ବାରିପଦା: ଆଦିବାସୀବହୁଳମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ଅଞ୍ଚଳରେ ବିକାଶର ଲୁଚକାଳି ଖେଳ। ଏହି ବ୍ଲକରେ ସରକାରୀ ଅବହେଳା ଓ ପ୍ରାକୃତିକ ବାଧାର ଶିକାର ହୋଇ ରାଜ୍ୟର ପଛୁଆ ଅଞ୍ଚଳମାନଙ୍କ ମଧ୍ୟରେ ଗଣନା କରାଯାଉଛି। ଏଠାରେ ସାମାଜିକ-ଆର୍ଥିକ ବିକାଶ ମନ୍ଥର। ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ବିଳମ୍ବ, ରାଜସ୍ୱ ଗ୍ରାମ ଓ ପଡ଼ାଗ୍ରାମ ଘୋଷଣାରେ ବିବାଦ, ବିକାଶ ଦିଗରେ ପ୍ରାକୃତିକ ବାଧା ଯେପରିକି ପାହାଡ଼ିଆ ରାସ୍ତା, ଘଞ୍ଚ ଜଙ୍ଗଲ ଯୋଗୁଁ ଗ୍ରାମଗୁଡ଼ିକରେ ସେବା ପହଞ୍ଚି ପାରୁ ନାହିଁ। ଯଦିଓ ସରକାର ଓ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ମୌଳିକ ସେବା ଯୋଗାଇବାକୁ ଯୋଜନା କରୁଛି କିନ୍ତୁ ରାଜସ୍ବ ଗ୍ରାମ ଘୋଷଣା ବିବାଦକୁ ଦ୍ବିଗୁଣିତ କରୁଛି। ସ୍ୱାସ୍ଥ୍ୟ ସେବାରେ କପ୍ତିପଦା ବ୍ଲକର ଅବସ୍ଥା ଶୋଚନୀୟ। ଆଦିବାସୀ ବହୁଳ ଅଞ୍ଚଳରେ ପୁଷ୍ଟିହୀନତା, ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାର ଅଧିକ ରହିଛି।
ଅଙ୍ଗନବାଡ଼ି କେନ୍ଦ୍ରର ଅଭାବ, ବାଲ୍ୟବିବାହ ଓ ନିଶା ସମସ୍ୟା ବଢ଼ିଛି। ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଓ ବାଇକ୍ ଆମ୍ବୁଲାନ୍ସ ଗ୍ରାମଗୁଡ଼ିକରେ ପହଞ୍ଚି ପାରୁ ନାହିଁ। ଉଦାହରଣ ସ୍ୱରୂପ, ଶରତ ଅଞ୍ଚଳର ଧନାସାହି ଗ୍ରାମରେ ଗର୍ଭବତୀ ମହିଳାଙ୍କୁ ୫ କିମି ଖଟିଆରେ ବୋହି ନେବା ପରି ଶୀର୍ଷକ ଖବର ସାରା ରାଜ୍ୟରେ ଚହଳ ପକାଇଥିଲା। ଏହି ଘଟଣା ସ୍ୱାସ୍ଥ୍ୟ ସେବାର ବିକଳ ଦୃଶ୍ୟକୁ ଉଜାଗର କରୁଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ପଛୁଆ ଗତି ସ୍ପଷ୍ଟ ଭାବେ ଅନୁଭବ ହୋଇଛି। ସାକ୍ଷରତା ହାର କମ୍ (ପ୍ରାୟ ୬୮%) ଥିବାରୁ ବାଲ୍ୟବିବାହ ହାର ଅଧିକ (୩୫-୪୫%) ଓ ବିଦ୍ୟାଳୟ ଡ୍ରପ୍ଆଉଟ୍ ହାର ଉଚ୍ଚ (ମାଧ୍ୟମିକ ସ୍ତରରେ ୨୫-୩୫%) ରହିଛି। ଆଦିବାସୀ ପରିବାରରେ ଶିକ୍ଷା ପ୍ରତି ଅବହେଳା, ଦାରିଦ୍ର୍ୟ ଓ ଦୂରଗାମୀ ବିଦ୍ୟାଳୟ ଏହାର ମୂଳ କାରଣ ବୋଲି ବିବେଚନା କରାଯାଏ। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅନୁପସ୍ଥିତି ଓ ଶିକ୍ଷକ ଅଭାବ ସମସ୍ୟା ରହିଛି। ମଧ୍ୟାହ୍ନ ଭୋଜନର ଗୁଣବତ୍ତା କମ୍। ଆଦିବାସୀ ଛାତ୍ରଛାତ୍ରୀମାନେ ବିଭେଦ ଓ ଅବହେଳାର ଶିକାର ହେଉଛନ୍ତି।
ଶରତରେ ଅଙ୍ଗନବାଡ଼ି କେନ୍ଦ୍ରର ଅଭାବ ଯୋଗୁଁ ଶିଶୁମାନେ ପ୍ରାରମ୍ଭିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି, ଯାହା ପରବର୍ତ୍ତୀ ବିକାଶକୁ ପ୍ରଭାବିତ କରୁଛି। ଶରତ ଅଞ୍ଚଳରେ ଧନାସାହି ଗ୍ରାମକୁ ଆମ୍ବୁଲାନ୍ସ୍ ପହଞ୍ଚି ପାରୁ ନାହିଁ। ପାନୀୟ ଜଳର ଅଭାବ ଆଉ ଏକ ପ୍ରମୁଖ ସମସ୍ୟା। ଗ୍ରାମଗୁଡ଼ିକରେ ପାଇପ୍ ଜଳ ଯୋଗାଣ କମ୍, ଦୂଷିତ ଉତ୍ସ ଉପରେ ନିର୍ଭରଶୀଳତା ଅଧିକ। ପ୍ରଖର ଗ୍ରୀଷ୍ମ ପ୍ରବାହ ଓ ଅନିୟମିତ ବର୍ଷା ଯୋଗୁଁ ଜଳ ସଂକଟ ବଢ଼ୁଛି। ଶରତ, ପଦ୍ମପୋଖରୀରେ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ଦୂରକୁ ଯାଉଛନ୍ତି। ଗ୍ରାମଗୁଡ଼ିକରେ ବିଦ୍ୟୁତ୍ ନାହିଁ, ଯାହା ଡିଜିଟାଲ୍ ସେବାକୁ ପ୍ରଭାବିତ କରୁଛି। ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ବିଳମ୍ବ ଯୋଗୁଁ ଆଦିବାସୀମାନେ ଭୂମିହୀନ ରହିଛନ୍ତି। ରାଜସ୍ୱ ଗ୍ରାମ ଓ ପଡ଼ାଗ୍ରାମ ବିବାଦ ସେବା ବଣ୍ଟନକୁ ବାଧା ଦେଉଛି। ପ୍ରାକୃତିକ ବାଧା ଯେପରିକି ଝରଣା ଓ ଜଙ୍ଗଲ ରାସ୍ତା ନିର୍ମାଣକୁ କଷ୍ଟକର କରୁଛି। ଏହି ସମସ୍ୟାଗୁଡ଼ିକ ସରକାରୀ ଯୋଜନା ଯଥା ଏନ୍ଆର୍ଏଚ୍ଏମ୍, ସର୍ବଶିକ୍ଷା ଅଭିଯାନ, ପିଏମ୍ଜିଏସ୍ୱାଇ ଇତ୍ୟାଦିର କାର୍ଯ୍ୟକାରିତାକୁ ପ୍ରଭାବିତ କରୁଛି। ଏନେଇ ବିଡିଓ ରେଶମା ଟେଟେ କହିଛନ୍ତି ଯେ ସବୁ ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇବାକୁ ଯୋଜନା କାର୍ଯ୍ୟକାରୀ ହେଉଛି। ଅଭିଯୋଗ ପାଇବା କ୍ଷଣି ସମାଧାନର ବାଟ ବାହାର କରୁଛୁ। ପାନୀୟଜଳ, ରାସ୍ତା ଓ ଗୃହ ଆଦିର ସମସ୍ୟା ନେଇ ଅଭିଯୋଗ ଆମ ନିକଟରେ ପହଞ୍ଚିଛି। ସମାଧାନ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ
