Child Nutrition Scheme: ଶିଶୁ ପୁଷ୍ଟିକର ଯୋଜନାର ଗୁମର: ଡିଏମ୍ଏଫ୍ର ୨୦ କୋଟି ସାରିଦେଲେ, ୪ ବର୍ଷ ପରେ କହୁଛନ୍ତି ସ୍ପିରୁଲିନା ଚିକିରୁ ମିଳିଲାନି ସୁଫଳ
ଶିଶୁଙ୍କ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବାକୁ ପ୍ରଚୁର ପୋଷକତତ୍ତ୍ବ ଥିବା ପ୍ରାକୃତିକ ନୀଳ-ସବୁଜ ଶୈବାଳ (ସ୍ପିରୁଲିନା)ରୁ ପ୍ରସ୍ତୁତ ଚିକି ଉପରେ ଭରସା କରିଥିଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ।

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଶିଶୁଙ୍କ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବାକୁ ପ୍ରଚୁର ପୋଷକତତ୍ତ୍ବ ଥିବା ପ୍ରାକୃତିକ ନୀଳ-ସବୁଜ ଶୈବାଳ (ସ୍ପିରୁଲିନା)ରୁ ପ୍ରସ୍ତୁତ ଚିକି ଉପରେ ଭରସା କରିଥିଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଏହି ଲକ୍ଷ୍ୟରେ ୨୦୨୨ ଜାନୁଆରିରୁ ଆରମ୍ଭ ହୋଇଥିଲା ସ୍ପିରୁଲିନା ଚିକି ପ୍ରକଳ୍ପ। ୪ ବର୍ଷ ଧରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଏବେ ପ୍ରଶାସନ କହୁଛି ଯୋଜନାରୁ ଆଶାନୁରୂପ ସୁଫଳ ମିଳିଲାନି। ଫଳରେ ଚଳିତ ସେପ୍ଟେମ୍ବର ୧୧ରୁ ପ୍ରକଳ୍ପକୁ ବନ୍ଦ ଘୋଷଣା କରାଯାଇଛି। ଏହାକୁ ନେଇ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଛି ଯେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ପଥଦର୍ଶୀ ପ୍ରକଳ୍ପ ବା ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ଏହାର ଫଳ ପରଖାଗଲା ନାହିଁ କାହିଁକି?
ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁଙ୍କୁ ୨ଟି ବର୍ଗରେ ସୁଜି, ଚୁଡ଼ା, ଗଜାମୁଗ, ମାଣ୍ଡିଆ ଲଡ଼ୁ, ଛତୁଆ, ସୁଜି, ଅଣ୍ଡା ଆଦି ପୁଷ୍ଟିକର ଖାଦ୍ୟ ଦେବାର ବ୍ୟବସ୍ଥା ସରକାର କରିଛନ୍ତି। ତଥାପି ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଶିଶୁ ଅପପୁଷ୍ଟି ଓ ଅତିଶୟ ଅପପୁଷ୍ଟି ଭୋଗୁଥିବାରୁ ୨୦୨୨ ଜାନୁଆରିରୁ ଡିଏମ୍ଏଫ୍ ଅର୍ଥରେ ସ୍ପିରୁଲିନା ଚିକି ପ୍ରକଳ୍ପ ଆରମ୍ଭ ହୋଇଥିଲା। ତଥ୍ୟ ଅନୁସାରେ, ଜିଲ୍ଲାର ୨୧ଟି ସମନ୍ବିତ ଶିଶୁ ବିକାଶ ଯୋଜନାର ଅଙ୍ଗନବାଡ଼ି ଓ ୧୩ଟି ଶିଶୁ ଯତ୍ନ କେନ୍ଦ୍ର (ସିସିଆଇ)ରେ ଥିବା ୭୬୧୮୦ ଶିଶୁଙ୍କୁ ପ୍ରତି ମାସରେ ୧୮୬୬୭୮୫ ସ୍ପିରୁଲିନା ଚିକି ଦିଆଯାଉଥିଲା। ଜିଲ୍ଲାର ୫ଟି ସ୍ବୟଂ ସହାୟିକା ଗୋଷ୍ଠୀ ଏହାର ପ୍ରସ୍ତୁତି ଓ ବିତରଣ ଦାୟିତ୍ବ ନେଇଥିଲେ। କର୍ଣ୍ଣାଟକର ଏକ କମ୍ପାନି କ୍ବିଣ୍ଟାଲ ପ୍ରତି ୯୨ ହଜାର ଟଙ୍କା ମୂଲ୍ୟରେ ସ୍ପିରୁଲିନା ଯୋଗାଇ ଦେଉଥିଲେ। ସେଥିରେ ଚିନାବାଦାମ ଓ ଗୁଡ଼ ମିଶାଇ ଚିକି ପ୍ରସ୍ତୁତ କରାଯାଉଥିଲା। ରାଉରକେଲା ଗୋଲଘର ମା’ତାରିଣୀ ଏସ୍ଏଚ୍ଜି ରାଉରକେଲା ସହର, ରାଉରକେଲା ଶିଳ୍ପାଞ୍ଚଳ, ରାଉରକେଲା ସିଭିଲ ଟାଉନସିପ୍, ବିଶ୍ରା ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ୭ଟି ଶିଶୁ ଯତ୍ନ କେନ୍ଦ୍ରର ୧୪୮୯୨ ଶିଶୁଙ୍କୁ ଚିକି ଯୋଗାଇ ଦେଉଥିଲେ।
ସୌଜନ୍ୟ ସମ୍ବାଦ




