Duleep Trophy: ଦଲୀପ ଟ୍ରଫିର ବିରଳ ବିଜେତା କ୍ଲବ୍ରେ ୭ ଓଡ଼ିଆ: ନଟରାଜ-ଦେବା ଦେଖାଇଥିଲେ ବାଟ
ଓଡ଼ିଶା କ୍ରିକେଟ୍ ସ୍ଥିତି ଯେଭଳି ଥାଉ ପଛକେ ପୂର୍ବାଞ୍ଚଳ କ୍ରିକେଟ୍ ପ୍ରତି ଓଡ଼ିଶାର ଏକ ସ୍ମରଣୀୟ ଅବଦାନ ଗୁରୁବାର ପୁନଃଉଦ୍ଭାସିତ ହୋଇଛି। ଘରୋଇ କ୍ରିକେଟ୍ର ଅନ୍ୟତମ ପ୍ରମୁଖ ପ୍ରଥମ ଶ୍ରେଣୀ ପ୍ରତିଯୋଗିତା ଦଲୀପ ଟ୍ରଫିକୁ ପୂର୍ବାଞ୍ଚଳ ଗୁରୁବାର ତୃତୀୟ ଥର ହାସଲ କରିଛି।

ଭୁବନେଶ୍ବର (ସୁରେଶ ସ୍ବାଇଁ): ଓଡ଼ିଶା କ୍ରିକେଟ୍ ସ୍ଥିତି ଯେଭଳି ଥାଉ ପଛକେ ପୂର୍ବାଞ୍ଚଳ କ୍ରିକେଟ୍ ପ୍ରତି ଓଡ଼ିଶାର ଏକ ସ୍ମରଣୀୟ ଅବଦାନ ଗୁରୁବାର ପୁନଃଉଦ୍ଭାସିତ ହୋଇଛି। ଘରୋଇ କ୍ରିକେଟ୍ର ଅନ୍ୟତମ ପ୍ରମୁଖ ପ୍ରଥମ ଶ୍ରେଣୀ ପ୍ରତିଯୋଗିତା ଦଲୀପ ଟ୍ରଫିକୁ ପୂର୍ବାଞ୍ଚଳ ଗୁରୁବାର ତୃତୀୟ ଥର ହାସଲ କରିଛି। କିନ୍ତୁ ଏହି ପ୍ରତିଯୋଗିତାର ପ୍ରଥମ ୫୦ ବର୍ଷ ଧରି ଟ୍ରଫି ବିହୀନ ରହିଥିବା ପୂର୍ବାଞ୍ଚଳର ଭାଗ୍ୟ ଉଦୟ ହୋଇଥିଲା ଓଡ଼ିଶାର ନେତୃତ୍ବରେ, ଏହି କଥାକୁ ଅନେକ ଭୁଲିଯିବେଣି। ୨୦୧୧-୧୨ ସଂସ୍କରଣରେ ପୂର୍ବାଞ୍ଚଳ ପ୍ରଥମ ଥର ବିଜେତା ହୋଇଥିବାବେଳେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ଥିଲେ ପ୍ରଶିକ୍ଷକ ଏବଂ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ନଟରାଜ ବେହେରା।
ଏହି ଐତିହାସିକ ବିଜେତା ଦଳରେ ଖେଳାଳି ଭାବେ ବି ଥିଲେ ଅନ୍ୟ ଦୁଇ ତାରକା ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି। ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ପୂର୍ବାଞ୍ଚଳ ଦଳ କେନ୍ଦ୍ରାଞ୍ଚଳକୁ ଏକ ପାଳି ଓ ୨୦ ରନ୍ରେ ପରାସ୍ତ କରିଥିଲା। କେବଳ ସେତିକି ନୁହେଁ ୨୦୧୨-୧୩ ଫାଇନାଲ୍ରେ ମଧ୍ୟ ପୂର୍ବାଞ୍ଚଳ ଟ୍ରଫି ବଜାୟ ରଖିଥିଲା ନଟରାଜ ବେହେରାଙ୍କ ନେତୃତ୍ବରେ। ଚେନ୍ନାଇରେ ଖେଳାଯାଇଥିବା ଫାଇନାଲ୍ରେ ପୂର୍ବାଞ୍ଚଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ପୁଣି ଥରେ ମହମ୍ମଦ କୈଫଙ୍କ କେନ୍ଦ୍ରାଞ୍ଚଳକୁ ପଛରେ ପକାଇଥିଲା। ଏହି ଦଳରେ ୪ ଓଡ଼ିଆ ଖେଳିବା ଓଡ଼ିଶା କ୍ରିକେଟ୍ ପାଇଁ ସୁଃଖଦ ମୁହୂର୍ତ୍ତ ହୋଇରହିଛି। ନଟରାଜଙ୍କ ବ୍ୟତୀତ ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି, ଆଲୋକ ମଙ୍ଗରାଜ ଥିଲେ ଦଳରେ। ଅର୍ଥାତ୍ ନଟରାଜ, ବିପ୍ଳବ ଓ ବସନ୍ତ ଏବେ ବି ଦୁଇ ଥର ଦଲୀପ ଟ୍ରଫି ଜିତିବାରେ ବିରଳ ସୌଭାଗ୍ୟ ପାଇଛନ୍ତି। ଯାହାକି ଓଡ଼ିଶା କାହିଁକି ଓଡ଼ିଶା ଓ ପୂର୍ବାଞ୍ଚଳର ଅନେକ ମହାନ ଖେଳାଳିଙ୍କ ଭାଗ୍ୟରେ ବି ଜୁଟି ପାରିନାହିଁ। ଏବେ କିନ୍ତୁ ଦେବାଶିଷ ମହାନ୍ତିଙ୍କ ପରେ ପ୍ରୀତମଜିତ୍ ଦାସ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପ୍ରଶିକ୍ଷକ ଭାବେ। ୨୦୨୬-୨୭ ଋତୁରେ ସେହି ଚେନ୍ନାଇରେ ଜିତିଥିବା ପୂର୍ବାଞ୍ଚଳ ଦଳର ସହକାରୀ ପ୍ରଶିକ୍ଷକ ଭାବେ ସାମିଲ ଥିଲେ ପୂର୍ବତନ ବାମହାତୀ ଦ୍ରୁତ ବୋଲର ପ୍ରୀତମଜିତ୍ ଦାସ। ନଟରାଜଙ୍କ ସହର ରାଉରକେଲାର ପ୍ରୀତମଜିତ୍ ଏବେ ନିଜ ଖେଳ ଜୀବନର ଏକ ଅବସୋସ ବି ପୂର୍ଣ୍ଣ କରିଛନ୍ତି। ଖେଳିବାର ସୁଯୋଗ ପାଇ ନଥିଲେ ମଧ୍ୟ ପୂର୍ବାଞ୍ଚଳ ଦଳରେ ସାମିଲ ଥିବାରୁ ଶୁଭ୍ରାଂଶୁ ସେନାପତି ଏହାର ପ୍ରତ୍ୟକ୍ଷ ଅଂଶ ହୋଇପାରିଛନ୍ତି।
ସୌଜନ୍ୟ ସମ୍ବାଦ




