ସମ୍ପାଦକୀୟ

Editorial: ଅସ୍ତାଚଳରେ ମମତା!

ଅନେକ ପର୍ଯ୍ୟବେକ୍ଷକ କହନ୍ତି ଯେ ସେ କଂଗ୍ରେସ ଦଳ ସହିତ ମିଶି ଯାଇ ପାରନ୍ତି, ଯାହାର ଏକଦା ସେ ସଦସ୍ୟ ଥିଲେ। ଏହାର କାରଣ, ଏକ ଅପେକ୍ଷାକୃତ ପ୍ରଶସ୍ତ ଭିତ୍ତି ଉପରୁ ଯୁଦ୍ଧଂ ଦେହି ଡାକରା ଦେବା ତାଙ୍କ ଲାଗି ସୁବିଧାଜନକ ହେବ। ଯଦି ତାହା ନହୁଏ, ତେବେ ସେ ବିରୋଧୀ ‘ଇନ୍‌ଡି’ ମେଣ୍ଟର ଅଂଶ ହେବାର ସମ୍ଭାବନା ରହିଛି। ସାଂପ୍ରତିକ ରାଜନୈତିକ ପରିବେଶରେ, ଯେଉଁଠି ଶାସକ ପକ୍ଷ ବିରୋଧୀ ପକ୍ଷକୁ ନିର୍ମୂଳ କରି ଦେବାରେ ପ୍ରବୃତ୍ତ, ସେଠି ମମତାଙ୍କ ନୂଆ ଜିଦି ହୁଏତ ବିରୋଧୀଙ୍କ ମଧ୍ୟରେ ଉତ୍ସାହର ଅଗ୍ନି ସଂଯୋଗ କରିବ।

ସଂପ୍ରତି ଭାରତୀୟ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଯାହା ଆଚମ୍ବିତ କରି ଦେଇଛି, ତାହା ହେଲା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶିତ ‌େହବାର ମାସେ ପୂରୁ ନ ପୂରୁଣୁ ତୃଣମୂଳ କଂଗ୍ରେସ ବା ଟି.ଏମ.ସି. ହଠାତ୍‌ ବିଭାଜିତ ହୋଇଯିବା ଏବଂ ଦଳର ମୂଳ ସଂସ୍ଥାପକ ଓ ଗଲା ଅଠେଇଶ ବର୍ଷର ପ୍ରଶ୍ନାତୀତ ନେତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରେ ବିଧାୟକ ଦଳର ମାତ୍ର ଏକ-ତୃତୀୟାଂଶରୁ ମଧ୍ୟ କମ୍‌ ସଂଖ୍ୟକଙ୍କ ସମର୍ଥନ ଉପଲବ୍‌ଧ ହେବା। କହିବା ବାହୁଲ୍ୟ, ଏହା ସହିତ ଟି.ଏମ.ସି. ଉପରେ ମମତା ବାନାର୍ଜୀଙ୍କ ସ୍ବତ୍ବାଧିକାର ମଧ୍ୟ ଦୋଦୁଲ୍ୟମାନ ସ୍ଥିତିରେ; ଏବଂ ଏହି ପରିପ୍ରେକ୍ଷୀରେ ୨୦୨୫ ମସିହାରେ ମହାରାଷ୍ଟ୍ରରେ ସଂଘଟିତ ଶିବସେନାର ବିଭାଜନ ବିଷୟ ମଧ୍ୟ ସ୍ମରଣକୁ ଆସିଥାଏ। କହିବା ଅନାବଶ୍ୟକ ଯେ ଦୀର୍ଘ ୧୫ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଅକ୍ଳାନ୍ତ ତଥା ସାଲିସହୀନ ସଂଘାତରେ ବ୍ୟାପୃତ ରହି ପାରିବାରେ ସମର୍ଥ ମମତା ବାନାର୍ଜୀ ଏହି କାରଣରୁ ସହସା ଯେମିତି ଜଣେ ନିଃସଙ୍ଗ ଓ ଭଗ୍ନ ହୃଦୟର ସେନାପତିରେ ପରିଣତ ହୋଇ ଯାଇଛନ୍ତି। ସ୍ବାଭାବିକ ଭାବେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ସାରା ଦେଶ ବିତର୍କ ମୁଖର ହୋଇପଡ଼ିଛି, ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଟି.ଏମ.ସି.ର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ଅନ୍ତତଃ ୫୮ ଜଣଙ୍କ ସମର୍ଥନ ତାଙ୍କ ପକ୍ଷରେ ଅଛି ବୋଲି ଦାବି କରି ପଇଁଚାଳିଶ ବର୍ଷ ବୟସ୍କ ଋତୁବ୍ରତ ବାନାର୍ଜୀ, ଇତିମଧ୍ୟରେ, ବିଧାନସଭାରେ ବିରୋଧୀ ଦଳର ନେତା ଭାବେ ବାଚସ୍ପତିଙ୍କ ସ୍ବୀକୃତି ଲାଭ କରି ସାରିଛନ୍ତି ଏବଂ ବିଧାୟକ ଦଳର ଦୁଇ-ତୃତୀୟାଂଶରୁ ଅଧିକ ସଦସ୍ୟଙ୍କୁ ନେଇ ତାଙ୍କ ନେତୃତ୍ବାଧୀନ ଅଂଶ ପ୍ରକୃତ ଟି.ଏମ.ସି. ବୋଲି ଦାବି କରିଛନ୍ତି। ଶିବସେନା ବିଭାଜନ ଦୃଷ୍ଟାନ୍ତରେ ଅଦାଲତଙ୍କ ରାୟ ଯୋଗେ ସଂଖ୍ୟାଧିକ ବିଧାୟକଙ୍କ ସମର୍ଥିତ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଅଂଶକୁ ପ୍ରକୃତ ଶିବ‌େସନା ବୋଲି ସ୍ବୀକୃତି ମିଳିଥିଲା। ସୁତରାଂ, ଟି.ଏମ.ସି. କ୍ଷେତ୍ରରେ ମଧ୍ୟ ଅନୁରୂପ ଘଟିପାରେ, ଯହିଁରେ ମମତା ବାନାର୍ଜୀ ନିଜ ଦ୍ବାରା ପ୍ରତିଷ୍ଠିତ ଦଳ ଉପରୁ ସର୍ବାଧିକାର ହରାଇ ପାରନ୍ତି। ଦ୍ବିତୀୟରେ, ଋତୁବ୍ରତଙ୍କ ବୟାନ ଅନୁସାରେ ସେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଏକାଧିପତ୍ୟ ସ୍ବୀକାର କରନ୍ତି ନାହିଁ, ଯଦିଓ ଉପଦେଷ୍ଟା ଭାବେ ମମତା ବାନାର୍ଜୀଙ୍କ ମାର୍ଗ-ଦର୍ଶନକୁ ସେ ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏକ ଗଣତନ୍ତ୍ରରେ କୌଣସି ରାଜନୈତିକ ଦଳ ତା’ର ମାଲିକାନା ବା ସ୍ବତ୍ବାଧିକାରକୁ ଉତ୍ତରାଧିକାର ସୂତ୍ରରେ ଜଣେ ନିକଟ ସଂପର୍କୀୟଙ୍କୁ ଅର୍ପଣ କରିବା ସମୀଚୀନ ହୋଇଥାଏ କି? ଏହାର ଉତ୍ତର ଅବଶ୍ୟ ନାସ୍ତିବାଚକ। ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ, ଯେ କୌଣସି ଦଳରେ, ତୃଣମୂଳ ସ୍ତରୀୟ ସାଂଗଠନିକ କାର୍ଯ୍ୟରୁ କର୍ମୀ ଜୀବନ ଆରମ୍ଭ କରିଥିବା ଅର୍ବାଚୀନ ମଧ୍ୟ ଅବଲୀଳା କ୍ରମେ ଦେଶ ବା ରାଜ୍ୟ ଶାସନର ସର୍ବୋଚ୍ଚ ପଦରେ ଆସୀନ ହେବାର ସ୍ବପ୍ନ ଦେଖିପାରେ; ଏବଂ ତାକୁ ପ୍ରୋତ୍ସାହନ ଦେଲା ଭଳି ଏଭଳି ଦୃଷ୍ଟାନ୍ତମାନ ମଧ୍ୟ ବିଦ୍ୟମାନ। ଏହି କାରଣରୁ ଉଚ୍ଚାଭିଳାଷୀ ଉଦୀୟମାନ ନେତାମାନଙ୍କ ସକାଶେ, ସେମାନଙ୍କ ତଣ୍ଟିର କଣ୍ଟା ଭାବେ ଆବିର୍ଭୂତ ହୁଅନ୍ତି ସେହି ଦଳର ସର୍ବମୟ କର୍ତ୍ତାଙ୍କ କୌଣସି ସଂପର୍କୀୟ, ଯିଏ ଆକାଶ ଛତା ଧରି ଉପରୁ ଓହ୍ଲାଇଲା ଭଳି ହଠାତ୍‌ ଦଳର ଶୀର୍ଷତମ ସ୍ଥାନରେ ଉପସ୍ଥିତ ହୋଇଯାଆନ୍ତି ଏବଂ ଦଳରେ ଦୀର୍ଘ କାଳ କାର୍ଯ୍ୟରତ ଥିବା ଉଚ୍ଚାଭିଳାଷୀ ଉଦୀୟମାନ ନେତାଙ୍କୁ ଅବମାନନା କରିବାରେ ପ୍ରବୃତ୍ତ ହୁଅନ୍ତି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆମ ଦେଶର ଅଧିକାଂଶ ଆଞ୍ଚଳିକ ଦଳରେ ଏହା ହିଁ ଦୃଶ୍ୟମାନ ହୋଇଥାଏ। ଶିବସେନାରେ ବିଭାଜନ ଘଟାଇବା ବେଳେ, ଏକନାଥ ସିନ୍ଦେ ମଧ୍ୟ ଦଳର ସର୍ବମୟ ନେତା ଉଦ୍ଧବ ଠାକରେଙ୍କ ପୁତ୍ର ଆଦିତ୍ୟ ଠାକେରଙ୍କ ଔଦ୍ଧତ୍ୟକୁ ଅସହନୀୟ ବୋଲି ଆକ୍ଷେପ କରିଥିଲେ। ଏହାର ଅନେକ ଉଦାହରଣ ମିଳି ସାରିଲାଣି ଯେ କୌଣସି ରାଜନୈତିକ ଦଳ ଯଦି ଏକ ବାଣିଜ୍ୟ ପ୍ରତିଷ୍ଠାନ ସଦୃଶ ତାହାର କର୍ତ୍ତୃତ୍ବକୁ ଏକ ନିବୁଜ ପରିବାର-କୈନ୍ଦ୍ରିକ ବ୍ୟାପାରରେ ପରିଣତ କରିଦିଏ, ତେବେ ଅବକ୍ଷୟକୁ ଆମନ୍ତ୍ରଣ କରିବା ସାର ହୋଇଥାଏ।
କେତେକ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଏହି ବିଭାଜନ ପୂର୍ବରୁ, ଅର୍ଥାତ୍‌ ମେ ୨୨ ତାରିଖରେ ଦିଲ୍ଲୀସ୍ଥିତ ବଙ୍ଗ ଭବନରେ, କୁଆଡ଼େ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଋତୁବ୍ରତଙ୍କ ଏକ ସ୍ବଳ୍ପକାଳୀନ ସାକ୍ଷାତ ହୋଇଥିଲା! ସୁତରାଂ, ଏହା ପଛରେ ବିଜେପିର ଚକ୍ରାନ୍ତ ନିହିତ ବୋଲି ସନ୍ଦେହ ପ୍ରକାଶିତ ହୋଇଛି, ଠିକ୍‌ ଶିବସେନାର ବିଘଟନ କାଳରେ ବିଜେପିର ସଂପୃକ୍ତି ଆଡ଼କୁ ଅଙ୍ଗୁଳି ଉଠିଥିବା ଭଳି! ତେବେ, କଥା ହେଲା, ମହାରାଷ୍ଟ୍ରରେ କ୍ଷମତା ଲାଭ କରିବା ଲାଗି ଶିବସେନା ଭଙ୍ଗ ବିଜେପି ସକାଶେ ଆବଶ୍ୟକ ହୋଇ ପଡ଼ିଥିବା ବେଳେ ପଶ୍ଚିମବଙ୍ଗରେ ସେଭଳି ସ୍ଥିତି ନାହିଁ। ପଶ୍ଚିମବଙ୍ଗରେ ବିଜେପି ପୂର୍ଣ୍ଣ ସଂଖ୍ୟା-ଗରିଷ୍ଠତା ସହିତ ଏକାକୀ ଶାସନ କରିବାକୁ ସକ୍ଷମ। ତେବେ, ଏତିକି ହୋଇପାରେ ଯେ ଋତୁବ୍ରତଙ୍କ ସହିତ ସାମୀପ୍ୟ ହେତୁ ବିଜେପିକୁ ତୀବ୍ର ବିରୋଧର ସ୍ବର ଅଯଥା ହନ୍ତସନ୍ତ କରିବ ନାହିଁ। ଋତୁବ୍ରତଙ୍କ ମନ୍ତବ୍ୟରୁ ମଧ୍ୟ ଏହା ସ୍ପଷ୍ଟ ଯେ ତାଙ୍କ ନେତୃତ୍ବାଧୀନ ଦଳ ଏକ ଗଠନମୂଳକ ବିରୋଧୀର ଭୂମିକା ନିର୍ବାହ କରିବ; ଅଯଥା ଉଚ୍ଚାଟ କରିବ ନାହିଁ। ଏହା କାହାକୁ ଅଛପା ନାହିଁ ଯେ ମମତା ବାନାର୍ଜୀଙ୍କ ଦୃଷ୍ଟିରେ ବିଜେପି ଏକ ପ୍ରତିପକ୍ଷ ନ ଥିଲା, ବରଂ ଥିଲା ଶତ୍ରୁପକ୍ଷ। ସୁତରାଂ, ସାଂପ୍ରତିକ ଟି.ଏମ.ସି. ହେବ ଏକ କୋମଳ ବିରୋଧୀ ଦଳ।
ବିଭିନ୍ନ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ଟି.ଏମ.ସି.ର ଅନେକ ସାଂସଦ ବିଜେପିରେ ଯୋଗ ଦେବାକୁ ଆଗ୍ରହୀ। ସଂସଦରେ ସଂଖ୍ୟାଭାବ ହେତୁ ବିଜେପିର କେତେକ ପ୍ରିୟ ବିଲ୍‌ ଗୃହୀତ ହୋଇ ପାରୁ ନ ଥିବା ଦୃଷ୍ଟିରୁ ଏଭଳି ଏକ ସ୍ଥିତି ବିଜେପି ସକାଶେ ଅତ୍ୟନ୍ତ ସ୍ବାଗତଯୋଗ୍ୟ ହେବା ସ୍ବାଭାବିକ। ଅପର ପକ୍ଷରେ ଟି.ଏମ.ସି. ସାଂସଦମାନଙ୍କ ସକାଶେ ଏହା ମଧ୍ୟ ଏକ ବାଧ୍ୟବାଧକତା ଭଳି ହୋଇପାରେ, କାରଣ ସେମାନେ ହୃଦୟଙ୍ଗମ କରୁଥିବେ ଯେ ସେମାନଙ୍କ ବିରୋଧରେ ଯଦି କୌଣସି କେନ୍ଦ୍ରୀୟ ଅନୁଷ୍ଠାନ ଦୈବାତ ସକ୍ରିୟ ହୋଇ ଉଠନ୍ତି, ତେବେ ମମତା ବାନାର୍ଜୀଙ୍କ ସୌଜନ୍ୟରୁ ପ୍ରାପ୍ତ ହୋଇ ଆସୁଥିବା ସୁରକ୍ଷା ବର୍ମ ଆଉ ସେମାନଙ୍କ ସକାଶେ ଉପଲବ୍‌ଧ ହେବନାହିଁ। ଏଭଳି ସ୍ଥିତିରେ ମମତା ବାନାର୍ଜୀଙ୍କ ନିଃସଙ୍ଗତା ଯେ ଆହୁରି ଗଭୀର ହେବ, ତହିଁରେ ସନ୍ଦେହ ନାହିଁ।
ତେବେ ନିଃସଙ୍ଗ ମମତା ବାନାର୍ଜୀଙ୍କ ଭବିଷ୍ୟତ୍‌ କାର୍ଯ୍ୟପନ୍ଥା କ’ଣ ହେବ, ତାହା ଅନୁମାନ କରିବା ଅସମ୍ଭବ। ୭୧ ବର୍ଷ ବୟସରେ ପଦାର୍ପଣ କରି ସାରିଥିବା ସତ୍ତ୍ବେ ନିର୍ଭୀକ ଓ ହାର ସ୍ବୀକାର କରିବାକୁ ନାରାଜ ମମତା‌ ହୁଏତ ପୁନର୍ବାର ନିଜକୁ ସୁଦୃଢ଼ କରିବାକୁ ପ୍ରଚେଷ୍ଟା କରିବେ! ଅନେକ ପର୍ଯ୍ୟବେକ୍ଷକ କହନ୍ତି ଯେ ସେ କଂଗ୍ରେସ ଦଳ ସହିତ ମିଶି ଯାଇ ପାରନ୍ତି, ଯାହାର ଏକଦା ସେ ସଦସ୍ୟ ଥିଲେ। ଏହାର କାରଣ, ଏକ ଅପେକ୍ଷାକୃତ ପ୍ରଶସ୍ତ ଭିତ୍ତି ଉପରୁ ଯୁଦ୍ଧଂ ଦେହି ଡାକରା ଦେବା ତାଙ୍କ ଲାଗି ସୁବିଧାଜନକ ହେବ। ଯଦି ତାହା ନହୁଏ, ତେବେ ସେ ବିରୋଧୀ ‘ଇନ୍‌ଡି’ ମେଣ୍ଟର ଅଂଶ ହେବାର ସମ୍ଭାବନା ରହିଛି। ସାଂପ୍ରତିକ ରାଜନୈତିକ ପରିବେଶରେ, ଯେଉଁଠି ଶାସକ ପକ୍ଷ ବିରୋଧୀ ପକ୍ଷକୁ ନିର୍ମୂଳ କରି ଦେବାରେ ପ୍ରବୃତ୍ତ, ସେଠି ମମତାଙ୍କ ନୂଆ ଜିଦି ହୁଏତ ବିରୋଧୀଙ୍କ ମଧ୍ୟରେ ଉତ୍ସାହର ଅଗ୍ନି ସଂଯୋଗ କରିବ। ତେବେ, ଏକାଦିକ୍ରମେ ଏତେ ଦୀର୍ଘ କାଳ ଶାସନ କ୍ଷମତାରେ ରହି ଆସିଥିବାରୁ ବିରୋଧୀ ପକ୍ଷର ଭୂମିକାରେ ତାଙ୍କୁ ଅଭ୍ୟସ୍ତ ହେବାକୁ ପଡ଼ିବ, ହୁଏତ ଅଧିକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଏହି କ୍ରମରେ ତାଙ୍କ ଅହଙ୍କାର ଓ ଆତ୍ମପ୍ରଶସ୍ତି ଭାବର ବିଲୋପ ମଧ୍ୟ ଘଟିପାରେ! ତେବେ, ଅସ୍ତାଚଳରେ ଥିଲେ ହେଁ ସେ ଯେ ଶୀଘ୍ର ଡୁବି ଯିବେ ନାହିଁ, ଏ ନେଇ ଅଧିକାଂଶ ଏକମତ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button