Site icon Swayam News

Covid vaccine: ଆକସ୍ମିକ ମୃତ୍ୟୁରେ କୋଭିଡ୍ ଟିକାର ଭୂମିକା ନାହିଁ

ଦିଲ୍ଲୀର ‘ଏମ୍‌ସ’ ଦ୍ବାରା କରାଯାଇଥିବା ଏକ ବ୍ୟାପକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯୁବକମାନଙ୍କ ଆକସ୍ମିକ ମୃତ୍ୟୁ ସହିତ କୋଭିଡ୍‌-୧୯ ଟିକାର କୌଣସି ଭୂମିକା ନାହିଁ, ଯାହା କୋଭିଡ୍ ଟିକାର ସୁରକ୍ଷାକୁ ପୁନଃସ୍ଥାପିତ କରିଛି। ‘ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ’ରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନରେ ଫରେନସିକ୍ ବିଶେଷଜ୍ଞ, ରୋଗ ବିଶେଷଜ୍ଞ, ରେଡିଓଲୋଜିଷ୍ଟ ଓ କ୍ଲିନିସିଆନମାନଙ୍କୁ ନେଇ ଗଠିତ ଏକ ବହୁମୁଖୀ ବିଶେଷଜ୍ଞ ଦଳ ଭର୍ବାଲ୍‌ ଅଟୋପ୍‌ସି, ପୋଷ୍ଟ-ମର୍ଟମ୍ ଇମେଜିଂ, ପାରମ୍ପରିକ ଶବ ବ୍ୟବଚ୍ଛେଦ ଏବଂ ହିଷ୍ଟୋପାଥୋଲୋଜିକାଲ୍ ପରୀକ୍ଷା ମାଧ୍ୟମରେ ଆକସ୍ମିକ ମୃତ୍ୟୁ ମାମଲାଗୁଡ଼ିକର ଏକ ବିସ୍ତୃତ ମୂଲ୍ୟାଙ୍କନ କରିଥିଲେ। ଅଧ୍ୟୟନର ଏକ ବର୍ଷ ଅବଧିରେ ୧୮ରୁ ୪୫ ବର୍ଷ ବୟସ୍କଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁର କାରଣ ଯାଞ୍ଚ କରାଯାଇଥିଲା।

ଫରେନ୍‌ସିକ୍ ମର୍ଚୁଆରିରେ ମୋଟ ୨,୨୧୪ଟି ମାମଲା ଗ୍ରହଣ କରାଯାଇଥିଲା, ଯହିଁରେ ୧୮୦ଟି ଆକସ୍ମିକ ମୃତ୍ୟୁ ମାମଲା ଥିଲା। ସେଥି ମଧ୍ୟରୁ ଯୁବକ (୧୮-୪୫)ମାନଙ୍କ ଭାଗ ୫୭.୨% (୧୦୩ ଜଣ) ଏବଂ ବୃଦ୍ଧ (୪୬-୬୫)ମାନଙ୍କ ଭାଗ ୪୨.୮% (୭୭ ଜଣ) ଥିଲା। ନିଷ୍କର୍ଷରେ ଯୁବକଙ୍କ କୋଭିଡ୍‌-୧୯ ଟିକାକରଣ ଓ ଆକସ୍ମିକ ମୃତ୍ୟୁ ମଧ୍ୟରେ କୌଣସି ପରିସଂଖ୍ୟାନଗତ ସମ୍ପର୍କ ମିଳି ନଥିଲା। ସେମାନଙ୍କ ମଧ୍ୟରେ ହୃଦ୍‌ରୋଗ ମୃତ୍ୟୁର ସବୁଠାରୁ ସାଧାରଣ କାରକ ଥିଲା। ତା’ ପଛକୁ ଶ୍ୱାସକ୍ରିୟା ଓ ଅନ୍ୟାନ୍ୟ ଅଣ-ହୃତ୍‌ପିଣ୍ଡ ରୋଗ ରହିଥିଲା। ବିଶ୍ୱସ୍ତରୀୟ ବୈଜ୍ଞାନିକ ପ୍ରମାଣ ସହିତ ସମନ୍ୱିତ ଏହି ଫଳାଫଳ କୋଭିଡ୍‌ ଟିକାର ସୁରକ୍ଷା ଓ ଫଳପ୍ରଦତାକୁ ପୁଣି ଥରେ ନିଶ୍ଚିତ କରିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ ଯୁବ ବ୍ୟକ୍ତିମାନଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ଦୁଃଖଦ ହେଲେ ମଧ୍ୟ ପ୍ରାୟତଃ ଅନ୍ତର୍ନିହିତ ଓ ବେଳେ ବେଳେ ଅନିର୍ଣ୍ଣୀତ ରୋଗ ଯୋଗୁଁ ହୋଇଥାଏ। ତେଣୁ ପ୍ରାରମ୍ଭିକ ରୋଗ ନିରୂପଣ, ଜୀବନଶୈଳୀ ପରିବର୍ତ୍ତନ ଓ ସମୟୋଚିତ ଚିକିତ୍ସା ପରି ହସ୍ତକ୍ଷେପ ଉପରେ ଗୁରୁତ୍ବ ଦେବା ଆବଶ୍ୟକ।

ସୌଜନ୍ୟ ସମ୍ବାଦ

Exit mobile version