ରାଜ୍ୟ

Chain snatching : ୮ ମାସରେ ରାଜ୍ୟରେ ୩୮୬ ମହିଳାଙ୍କଠୁ ସୁନା ଚେନ୍‌ ଲୁଟ୍‌, ଭୁବନେଶ୍ୱର ୟୁପିଡିରୁ କେବଳ ୧୧୫ ଚୋରି

ଭୁବନେଶ୍ୱର, ୩୦/୯ : ରାଜ୍ୟରେ ଦିନକୁ ଦିନ ସୁନା ଚେନ୍‌ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ଅଭିଯୋଗ ହେଉଛି । ପୁଲିସ୍‌ ମାମଲା ରୁଜୁ କରୁଛି । ଗତ ୮ ମାସରେ(ଜାନୁଆରୀରୁ ଅଗଷ୍ଟ) ଲୁଟେରାମାନେ ସାରା ରାଜ୍ୟରୁ କେବଳ ମହିଳାଙ୍କଠୁ ୩୮୬ଟି ସୁନା ଝାମ୍ପି ନେଇଛନ୍ତି । ସୁନାଚେନ୍‌ ଲୁଟ୍‌ ରୋକିବା ଏବଂ ଲୁଟେରାଙ୍କୁ ଧରିବା ଆଉ ସୁନା ଚେନ୍‌ ଜବତ କରିବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ପୁଲିସ । ସବୁଠାରୁ ଅଧିକ ସୁନାଚେନ୍‌ ଲୁଟ୍‌ ହୋଇଛି ଭୁବନେଶ୍ୱର ୟୁପିଡ଼ିରୁ । ଓଡ଼ିଶା ପୁଲିସ ମୋଟ ୬୬ଟି ସୁନା ଚେନ୍‌ ଜବତ କରିବାରେ ସକ୍ଷମ ହୋଇଛି ।

ଏସ୍‌ସିଆରବିର ପୁଲିସ୍‌ର ରିପୋର୍ଟ କହୁଛି, ୨୦୨୬ ଜାନୁଆରୀ ୧ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ଶହ ଶହ ମହିଳା ସୁନା ଚେନ୍‌ ଲୁଟ୍‌ର ଶିକାର ହୋଇଛନ୍ତି । ତେବେ ତାହା ମଧ୍ୟରେ ୩୮୬ଟି ଲିଖିତ ସୁନା ଚେନ୍‌ ଲୁଟ୍‌ ନେଇ ଅଭିଯୋଗ ହୋଇଥିଲା । କେଉଁ ମହିଳା ଫୁଲ ତୋଳୁଥିବା ସମୟରେ ଲୁଟ୍‌ର ଶିକାର ହୋଇଥିଲେ ଆଉ କିଏ ସ୍ୱାମୀ କି ସମ୍ପର୍କୀୟ ସହିତ ଦୁଇ ଚକିଆ ପଛରେ ବସି ଯିବା ବେଳେ । ସର୍ବାଧିକ ସୁନା ଚେନ୍‌ ଲୁଟ୍‌ ରାଜଧାନୀ ଭୁବନେଶ୍ୱର ୟୁପିଡିରେ ଅଭିଯୋଗ ହୋଇଛି । ଭୁବନେଶ୍ୱରେ ୮ ମାସ ମଧ୍ୟରେ ୧୧୫ ଜଣ ମହିଳାଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ପୁଲିସ୍‌ ମାତ୍ର ୨୫ଟି ସୁନା ଚେନ୍‌ ଜବତ କରିବାରେ ସକ୍ଷମ ହୋଇଛି ।

ସେହିପରି ଦ୍ୱିତୀୟରେ ରହିଛି ବାଲେଶ୍ୱର ପୁଲିସ୍‌ ଜିଲ୍ଲା । ଏହି ଜିଲ୍ଲାରେ ୩୮ଟି ସୁନାଚେନ୍‌ ଲୁଟ୍‌ ମାମଲା ରୁଜୁ ହୋଇଛି । ମାତ୍ର ୬ଟି ମାମଲାରେ ପୁଲିସ୍‌କୁ ସଫଳତା ମିଳିଛି । ତୃତୀୟରେ ଯାଜପୁର ଜିଲ୍ଲାରେ ୨୪ ସୁନା ଚେନ୍‌ ଲୁଟ୍‌ ହୋଇଥିଲା । ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରି ମାତ୍ର ୯ଟି ସୁନା ଚେନ୍‌ ଜବତ କରିଛି । ଦେବଗଡ଼ ଓ ବୌଦ୍ଧ ଜିଲ୍ଲାରେ ସୁନା ଚେନ୍‌ ଲୁଟ୍‌ ମାମଲା ରୁଜୁ ହୋଇନାହିଁ । ଅନୁଗୋଳ ପୁଲିସ ଜିଲ୍ଲାରେ ୯ଟି ସୁନା ଚେନ୍‌ ଲୁଟ୍‌, ବରଗଡ଼ ଜିଲ୍ଲାରୁ ୪ଟି, ବ୍ରହ୍ମପୁର ପୁଲିସ୍‌ ଜିଲ୍ଲାରୁ ୮ଟି, ଭଦ୍ରକରୁ ୧୯ଟି, କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରୁ ୧୧ଟି, କଟକ ୟୁପିଡିରୁ ୨୩ଟି, ଢେଙ୍କାନାଳରୁ ୧୩ଟି, ଗଞ୍ଜାମରୁ ୮ଟି, ଜିଆରପି କଟକ-ରାଉରକେଲାରୁ ୨୬ଟି, ଜଗତସିଂହପୁରରୁ ୧ଟି, ଝାରସୁଗୁଡ଼ାରୁ ୩ଟି, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୬ଟି, କେନ୍ଦୁଝରରୁ ୮ଟି, ଖେର୍ଦ୍ଧାରୁ ୮ଟି, କୋରାପୁଟରୁ ୮ଟି, ମାଲକାନାଗିରିରୁ ୩ଟି, ମୟୂରଭଞ୍ଜରୁ ୯ଟି, ନବରଙ୍ଗପୁରରୁ ୧ଟି, ନୟାଗଡ଼ରୁ ୩ଟି, ପୁରୀରୁ ୧୪ଟି, ରାୟଗଡ଼ରୁ ୧ଟି, ରାଉରକେଲାରୁ ୪ଟି, ସମ୍ବଲପୁରରରୁ ୭ଟି, ସୁବର୍ଣ୍ଣପୁରରୁ ୨ଟି, ସୁନ୍ଦରଗଡ଼ରୁ ୫ଟି ଓ ବଲାଙ୍ଗିର ପୁଲିସ୍‌ ଜିଲ୍ଲାରୁ ଲୁଟେର ୪ ଜଣ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button