ସମ୍ପାଦକୀୟ

Suranjan’s Diary: ସୁରଞ୍ଜନଙ୍କ ଡାଏରି: ପଶୁ ମୁଖା ନାଚର ଗ୍ରାମେ

ସକାଳର ରକ୍ତିମ ସୂର୍ଯ୍ୟ କ୍ରମେ ଉଜ୍ଜ୍ୱଳ ହୋଇ ଉଠୁଥିଲା। ଚଉରା ପୂଜା ସାରି ଦୂର ଗାଁ ହବିଷ୍ୟାଳୀମାନଙ୍କର ରାଈ ଦାମୋଦର ବ୍ରତ ଗୀତ ଭାସି ଆସି ଆଦ୍ୟ କାର୍ତ୍ତିକର ସକାଳକୁ ଆହୁରି ମହିମ୍ନ ଓ ସୁଶୀତଳ କରି ତୋଳିଥିଲା।

ଧନଞ୍ଜୟ ସ୍ୱାଇଁ

ସକାଳର ରକ୍ତିମ ସୂର୍ଯ୍ୟ କ୍ରମେ ଉଜ୍ଜ୍ୱଳ ହୋଇ ଉଠୁଥିଲା। ଚଉରା ପୂଜା ସାରି ଦୂର ଗାଁ ହବିଷ୍ୟାଳୀମାନଙ୍କର ରାଈ ଦାମୋଦର ବ୍ରତ ଗୀତ ଭାସି ଆସି ଆଦ୍ୟ କାର୍ତ୍ତିକର ସକାଳକୁ ଆହୁରି ମହିମ୍ନ ଓ ସୁଶୀତଳ କରି ତୋଳିଥିଲା। ସୁରଞ୍ଜନଙ୍କର ମଧ୍ୟ ମନେ ପଡ଼ିଗଲା ମହାଦେବ ଦାସ ବିରଚିତ ‘କାର୍ତ୍ତିକ ମାହାତ୍ମ୍ୟ’ରୁ ପଦେ:
‘‘କାର୍ତ୍ତିକ ମାସେ ପ୍ରାତଃ ସ୍ନାନ
ଆବର ତୁଳସୀ ସେବନ
ହୋଇବ ନିରାମିଷ ଭୋଜି
କ୍ରୋଧ ମତ୍ସର ମୋହ ତେଜି
ସକଳ ବିଘ୍ନ ଯିବ କ୍ଷୟ
ମରିବ ସେ ଦନୁ ତନୟ
ଧନ ମର୍ଯ୍ୟାଦାବନ୍ତ ହେବ
ଶ୍ରୀହରି ରୂପକୁ ପାଇବ।”
ଗାଡ଼ିର କାଚ ଝରକା ଫାଙ୍କରୁ ଦୃଷ୍ଟି ଲମ୍ବି ଯାଉଥିଲା ଅପସୃୟମାଣ ନୟାଗଡ଼-ଭଞ୍ଜନଗର ସୀମାଲଗ୍ନ ଜଙ୍ଗଲ ଆଡ଼କୁ। ଜନଜାତିମାନଙ୍କ ଅନ୍ତରଙ୍ଗ ଓ ସୁସଂହତ ଜୀବନ ପ୍ରଣାଳୀ ଯୋଗୁଁ ଦିନେ କେତେ ନିଘଞ୍ଚ ଥିଲା ଏ ଜଙ୍ଗଲ ସବୁ!
ନୟାଗଡ଼, ଶରଣକୁଳ, ଓଡ଼ଗାଁ, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ଦେଇ ଭଞ୍ଜନଗରରେ ପହଞ୍ଚିଲା ବେଳକୁ ଶରତ ସକାଳର ପାଣିଚିଆ ଖରା ଦେହକୁ ଭେଦି ଯାଉଥିଲା। ସେଠାକାର ଲୋହରାଖଣ୍ଡି ସାହିତ୍ୟ ସଂସଦର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ସୁରଞ୍ଜନ।
ଘୁମୁସର ଅଭିମୁଖେ ବାହାରିବାବେଳେ ସେଠାକାର ପଶୁ ମୁଖା ନୃତ୍ୟର ସ୍ଥିତି ଓ ଗତି ସଂପର୍କରେ କିଛି ଜାଣିବାକୁ ସେ ମନ ସ୍ଥିର କରି ନେଇଥିଲେ। ଏହି ନୃତ୍ୟ ବାବଦରେ ସେ ଆଗରୁ କିଛିଟା ଶୁଣିଥିଲେ ମଧ୍ୟ! ପଶୁର ମୁହଁ ଓ ଦେହ ଆକୃତିର ମୁଖାକୁ ନେଇ କଳାକାରମାନଙ୍କ ନୃତ୍ୟ ହେଉଛି ପଶୁ ମୁଖା ନୃତ୍ୟ। ବିଭିନ୍ନ ଯାନିଯାତ୍ରା, ବିବାହ-ବ୍ରତ ଏବଂ ସରକାରୀ ବା ବେସରକାରୀ ଉତ୍ସବ ଆଦିରେ ଏବେ ଏହାର ପ୍ରଦର୍ଶନ କରାଯାଉଛି। ଚାଙ୍ଗୁ ଓ ଢୋଲ ବାଦ୍ୟର ତାଳେ ତାଳେ ପଟୁଆର କରି ପଶୁ ମୁଖା ନର୍ତ୍ତକମାନେ ପରିବେଶକୁ ଉଚ୍ଛ୍ବାସମୟ କରି ଦିଅନ୍ତି।
ଏହି ନୃତ୍ୟର ଉତ୍ପତ୍ତି ସହିତ ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ୟାଘ୍ର ଦେବୀଙ୍କ ପ୍ରତି ଭକ୍ତି ନିବେଦନର ଭାବ ସଂଶ୍ଳିଷ୍ଟ। ମା’ଙ୍କ ପୂଜାର୍ଚ୍ଚନା ସମୟରେ ତାଙ୍କରି ବାହନ ରୂପକ ସିଂହ, ବାଘ, ଘୋଡ଼ା, ବୃଷଭ ଏବଂ ତାଙ୍କର ସନ୍ତାନ ସ୍ୱରୂପ ହରିଣ, ଛେଳି, ମେଣ୍ଢା ଇତ୍ୟାଦିଙ୍କୁ ତାଙ୍କ ସମ୍ମୁଖରେ ନଚାଇ ଆନନ୍ଦମୟ ବାତାବରଣ ସୃଷ୍ଟି କଲେ ଦେବୀ ପ୍ରସନ୍ନ ହୁଅନ୍ତି ବୋଲି ଲୋକ ବିଶ୍ୱାସରୁ କାଳକ୍ରମେ ପଶୁ ମୁଖା ନୃତ୍ୟର ଆବିର୍ଭାବ ଘଟିଲା।
ସେଇଠି ସୁରଞ୍ଜନଙ୍କ ଦେଖା ହେଲା ଉପେନ୍ଦ୍ର ଭଞ୍ଜ ଲୋକନୃତ୍ୟ ପରିଷଦର ନିର୍ଦ୍ଦେଶକ ତଥା ନାରାୟଣ ମହାରଣାଙ୍କ ସହିତ, ଯିଏ ପଶୁ ମୁଖା ନୃତ୍ୟକୁ ଦେଶ ଓ ବିଦେଶରେ ବିଶେଷ ପରିଚିତି ଦେବା ଲାଗି ଉଦ୍ୟମରତ। ଏହି ନୃତ୍ୟ ଅନେକ ପରିବର୍ତ୍ତନ ଓ ସଂସ୍କାର ଦେଇ ଗଡ଼ି ଆସିଛି। ଏବେ ଏଥିରେ ବିଷୟବସ୍ତୁ ବା ‘ଥିମ୍‌’ ରହୁଛି। କେବଳ ସେତିକି ନୁହେଁ ଏହି ନୃତ୍ୟ ମାଧ୍ୟମରେ ଜନ ସଚେତନତାମୂଳକ ସନ୍ଦେଶ ଲୋକଙ୍କ ପାଖରେ ପହଞ୍ଚାଇବାର ଉଦ୍ୟମ ମଧ୍ୟ କରାଯାଉଛି।
ନାରାୟଣ ମହାରଣା ଜଣେ ନିପୁଣ ମୁଖା ଶିଳ୍ପୀ ମଧ୍ୟ। ସେ ମଧ୍ୟ ଏହି ମୁଖାଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଏହି କଳାକୁ ବଞ୍ଚାଇ ରଖିବା ଦିଗରେ ଯତ୍ନଶୀଳ ଅଛନ୍ତି। ସେ ଦିନ ଅପରାହ୍‌ଣରେ ନାରାୟଣ ଡାକିନେଇଥିଲେ ସୁରଞ୍ଜନଙ୍କୁ ତାଙ୍କ ନୁଆଁଣିଆ ଘରକୁ। ଖୁବ୍ ଆଗ୍ରହରେ ସେ ଦେଖାଉଥିଲେ ତାଙ୍କ ହାତ ତିଆରି କଳା ସାମଗ୍ରୀ ଓ କାନ୍ଥରେ ଟଙ୍ଗା ମାନପତ୍ରମାନ। ଏହି କଳା କୌଶଳ ଘୁମୁସର, ଭେଜିପୁଟ, ଲାଲସିଙ୍ଗ, ଗାମୁଣ୍ଡି ପ୍ରଭୃତି ଗ୍ରାମପୁଞ୍ଜ ସହିତ ଆଖପା‌ଖ ଅଞ୍ଚଳର ଅନେକ ଗାଁରେ ଦେଖିବାକୁ ମିଳିଥାଏ। ଏହିଭଳି ଲୋକକଳା ପ୍ରତି ସରକାରଙ୍କ ଉଦାସୀନତା ସକାଶେ ଶିଳ୍ପୀଙ୍କ କ୍ଷୋଭ ସେ ଦିନ ସୁରଞ୍ଜନ ଶୁଣିଥିଲେ। ଏହି ଲୋକ ନୃତ୍ୟକୁ କେନ୍ଦ୍ର କରି ଗଢ଼ି ଉଠିଥିବା ମୁଖା ଶିଳ୍ପର ପ୍ରୋତ୍ସାହନ ସକାଶେ ପ୍ରଦର୍ଶନୀ ଓ ବଜାର ସୃଷ୍ଟି କରାଯିବା ଯେ ନିତାନ୍ତ ଜରୁରି, ତାହା ଯେ କେହି ହୃଦୟଙ୍ଗମ କରିପାରିବ।
ଚକ୍ଷୁ ପଲକରେ ସମୟ ଗଡ଼ି ଯାଇଥିଲା ସତେ! ସଞ୍ଜ କେତେବେଳେ ନଇଁ ଆସିଲା ତାହା ସୁରଞ୍ଜନ ଜାଣି ପାରି ନ ଥିଲେ। ଘୁମୁସରର ସଞ୍ଜ ଆକାଶରେ ପାର୍ବଣର ରଙ୍ଗ! କିନ୍ତୁ ସୁରଞ୍ଜନ ଆନମନା ହୋଇ ଉଠୁଥିଲେ। ସେ ଭାବୁଥିଲେ ପଶୁ ମୁଖା ଶିଳ୍ପୀମାନଙ୍କ କଥା। ଦୈନ୍ୟ ଓ ଅନଟନ ଭିତରେ ରହି ସୁଦ୍ଧା କଳାକୁ ବଞ୍ଚାଇ ରଖିବା ଲାଗି ଶିଳ୍ପୀମାନଙ୍କ ସଂଘର୍ଷ ଖବରକାଗଜର ଶିରୋନାମା ମଣ୍ଡନ କରେ ନାହିଁ ସିନା, କୌଣସି ଅପରିଚିତ ଅନୁଭବୀର ମନରେ ସ୍ଥାୟୀ ରେଖାଟିଏ ଟାଣି ଦେଇପାରେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button