ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ୧୨ଟି ସହରରେ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ବିଦ୍ରୋହୀମାନେ ପ୍ରଦେଶର ୧୨ଟି ସହରରେ ସମନ୍ବିତ ଆକ୍ରମଣ ଆରମ୍ଭ କରିବା ପରେ ସେନା ପକ୍ଷରୁ ବିଦ୍ରୋହୀଙ୍କୁ ନିପାତ କରିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଆକ୍ରମଣ ପଛରେ ଥିବା ବିଚ୍ଛିନ୍ନତାବାଦୀଙ୍କୁ ଖୋଜିବା ଜାରି ରଖିଛି ଏବଂ ୨୦ରୁ ଅଧିକ ସ୍ଥାନରେ ଗୁଳି ବିନିମୟ ଚାଲିଛି। ବିଦ୍ରୋହୀଙ୍କ ଆକ୍ରମଣ ପଛରେ ଭାରତର ହାତ ଥିବା ଇସଲାମାବାଦ ଗତକାଲି ଅଭିଯୋଗ କରିଥିବା ବେଳେ ନୂଆଦିଲ୍ଲୀ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପାକିସ୍ତାନୀ ସେନା ଓ ବିଦ୍ରୋହୀଙ୍କ ଭିତରେ ଗୁଳିବିନିମୟରେ ଦୁଇ ଦିନ ମଧ୍ୟରେ ବଲୋଚ ବିଦ୍ରୋହୀ, ସାଧାରଣ ନାଗରିକ ଓ ସୁରକ୍ଷା ବାହିନୀଙ୍କ ସମେତ ୨୦୦ରୁ ଅଧିକ ଲୋକ ନିହତ ହୋଇଛନ୍ତି।
ବଲୁଚିସ୍ତାନ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଦ୍ରୋହୀମାନେ ବ୍ୟାଙ୍କ, ଜେଲ୍, ପୁଲିସ୍ ଷ୍ଟେସନ୍ ଓ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଅତି କମ୍ରେ ୩୧ ଜଣ ସାଧାରଣ ନାଗରିକ ଓ ୧୭ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ ସୈନ୍ୟମାନେ କମ୍ବିଂ ଅପରେସନ ଚଳାଇଛନ୍ତି। ଏଥିରେ ୧୫୦ରୁ ଅଧିକ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛନ୍ତି ବୋଲି ସେ କହିଛନ୍ତି। ଗତ ଦୁଇ ଦିନ ଧରି ସମଗ୍ର ପ୍ରଦେଶରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବା ବେଳେ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି। ସଡ଼କ ଯାତାୟାତ ବ୍ୟାହତ ହୋଇଛି ଓ ରେଳ ସେବା ସ୍ଥଗିତ ରହିଛି।
ଭାରତ ବିଭାଜନ କରିବା ପରେ ପାକିସ୍ତାନ ସୃଷ୍ଟି ହେବା ଦିନଠାରୁ ବଲୋଚ ବିଚ୍ଛିନ୍ନତାବାଦୀଙ୍କ ବିଦ୍ରୋହ ଅନେକ ଦଶନ୍ଧି ଧରି ଚାଲିଆସୁଛି। ବଲୋଚ ଗୋଷ୍ଠୀ ଦାବି କରନ୍ତି ଯେ ପାକିସ୍ତାନରେ ସେମାନଙ୍କ ସଂସ୍କୃତି, ଭାଷା ଓ ଜାତିକୁ ସମ୍ମାନ ଦିଆଯାଏ ନାହିଁ। ଏହି ଗୋଷ୍ଠୀଗୁଡ଼ିକ ଆଫଗାନିସ୍ତାନ ଓ ଇରାନ ସୀମାବର୍ତ୍ତୀ ଖଣିଜ ସମୃଦ୍ଧ ପ୍ରଦେଶରେ ସୁରକ୍ଷା ବାହିନୀ ଓ ବେଳେବେଳେ ବିଦେଶୀ ନାଗରିକଙ୍କ ଉପରେ ସଶସ୍ତ୍ର ଆକ୍ରମଣ କରନ୍ତି। ପାକିସ୍ତାନର ସବୁଠାରୁ ଗରିବ ପ୍ରଦେଶ ତଥା ଭୂଭାଗ ଦୃଷ୍ଟିରୁ ବୃହତ୍ ବଲୁଚିସ୍ତାନ ଶିକ୍ଷା, ନିଯୁକ୍ତି ଓ ଅର୍ଥନୈତିକ ବିକାଶ ସମେତ ପ୍ରାୟ ପ୍ରତ୍ୟେକ ସୂଚକାଙ୍କରେ ଦେଶର ଅନ୍ୟ ଅଞ୍ଚଳଠାରୁ ପଛରେ ରହିଛି। ଆମେରିକା ଦ୍ବାରା ଆତଙ୍କବାଦୀ ସଂଗଠନ ଭାବରେ ନାମିତ ଏହି ଗୋଷ୍ଠୀ କହିଛି ଯେ ବନ୍ଧୁକ ଆକ୍ରମଣ ଓ ଆତ୍ମଘାତୀ ବିସ୍ଫୋରଣରେ ଏହା ସାମରିକ ପ୍ରତିଷ୍ଠାନ ତଥା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରିଛି।
ପାକିସ୍ତାନ ସରକାର ସ୍ଥାନୀୟ ଜନସଂଖ୍ୟାକୁ ଉପକୃତ ନ କରି ପ୍ରଦେଶର ପ୍ରାକୃତିକ ଗ୍ୟାସ୍ ଓ ଖଣିଜ ସମ୍ପଦର ଶୋଷଣ କରୁଛନ୍ତି ବୋଲି ବଲୋଚ ବିଚ୍ଛିନ୍ନତାବାଦୀ ନେତାମାନେ ଅଭିଯୋଗ କରିଛନ୍ତି । ବିଏଲ୍ଏ ନିକଟ ଅତୀତରେ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ତଥା ବିଦେଶୀ ସଂସ୍ଥା ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତବର୍ଷ ବିଚ୍ଛିନ୍ନତାବାଦୀମାନେ ୪୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ରେଳ ଉପରେ ଆକ୍ରମଣ କରିଥିଲେ।
ସୌଜନ୍ୟ ସମ୍ବାଦ
