Editorial: ଅମଙ୍ଗ ଅଶ୍ବ
ଏଠାରେ ସ୍ପଷ୍ଟ କରି ଦିଆଯାଇପାରେ ଯେ ପାରିଶ୍ରମିକ ଓ ନିଯୁକ୍ତିରେ ବୃଦ୍ଧି ଦ୍ବାରା ସଂପୃକ୍ତ ଉଦ୍ୟୋଗର ପ୍ରତିଯୋଗିତା କ୍ଷମତା ବ୍ୟାହତ ହେବା ବାଧ୍ୟତାମୂଳକ ନୁହେଁ। ଦକ୍ଷତା ଓ ଉତ୍ପାଦନଶୀଳତାରେ ବୃଦ୍ଧି ସାଧନ ନିମିତ୍ତ ଆବଶ୍ୟକ ପଦକ୍ଷେପ...

ଏଠାରେ ସ୍ପଷ୍ଟ କରି ଦିଆଯାଇପାରେ ଯେ ପାରିଶ୍ରମିକ ଓ ନିଯୁକ୍ତିରେ ବୃଦ୍ଧି ଦ୍ବାରା ସଂପୃକ୍ତ ଉଦ୍ୟୋଗର ପ୍ରତିଯୋଗିତା କ୍ଷମତା ବ୍ୟାହତ ହେବା ବାଧ୍ୟତାମୂଳକ ନୁହେଁ। ଦକ୍ଷତା ଓ ଉତ୍ପାଦନଶୀଳତାରେ ବୃଦ୍ଧି ସାଧନ ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଦ୍ବାରା ପ୍ରତିଯୋଗିତା କ୍ଷମତାରେ ଉନ୍ନତି ହାସଲ କରାଯାଇ ପାରିବ। ଆଶା କରାଯାଏ ଭାରତର ସୁଯୋଗ୍ୟ ଶିଳ୍ପୋଦ୍ୟୋଗୀମାନେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ନିଜର ଆଳସ୍ୟ ତ୍ୟାଗ କରି ଉଚ୍ଚ ଶକ୍ତିସଂପନ୍ନ ରେସ୍ ଘୋଡ଼ା ପରି ଧାଇଁ ବହୁ ଅପେକ୍ଷିତ ନିଯୁକ୍ତି ସୃଷ୍ଟି କରିବା ଆରମ୍ଭ କରିଦେବେ।
କଥାରେ ଅଛି, ତୁମେ ଏକ ଘୋଡ଼ାକୁ ଟାଣି ଟାଣି ପାଣି ପାଖକୁ ନେଇପାର, କିନ୍ତୁ ତା’ର ଯଦି ଶୋଷ ନ ଥାଏ, ତାକୁ ପିଆଇ ପାରିବ ନାହିଁ। ବର୍ତ୍ତମାନ ଦେଖିବାକୁ ମିଳିଥିବା ଏକ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ଏଇ ଆପ୍ତବାକ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟାଇ କୁହାଯାଇପାରେ: ଘୋଡ଼ାଟିଏ ଭୋକିଲା ଥିବାରୁ ଗାଡ଼ି ଟାଣିବାକୁ ରାଜି ହେଉନାହିଁ ବୋଲି ବିଶ୍ବାସ କରି ତୁମେ ତାକୁ ଖାଇବାକୁ ଦାନା ଦେବା ପରେ ସେ ଦାନାତକ ଖାଇଦିଏ, କିନ୍ତୁ ତଥାପି ଗାଡ଼ି ଟାଣିବାକୁ ରାଜି ହୁଏନାହିଁ- ଯଦି ତା’ର ସେଥିପାଇଁ ଇଚ୍ଛା ନ ଥାଏ।
ଏଇ ପରିପ୍ରେକ୍ଷୀ ହେଲା ୧୯ ନଭେମ୍ବରରେ ଶିଳ୍ପବାଣିଜ୍ୟ ସଂଗଠନ ‘ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି’ (‘ଫିକି’)ର ଶତବାର୍ଷିକୀ ସମାବେଶରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଉପସ୍ଥିତ ଦେଶର ପ୍ରମୁଖ ଶିଳ୍ପବାଣିଜ୍ୟ ଅଧିନାୟକମାନଙ୍କୁ କରିଥିବା ଭର୍ତ୍ସନା। ସରକାରଙ୍କ ତରଫରୁ ସେମାନଙ୍କ ପାଇଁ କର୍ପୋରେଟ ଟିକସ ଓ ଆୟକରରେ ଉଲ୍ଲେଖନୀୟ ରିହାତି ପ୍ରଦାନ କରାଯିବା ପରେ ମଧ୍ୟ ସେମାନେ ତଥାପି କାହିଁକି ସେମାନଙ୍କର କର୍ମଚାରୀମାନଙ୍କର ପାରିଶ୍ରମିକରେ ବୃଦ୍ଧି ଘଟାଉ ନାହାନ୍ତି କିମ୍ବା ଅଧିକ ନିଯୁକ୍ତି ସୃଷ୍ଟି କରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଦେଶର ଘରୋଇ କ୍ଷେତ୍ରର ଶିଳ୍ପବାଣିଜ୍ୟ ଉଦ୍ୟୋଗପତିମାନଙ୍କୁ ପ୍ରଶ୍ନ କରିଥିଲେ।
ଦୁଇ ବର୍ଷ ତଳେ ନିଜର ବଜେଟ ଅଭିଭାଷଣ ପ୍ରଦାନ କରିବା ଅବସରରେ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ଶ୍ରମ ବଜାରରେ ପ୍ରବେଶ କରୁଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ ନିମିତ୍ତ ଘରୋଇ କ୍ଷେତ୍ରର ନିଯୁକ୍ତିଦାତାମାନଙ୍କୁ ସିଧାସଳଖ ଦୁଇ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ଯୋଜନା ଘୋଷଣା କରି ସେମାନଙ୍କୁ ଆହ୍ବାନ ଦେଇଥିଲେ ଯେ ଏଥର ଘରୋଇ କ୍ଷେତ୍ରର ଶିଳ୍ପ ବ୍ୟବସାୟ ସଂସ୍ଥାମାନେ ଆଗେଇ ଆସି ନୂତନ ନିଯୁକ୍ତିମାନ ସୃଷ୍ଟି କରିବା ଆଶା କରାଯାଏ। ପ୍ରଧାନମନ୍ତ୍ରୀ ତେଣୁ ସେମାନଙ୍କର ଅସହେଯାଗ ଦ୍ବାରା ଚିନ୍ତିତ ହୋଇ ଏଭଳି ପ୍ରଶ୍ନ ପଚାରିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କର ଏଭଳି ନିଷ୍କ୍ରିୟତା ଦେଖି ମନେ ହୋଇଥାଏ ସେମାନେ ନିୟମିତ ଭାବରେ ସରକାରଙ୍କଠାରୁ ସହାୟତା ଲୋଡ଼ି ଚାଲିଥିଲେ ହେଁ ବୋଧହୁଏ ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି ହେଉଛି ଅନ୍ୟ କାହାର ଦାୟିତ୍ବ ବୋଲି ବିଚାର କରିଥାନ୍ତି।
ଏବେ ଆଉ ଏକ ବଜେଟ ଉପସ୍ଥାପନର ବେଳ ପାଖେଇ ଆସୁଥିବାବେଳେ କର୍ପୋରେଟ ବୋର୍ଡ ରୁମ୍ରେ ନୀତିନିର୍ଦ୍ଧାରଣକାରୀମାନେ ସରକାରଙ୍କ ନିକଟରେ ପୁଣି ଏକ ବାଞ୍ଛା ତାଲିକା ଉପସ୍ଥାପନ କରିବା ପରିବର୍ତ୍ତେ ଆତ୍ମସମୀକ୍ଷା କରିବା ଯେ ଜରୁରି, ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ ହେଉଛି ସେଥିପାଇଁ ଏକ ଚେତାବନୀ। ସେମାନଙ୍କର ଆଚରଣ ବହନ କରୁଥିବା ବିରୋଧାଭାଷ ଯେ କାହାରି ଦୃଷ୍ଟି ଏଡ଼ାଇ ପାରି ନ ଥାଏ, ସେ ସମ୍ବନ୍ଧରେ ସେମାନେ ସଚେତନ ଥିବା ଆଶା କରାଯାଏ। ଉଦାହରଣ ସ୍ବରୂପ ୨୦୨୪-୨୫ର ଅର୍ଥନୈତିକ ସର୍ବେକ୍ଷଣ (‘ଇକୋନମିକ ସର୍ଭେ ୨୦୨୪-୨୫’) ଅନୁସାରେ କର୍ପୋରେଟ ଲାଭ ଏକ ରେକର୍ଡ ସ୍ତରରେ ପହଞ୍ଚି ‘ଜିଡିପି’ ବା ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦର ୪.୮ ଶତାଂଶ ସ୍ପର୍ଶ କରିଥିଲା, ଯାହା ଥିଲା ୧୫ ବର୍ଷ ମଧ୍ୟରେ ସର୍ବୋଚ୍ଚ। ଏଇ ସମୟରେ ଏହା ସହିତ ତାଳଦେଇ ନିଯୁକ୍ତି ସୃଷ୍ଟିରେ ବୃଦ୍ଧି ଘଟିବା ପରିବର୍ତ୍ତେ, ସେଥିରେ ଚିନ୍ତାଜନକ ଭାବରେ ସ୍ଥାଣୁତ୍ବ ପରିଲକ୍ଷିତ ହୋଇଥିଲା।
ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ ଲାଭ ଆଦୌ ଏକ ମଇଳା ଶବ୍ଦ ନୁହେଁ; ଲାଭ ଅର୍ଜନ ଆଶାରେ ହିଁ ଉଦ୍ୟୋଗୀମାନେ ପୁଞ୍ଜି ନିବେଶ କରିଥାନ୍ତି ଓ ତଜ୍ଜନିତ ବିପଦ ବରଣ କରିଥାନ୍ତି। କିନ୍ତୁ ସେମାନେ ଯେତେବେଳେ ଏଇ ଲାଭର ପୁନର୍ନିବେଶ କରି ନୂତନ ନିଯୁକ୍ତି ସୃଷ୍ଟି କରିବା ଓ ପାରିଶ୍ରମିକରେ ବୃଦ୍ଧି ଘଟାଇବା ପରିବର୍ତ୍ତେ ତାହାକୁ ନିଷ୍କ୍ରିୟ ଭାବରେ ସାଇତି ରଖନ୍ତି, ସେତେବେଳେ ସେମାନେ କାଳିଦାସଙ୍କ ଭଳି ନିଜେ ବସିଥିବା ଡାଳର ମୂଳକୁ କାଟିବା ଭଳି କାର୍ଯ୍ୟ କରିଥାନ୍ତି କହିଲେ ଭୁଲ୍ ହେବ ନାହିଁ। କାରଣ ସାମଗ୍ରିକ ଚାହିଦା ହେଉଛି ଅର୍ଥନୀତିର ଅଭିବୃଦ୍ଧିର ଅନ୍ୟତମ ଆଧାର ଏବଂ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅବିଳମ୍ବେ ଏଇ ଚାହିଦାକୁ ରୂପାନ୍ତରିତ ହୋଇଥାଏ। ନିଯୁକ୍ତି ସୃଷ୍ଟି ନ ହେଲେ ଚାହିଦା ଶୁଷ୍କ ହୋଇଯିବ, ଅଭିବୃଦ୍ଧି ଶିଥିଳ ହୋଇଯିବ ଓ ଶେଷରେ ଲାଭ ସଙ୍କୁଚିତ ହୋଇଯିବ ବା ଉଭାନ ହୋଇଯିବ। ବିଶେଷକରି ଯେତେବେଳେ ଖାଉଟି ମୁଦ୍ରାସ୍ଫୀତି ଓ ମହଙ୍ଗା ଋଣ ଯୋଗୁଁ ପରିବାରମାନଙ୍କର ଖର୍ଚ୍ଚ କରିବା କ୍ଷମତାରେ ସଙ୍କୋଚନ ଘଟି ଚାଲିଛି, ସେତେବେଳେ ପାରିଶ୍ରମିକରେ ସ୍ଥାଣୁତା ଓ ନିଯୁକ୍ତିହୀନତା ସାମଗ୍ରିକ ଚାହିଦାକୁ ଆହୁରି ଚାପଗ୍ରସ୍ତ କରିଥାଏ।
ଭାରତୀୟ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ହାର ବର୍ତ୍ତମାନ ବିଶ୍ବବ୍ୟାପୀ ପ୍ରଶଂସା ଲାଭ କରିବାରେ ଲାଗିଛି (ସଦ୍ୟ ସଦ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଇ ପ୍ରଶଂସକମାନଙ୍କ ତାଲିକାରେ ଯୋଗଦାନ କରିବା ଦେଖାଯାଇଛି)। ଏଇ ଅଭିବୃଦ୍ଧିଜନିତ ଲାଭର ସୁଷମ ବଣ୍ଟନ ଦ୍ବାରା ହିଁ ଅର୍ଥନୀତିର ଶକ୍ତିରେ ବୃଦ୍ଧି ଘଟି ଅଭିବୃଦ୍ଧିକୁ ଦୀର୍ଘସ୍ଥାୟୀ କରିବ। ଉତ୍ପାଦନର ସଂପ୍ରସାରଣ ଓ ନିଯୁକ୍ତି ସୃଷ୍ଟି ଦ୍ବାରା ହିଁ ଏଭଳି ସୁଷମ ବଣ୍ଟନ ସମ୍ଭବ ହେବ। ସରକାର ଏ ଦିଗରେ ସହାୟତା ପ୍ରଦାନ ନିମିତ୍ତ ନିକଟ ଅତୀତରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଆସିଛନ୍ତି। ୨୦୧୯ରେ ନୂତନ ନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କର୍ପୋରେଟ ଟିକସରେ ହ୍ରାସ ଘଟାଯାଇଥିଲା। ଖାଉଟିମାନଙ୍କ ପାଖରେ ଅଧିକ କ୍ରୟ ଶକ୍ତି ଉପଲବ୍ଧ କରାଇବା ପାଇଁ ଆୟକର ଓ ‘ଜିଏସ୍ଟି’ରେ ପରିବର୍ତ୍ତନମାନ କାର୍ଯ୍ୟକାରୀ କରାଯାଇଛି।
ଅବଶ୍ୟ ଇତିମଧ୍ୟରେ ବାହ୍ୟ କାରଣମାନଙ୍କ ଯୋଗୁଁ ସୃଷ୍ଟି ହୋଇଥିବା ଅର୍ଥନୈତିକ ଅସ୍ଥିରତା ଉଦ୍ୟୋଗୀ ଓ ନିବେଶକମାନଙ୍କୁ ସ୍ବାଭାବିକ ଭାବରେ ଶଙ୍କାଗ୍ରସ୍ତ କରିଛି। କିନ୍ତୁ ଇତିମଧ୍ୟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଭାରତୀୟ ଅର୍ଥନୀତି ହେଉଛି ପୃଥିବୀରେ ଏକ ବିରଳ ଅର୍ଥନୀତି, ଯିଏ ଏ ସମସ୍ତ ଅସ୍ଥିରତା ସତ୍ତ୍ବେ ଦିଶାହରା ନ ହୋଇ ନିଜର ଉଚ୍ଚ ଅଭିବୃଦ୍ଧି ଧାରା ବଜାୟ ରଖିବାରେ ସଫଳ ହୋଇଛି। ଘରୋଇ କ୍ଷେତ୍ରର ଅଧିନାୟକମାନେ ତେଣୁ ସରକାରଙ୍କ ଦ୍ବାରା ପ୍ରଦତ୍ତ ସହାୟତାମାନ ସହିତ ତାଳ ଦେଇ ନୂତନ ଉତ୍ପାଦନ କ୍ଷମତା ସୃଷ୍ଟି, ନିଯୁକ୍ତି ସୃଷ୍ଟି, ତାଲିମ ଏବଂ ଉତ୍ପାଦନଶୀଳତାରେ ଉନ୍ନତି ଆଦି ହାସଲ କରିବା ପାଇଁ ଆଗେଇ ଆସିବା ଉଚିତ। ଏଥିସହିତ କର୍ମଚାରୀମାନଙ୍କୁ ପ୍ରଦତ୍ତ ପାରିଶ୍ରମିକରେ ମଧ୍ୟ ବୃଦ୍ଧି ଘଟାଇବାରେ ସେମାନେ ବିଳମ୍ବ କରିବା ଉଚିତ ନୁହେଁ।
ଶିଳ୍ପୋଦ୍ୟୋଗୀମାନେ ଆଗାମୀ ବଜେଟ ପୂର୍ବରୁ ବିତ୍ତ ମନ୍ତ୍ରୀଙ୍କ ପାଖରେ ନିଜର ଦାବି ଉପସ୍ଥାପିତ କରିବା ପୂର୍ବରୁ ସେମାନେ ଅତୀତରେ ମିଳିଥିବା ସହାୟତାର କିପରି ଉପଯୋଗ କରିଛନ୍ତି, ତାହାର ବିବରଣୀ ପ୍ରଦାନ କରିବା ଆଶା କରାଯାଏ। ଏଠାରେ ସ୍ପଷ୍ଟ କରି ଦିଆଯାଇପାରେ ଯେ ପାରିଶ୍ରମିକ ଓ ନିଯୁକ୍ତିରେ ବୃଦ୍ଧି ଦ୍ବାରା ସଂପୃକ୍ତ ଉଦ୍ୟୋଗର ପ୍ରତିଯୋଗିତା କ୍ଷମତା ବ୍ୟାହତ ହେବା ବାଧ୍ୟତାମୂଳକ ନୁହେଁ। ଦକ୍ଷତା ଓ ଉତ୍ପାଦନଶୀଳତାରେ ବୃଦ୍ଧି ସାଧନ ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଦ୍ବାରା ପ୍ରତିଯୋଗିତା କ୍ଷମତାରେ ଉନ୍ନତି ହାସଲ କରାଯାଇ ପାରିବ। ଆଶା କରାଯାଏ ଭାରତର ସୁଯୋଗ୍ୟ ଶିଳ୍ପୋଦ୍ୟୋଗୀମାନେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ନିଜର ଆଳସ୍ୟ ତ୍ୟାଗ କରି ଉଚ୍ଚ ଶକ୍ତିସଂପନ୍ନ ରେସ୍ ଘୋଡ଼ା ପରି ଧାଇଁ ବହୁ ଅପେକ୍ଷିତ ନିଯୁକ୍ତି ସୃଷ୍ଟି କରିବା ଆରମ୍ଭ କରିଦେବେ।
ସୌଜନ୍ୟ ସମ୍ବାଦ




