରାଜ୍ୟ ସରକାରଙ୍କ ସହଯୋଗରେ କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସରକାର କହିଛନ୍ତି।
ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚଳିତବର୍ଷ ଏପ୍ରିଲରୁ ଫେବ୍ରୁଆରି ମଧ୍ୟରେ ଦୈନିକ ୫୫.୭ ଲକ୍ଷ ସିଲିଣ୍ଡର ବୁକିଂ ହେଉଥିଲା। କିନ୍ତୁ ଯୁଦ୍ଧ ପରେ ଏହା ୩୫ ପ୍ରତିଶତ ବୃଦ୍ଧି ପାଇ ମାର୍ଚ୍ଚ ୧୨ ତାରିଖରେ ୭୫.୭ ଲକ୍ଷରେ ପହଞ୍ଚିଛି। ଗୁଜବ ଏବଂ ମିଛ ସମ୍ବାଦ ପାଇଁ ଲୋକମାନେ ଭୟରେ ଗ୍ୟାସ ବୁକିଂ କରୁଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରାୟ ୬୦ ଲକ୍ଷ ଏଲ୍ପିଜି ବ୍ୟବହାର କରୁଥିବା ପରିବାର ଅଛନ୍ତି ଯେଉଁମାନଙ୍କ ଘର ନିକଟରେ ପିଏନ୍ଜି ସଂଯୋଗ ସୁବିଧା ରହିଛି। କିନ୍ତୁ ସେମାନେ ଏହାର ଉପଯୋଗ କରୁନାହାନ୍ତି। ପିଏନ୍ଜି ସଂଯୋଗ ନେଲେ ଏଲ୍ପିଜି ଯୋଗାଣ ଉପରୁ ଚାପ କମିବ। ଦେଶରେ ୩୩.୪ କୋଟି ପରିବାର ଏଲ୍ପିଜି ସଂଯୋଗ ନେଇଥିବାବେଳେ ମାତ୍ର ୧.୫ କୋଟି ପରିବାର ପାଇପ୍ ଯୋଗେ ଗ୍ୟାସ ସଂଯୋଗ ନେଇଛନ୍ତି।
ସୌଜନ୍ୟ ସମ୍ବାଦ




