ଘୁ.ଉଦୟଗିରି: ହାତୀ ଆକ୍ରମଣରେ ପୁଣି ଜଣେ ମୃତ। ଟିକାବାଲି ବ୍ଲକ ସାରଂଗଡ଼ ଥାନା ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ସିନ୍ଦୁରଗାଡ଼ା ନିକଟ ରାଜେନବାଡି ଦାନିପାଙ୍ଗି ଜଙ୍ଗଲରେ ଆଜି ଭୋରରୁ ଜଣେ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଗତକାଲି କନ୍ଧମାଳଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡଡ଼ା ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଥିଲେ | ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନଙ୍କ ସୂଚନା ଅନୁସାରେ ୩ ଜଣ ଗ୍ରାମବାସୀ ଧନେଶ୍ୱର ପ୍ରଧାନ, କୀର୍ତ୍ତନ ବଗର୍ତ୍ତୀ ଓ ବାମଦେବ ପ୍ରଧାନ ଜଙ୍ଗଲକୁ ଯାଇଥିଲେ। ନିଜ କାମ ସାରି ଫେରୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା। ୩ ଜଣଙ୍କ ମଧ୍ୟରୁ ଧନେଶ୍ୱର ପ୍ରଧାନ ପ୍ରାଣ ବିକଳରେ ଦୌଡ଼ି ପଳେଇ ଆସିଥିବା ବେଳେ ଦୁଇ ଜଣ ଦୌଡ଼ି ପାରିନଥିଲେ, ଯାହା ଫଳରେ ହାତୀ ଦଳା ଚକଟାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା |
ଆଖପାଖ ଜଙ୍ଗଲରେ ହାତୀ ଥିବା ନେଇ ଆଲୋଚନା ହେଉଥିଲା
କିଛି ଦିନର ବ୍ୟବଧାନ ପରେ ଗତ ଦୁଇ ଦିନ ହେବ ଆଖପାଖ ଜଙ୍ଗଲରେ ହାତୀ ଥିବା ନେଇ ଆଲୋଚନା ହେଉଥିଲା। ଗତକାଲି ହାତୀ ଆକ୍ରମଣରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି | ବନ ବିଭାଗ ଖବର ପାଇ ଘଟଣା ସ୍ଥଳକୁ ଯାଇ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ଥାନୀୟ ବନ ଅଧିକାରୀ |
ସୌଜନ୍ୟ ସମ୍ବାଦ
