ଖେଳଜାତୀୟ

Cricket: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ତିନି ନମ୍ବରରେ ଖେଳିବେ ସୁଦର୍ଶନ

ନ୍ୟୁ ଚଣ୍ଡିଗଡ଼: ନ୍ୟୁ ଚଣ୍ଡିଗଡ଼ରେ ଶନିବାରଠାରୁ ଆରମ୍ଭ ହେବ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ। ଏହି ମ୍ୟାଚ୍‌ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଚକ୍ରରେ ଆସୁ ନଥିଲେ ବି ଆଗକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ୍‌ ଶୃଙ୍ଖଳା ଥିବାରୁ ଦଳରେ ସନ୍ତୁଳନ ଫେରାଇ ଆଣିବା ସହ ପୂର୍ବ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଭାରତ। ସେପଟେ, ଭାରତ ପରି ଏକ ଶକ୍ତିଶାଳୀ ଓ ଅଭିଜ୍ଞ ଟେଷ୍ଟ୍ ଦଳ ତୁଳନାରେ ଏକ ଅନଭିଜ୍ଞ ଦଳ ହୋଇଥିଲେ ବି ପ୍ରତିଭାବାନ ଆଫଗାନିସ୍ତାନ ଦଳ ଏକ ଭଲ ଲଢେଇ କରିବାକୁ ଉଦ୍ୟମ କରିବ।

ମ୍ୟାଚ୍‌ର ଦିନକ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ ତିନି ନମ୍ବର ସ୍ଥାନରେ ସାଇ ସୁଦର୍ଶନଙ୍କୁ ସୁଯୋଗ ଦିଆଯିବ। ସେ ଆଇପିଏଲ୍‌ରେ ୭୦୦ରୁ ଅଧିକ ରନ କରିବା ସହ ଭଲ ଫର୍ମରେ ଅଛନ୍ତି। ଏହା ସହିତ ସାଇଙ୍କୁ ଯଥେଷ୍ଟ ସୁଯୋଗ ଦିଆଯାଇନଥିବା ଗୌତମ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ, ଆଗାମୀ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତର ଚତୁର୍ଥ ସ୍ପିନର କିଏ ଖେଳିବେ ତାହା ନିର୍ଣ୍ଣୟ କରିବାକୁ ଏହି ଟେଷ୍ଟ ଏକ ସୁଯୋଗ ବୋଲି ସେ କହିଛନ୍ତି। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଦୁଇ ସ୍ପିନର ମାନବ ସୁତାର ଓ ହର୍ଷ ଦୁବେଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ।

ଦୁଇ ଦଳ ମଧ୍ୟରେ ଏହା ଦ୍ବିତୀୟ ଟେଷ୍ଟ। ପ୍ରଥମ ଟେଷ୍ଟ ୨୦୧୮ରେ ବେଙ୍ଗାଲୁରୁରେ ଖେଳାଯାଇଥିଲା। ସେଥିରେ ମାତ୍ର ଦୁଇ ଦିନରେ ଆଫଗାନିସ୍ତାନ ୨୦ ଓ୍ବିକେଟ୍‌ ହରାଇ ଇନିଂସ ପରାଜୟ ବରଣ କରିଥିଲା। କିନ୍ତୁ ଏଥର ହସମତୁଲ୍ଲା ଶାହିଦିଙ୍କ ଦଳ ପରିବର୍ତ୍ତନ କାଳ ଦେଇ ଗତିକରୁଥିବା ଭାରତୀୟ ଟେଷ୍ଟ ଦଳ ବିପକ୍ଷରେ ଏକ ଭଲ ଲଢେଇ ଦେବାକୁ ଉଦ୍ୟମ କରିବ। ମ୍ୟାଚ୍‌ର ଦିନକ ପୂର୍ବରୁ ଆଫଗାନିସ୍ତାନର ପ୍ରଶିକ୍ଷକ ରିଚାର୍ଡ ପାଇବସ୍‌ କହିଛନ୍ତି ଯେ ଏହି ମ୍ୟାଚ୍‌ରେ ସ୍ପିନ୍‌ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। କିନ୍ତୁ ଦଳର ମୁଖ୍ୟ ସ୍ପିନର ରସିଦ୍‌ ଖାଁ ଖେଳିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, କେଏଲ୍‌ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ୍‌ (ଅଧିନାୟକ), ଋଷଭ ପନ୍ତ (ଓ୍ବିକେଟ୍‌ରକ୍ଷକ), ଓ୍ବାସିଂଟନ ସୁନ୍ଦର, ନୀତୀଶ କୁମାର ରେଡ୍ଡି, ହର୍ଷ ଦୁବେ/ମାନବ ସୁତାର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

ଆଫଗାନିସ୍ତାନ ଦଳ: ଅବଦୁଲ ମଲିକ, ରହମାନୁଲ୍ଲା ଗୁରବାଜ, ରହମତ ଶାହ, ହସମାତୁଲ୍ଲା ଶାହିଦି (ଅଧିନାୟକ), ସେଦିକୁଲ୍ଲା ଅଟଲ୍‌, ଏଫସର ଜଜାଇ (ଓ୍ବିକେଟ୍‌ରକ୍ଷକ), ଅଜମତୁଲ୍ଲା ଓମରଜାଇ, ସରାଫୁଦ୍ଦିନ ଅସରଫ, କାଇସ୍‌ ଅହମଦ, ଜିଆ ସରିଫି, ନଙ୍ଗେୟାଲିଆ ଖାରୋତାଇ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button