ଅଦିତି- ଦେବମାତା। ‘ଦିତି’ର ଅର୍ଥ– ଯାହାର କୌଣସି ଦିତି ବା ସୀମା ନାହିଁ। ତାଙ୍କର ପୁତ୍ର- ଆଦିତ୍ୟ। ସେ ଦ୍ବାଦଶ-ଆଦିତ୍ୟଙ୍କର ମାତା। ଋଗ୍ବେଦ ଅନୁସାରେ, ସେ ହେଉଛନ୍ତି ମୂଳ ପ୍ରକୃତି। ଦକ୍ଷ ପ୍ରଜାପତିଙ୍କର ଯେଉଁ ଷାଠିଏ କନ୍ୟା ଥିଲେ, ସେମାନଙ୍କ ମଧ୍ୟରେ ଅଦିତି ଜ୍ୟେଷ୍ଠା। ସେ ମହର୍ଷି କାଶ୍ୟପଙ୍କୁ ବିବାହ କରିଥିଲେ। ମହର୍ଷି କାଶ୍ୟପ ଓ ଅଦିତିଙ୍କଠାରୁ ଏକାଦଶ ରୁଦ୍ର ଓ ଦ୍ବାଦଶ ଆଦିତ୍ୟ, ବିବସ୍ବାନ, ଅର୍ଯମା, ପୁଷ, ତ୍ବଷ୍ଟା, ସବିତୃ, ଭଗ, ଧାତା, ବରୁଣ, ମିତ୍ର, ଶକ୍ର ଆଦି ଜନ୍ମ ଗ୍ରହଣ କରିଥିଲେ।
ଏକଦା ମାତା ‘ଦିତି’ଙ୍କର ପୁତ୍ର ଦୈତ୍ୟମାନେ ଦେବରାଜ ଇନ୍ଦ୍ରଙ୍କୁ ପରାଜିତ କରି ତାଙ୍କଠାରୁ ସ୍ବର୍ଗଲୋକ ଛଡ଼ାଇ ନେଲେ। ଏଥିରେ ଦୁଃଖିତ ହୋଇ ଏକ ବିକ୍ରମୀ ପୁତ୍ର ପ୍ରାପ୍ତି ନିମିତ୍ତ ମାତା ଅଦିତି ସହସ୍ରବର୍ଷ ଧରି ତପସ୍ୟା କରି ମାର୍ତ୍ତଣ୍ଡଙ୍କୁ ପୁତ୍ର ରୂପରେ ପ୍ରାପ୍ତ ହେଲେ। ସେହି ମାର୍ତ୍ତଣ୍ଡ ଯୁଦ୍ଧରେ ଦାନବମାନଙ୍କୁ ପରାଜିତ କରି ଇନ୍ଦ୍ରଙ୍କୁ ଦେବଲୋକ ପ୍ରଦାନ କରିଥିଲେ।
କୁରୁକ୍ଷେତ୍ରଠାରୁ ପ୍ରାୟ ୯ କି.ମି. ଦୂରରେ ରହିଛି ଅଦିତିକ୍ଷେତ୍ର ବା ଅଦିତିବନ। ଏଠାରେ ଏକ କୁଣ୍ଡ ରହିଛି, ଯାହାକୁ ସୂର୍ଯ୍ୟକୁଣ୍ଡ କୁହାଯାଏ। କଥିତ ଅଛି, ସୂର୍ଯ୍ୟ ବା (ମାର୍ତ୍ତଣ୍ଡ)ଙ୍କୁ ପୁତ୍ର ରୂପେ ପାଇବାପାଇଁ ଏହି ସ୍ଥାନରେ ଅଦିତି ହଜାରେ ବର୍ଷ ଧରି ତପସ୍ୟା କରିଥିଲେ। ତେଣୁ ଶକ୍ତିଶାଳୀ ମାର୍ତ୍ତଣ୍ଡ ଜନ୍ମ ଗ୍ରହଣ କରିଥିଲେ। ତେଣୁ ସ୍ତ୍ରୀ ଲୋକମାନେ ଶୌର୍ଯ୍ୟଶାଳୀ ପୁତ୍ର ଲାଭ ପାଇଁ ସୂର୍ଯ୍ୟକୁଣ୍ଡରେ ସ୍ନାନ କରି ଦେବୀ ଅଦିତିଙ୍କୁ ପୂଜନ କରିଥାନ୍ତି।
ଦେବମାତା ଅଦିତି ଏକଦା ଭଗବାନ ବିଷ୍ଣୁଙ୍କୁ ପୁତ୍ର ରୂପରେ ପାଇବାପାଇଁ ବହୁସହସ୍ର ବର୍ଷ ଧରି ତପସ୍ୟା କରିଥିଲେ। ଫଳରେ ତାଙ୍କଠାରୁ ସତ୍ୟଯୁଗରେ ବାମନ, ତ୍ରେତୟା ଯୁଗରେ ଶ୍ରୀରାମ ତଥା ଦ୍ବାପର ଯୁଗରେ ଶ୍ରୀବିଷ୍ଣୁ କୃଷ୍ଣ ରୂପରେ ଜନ୍ମଗ୍ରହଣ କରିଥିଲେ। ପୁରାଣ ପ୍ରସଙ୍ଗ ଅନୁସାରେ, ଶ୍ରୀରାମଙ୍କ ମାତା କୌଶଲ୍ୟା ଓ ଶ୍ରୀକୃଷ୍ଣଙ୍କ ମାତା ଦେବକୀ ଅଦିତିଙ୍କର ହିଁ ସ୍ବରୂପ।
ମହର୍ଷି କାଶ୍ୟପଙ୍କର ପ୍ରିୟତମା ପତ୍ନୀ ଥିଲେ ଅଦିତି। ସର୍ବଦା ଅଦିତିଙ୍କୁ ଅନନ୍ତ ସୌଭାଗ୍ୟ ଓ ଅନନ୍ତ ଯୌବନ ପ୍ରଦାନ କରିବା ଉଦ୍ଦେଶ୍ୟରେ କାଶ୍ୟପ ମହାତରୁ ପାରିଜାତକୁ ସୃଷ୍ଟି କରିଥିଲେ। ପରବର୍ତ୍ତୀ କାଳରେ ଅଦିତି ଏହାକୁ ଇନ୍ଦ୍ରପତ୍ନୀ ଶଚୀଙ୍କୁ ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣ ପାରିଜାତକ୍କୁ ମର୍ତ୍ତ୍ୟଲୋକକୁ ଆଣିଥିଲେ।
ସୌଜନ୍ୟ ସମ୍ବାଦ
