Climate Panchayat: କୋରେଇ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ
ଯାଜପୁରର କୋରେଇ ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ସବୁଜ ଓ ପ୍ରଦୂଷଣମୁକ୍ତ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା।

କୋରେଇ(ମନୋଜ କୁମାର): ବର୍ଷାଋତୁରେ ଠିକ୍ ଭାବେ ବର୍ଷା ହେଉନାହିଁ। ଖରାଦିନେ ମଧ୍ୟ ଏମିତି ଖରା କେବେ ଅନୁଭୂତ ହୁଏନାହିଁ। ଜଳବାୟୁ ତଥା ପରିବେଶ ସମ୍ପୂର୍ଣ୍ଣ ବିଗିଡ଼ି ଗଲାଣି। ମାଟି, ପାଣି, ପବନରେ ପ୍ରଦୂଷଣର ମାତ୍ରା ଶିଖରରେ ପହଞ୍ଚି ସାରିଲାଣି। ଏହାର ଭୟଙ୍କର ପ୍ରଭାବ ଜୀବଜବତ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ତେଣୁ ପରିବେଶ ସୁରକ୍ଷା ପ୍ରସଙ୍ଗରେ କେବଳ ସରକାର କିମ୍ବା କୌଣସି ରାଜନୈତିକ ଦଳ, ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂଗଠନଗୁଡ଼ିକ ଚିନ୍ତା କଲେ ହେବନାହିଁ, ଏନେଇ ସାମୂହିକ ଭାବେ ସମସ୍ତେ ଚିନ୍ତାଶୀଳ ହେବା ଆବଶ୍ୟକ। ପରିବେଶକୁ ସବୁଜସୁନ୍ଦର କରି ଏକ ପୁନଶ୍ଚ ପୃଥିବୀର ପରିକଳ୍ପନା ଦିଗରେ ସମସ୍ତେ ଆଗକୁ ଆସିବା ଦରକାର ବୋଲି ‘ସମ୍ବାଦ’ ପକ୍ଷରୁ ଗତକାଲି (ରବିବାର) ପୂର୍ବାହ୍ଣରେ ଯାଜପୁରଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମଣ ପଞ୍ଚାୟତର ମା’ ହିଙ୍ଗୁଳାପୀଠରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ।
/filters:format(webp)/sambad/media/media_files/2026/06/08/korei-climate-panchayat2-2026-06-08-21-02-34.jpeg)
ଏକ ସୁସ୍ଥ ସବୁଜ ପରିବେଶ ସୃଷ୍ଟି କରିବାକୁ ହେଲେ ଗଛକୁ ବଞ୍ଚାଇବାକୁ ହେବ, ଜଳବାୟୁକୁ ସୁରକ୍ଷିତ କରିବାକୁ ପଡ଼ିବ, ପ୍ରାକୃତିକ ପଦ୍ଧତିରେ ଚାଷ କରି ମାଟିର ଉର୍ବରତା ବଜାୟ ରଖିବା ଲାଗି କୃଷକଙ୍କୁ ସଚେତନ କରିବାକୁ ପଡ଼ିବ। ପରିବେଶ ବିଗିଡ଼ି ଯାଇଥିବାରୁ ପ୍ରକୃତି ଉପରେ ଏହାର କୁପ୍ରଭାବ ପଡ଼ିଛି। ଜୀବଜନ୍ତୁଠୁଁ ଆରମ୍ଭ କରି ମଣିଷ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି। ଏଣୁ ବିକାଶ ପ୍ରକ୍ରିୟାରେ ପରିବେଶ ସୁରକ୍ଷାକୁ ମଧ୍ୟ ସର୍ବପ୍ରଥମ ଗୁରୁତ୍ବ ଦେଇ ବର୍ତ୍ତମାନର ସରକାର ‘ମା (ପ୍ରକୃତି) ପାଇଁ ଗଛଟିଏ’ କାର୍ଯ୍ୟକ୍ରମକୁ ବ୍ୟାପକ କରି ସବୁଜ ବଳୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରେଇ ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଆକାଶ ଦାସନାୟକ କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ରାଜ୍ୟବ୍ୟାପୀ ୩ ବର୍ଷ ଧରି ଚାଲିଥିବା ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀ ଦାସ ପ୍ରଶଂସା କରିଥିଲେ। ସ୍ବଚ୍ଛ ଓ ସବୁଜିମା ଭରା ପରିବେଶ ସୃଷ୍ଟି ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ। ଜାପାନ ପଦ୍ଧତିରେ ମିୟାବାକି ଜଙ୍ଗଲ ସୃଷ୍ଟିକୁ ଗୁରୁତ୍ବ ଦେବା ଲାଗି ଉପସ୍ଥିତ ବନବିଭାଗ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ବୃକ୍ଷରୋପଣ ନାଁରେ କେବଳ ଚାରା ବାଣ୍ଟିବାନି କିମ୍ବା ପୋତି ଦେଇ ପରବର୍ତ୍ତୀ ସମୟରେ ତା’ କଥା ଭୁଲିଯିବାନି। ନିଜ ପରିବାର ସଦସ୍ୟ ଭଳି ତା’ର ସୁରକ୍ଷା ପ୍ରତି ଯତ୍ନବାନ ରହିବା ଜରୁରି।
/filters:format(webp)/sambad/media/media_files/2026/06/08/korei-climate-panchayat1-2026-06-08-21-02-48.jpeg)
ଯାଜପୁରରୋଡ୍ ବନାଞ୍ଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ବିକାଶର ସବୁଠୁ ବଡ଼ ପ୍ରତିବନ୍ଧକ, ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଗଲେ ବିଗିଡ଼ିଯାଇଥିବା ପରିବେଶ ପୁଣିଥରେ ସ୍ବାଭାବିକ ହୋଇପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ଗୋପୀନାଥ ପତି, କୋରେଇ ନିର୍ବାଚନମଣ୍ଡଳୀ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ବିଜେପି ମହିଳାମୋର୍ଚ୍ଚାର ଯାଜପୁର ଜିଲ୍ଲା ସଭାପତି ଦୀପ୍ତିମୟୀ କୁଅଁର ଓ ଯୁବନେତା ପ୍ରିୟବ୍ରତ ସାହୁ ଯୋଗଦେଇ କୋରେଇ ନିର୍ବାଚନମଣ୍ଡଳୀକୁ ପ୍ରଦୂଷଣମୁକ୍ତ ଓ ସବୁଜିମାଭରା କରିବା ଉପରେ ଗୁରୁତ୍ବ ଦେଇଥିଲେ। ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କୋରେଇ ପ୍ରତିନିଧି ବିରଞ୍ଚି ନାରାୟଣ ଖୁଣ୍ଟିଆଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ବ୍ୟାସନଗର ପ୍ରତିନିଧି ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କନକ-ନ୍ୟୁଜ୍ର ବ୍ୟାସନଗର ପ୍ରତିନିଧି ପ୍ରକାଶ କୁମାର ରାଉତ, ଶୁଭାଶିଷ ପଣ୍ଡା, ବିଜେପି ଖମଣ ପଞ୍ଚାୟତ ସଭାପତି ଅକ୍ଷୟ କୁମାର ନାୟକ, ମାନବାଧିକାର କର୍ମୀ ଅକ୍ଷୟ କୁମାର ଜେନା, ମଦନମୋହନ ସାହୁ, ସୁଜିତ କୁମାର ସାହୁ, କୁଳମଣି ସାହୁ, ମାନସ ରଂଜନ ସାହୁ, ଅବିନାଶ ସାହୁ, ଶଙ୍କର୍ଷଣ ସାହୁ, ରଘୁନାଥ ସାହୁ, ପ୍ରଫୁଲ୍ଲ କୁମାର ପଥାଳ, ଗୋବିନ୍ଦ ଚନ୍ଦ୍ର ଦାସ, ସରୋଜ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ମନ୍ମଥ ଗେଡ଼ି, ପ୍ରକାଶ ମହଲା, ଗଗନ ବିହାରୀ ସାହୁ, ଜଗବନ୍ଧୁ ସାହୁ, ଆଲୋକ କୁମାର ଦାଶଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ପରିବେଶ କର୍ମୀ ଅଂଶଗ୍ରହଣ କରିଥିଲେ।
ସୌଜନ୍ୟ ସମ୍ବାଦ




