Environmental Movement: ପରିବେଶ ଆନ୍ଦୋଳନ: ବିହନ ବଞ୍ଚାଅ

ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳର ଛୋଟ ଛୋଟ ଗାଁଗୁଡ଼ିକରେ ଚାଷୀମାନଙ୍କର ଜୀବନ ମାଟି ସହିତ ଗଭୀର ଭାବରେ ଜଡ଼ିତ ଥିଲା। ପ୍ରତ୍ୟେକ ଚାଷୀ ନିଜ ପୂର୍ବଜଙ୍କଠାରୁ ମିଳିଥିବା ବିହନ, ପ୍ରକୃତି ସହିତ ସମନ୍ୱୟ ରଖି କୃଷି କରିବାର ପ୍ରଣାଳୀ ଏବଂ ଋତୁ ଅନୁଯାୟୀ ଫସଲ ଚାଷର ଜ୍ଞାନକୁ ଅନୁସରଣ କରୁଥିଲେ। ମାତ୍ର ୧୯୬୦ ଦଶକରେ ଆସିଥିବା ‘ସବୁଜ କ୍ରାନ୍ତି’ ଏହି ପରମ୍ପରାକୁ ଧୀରେ ଧୀରେ ପଛକୁ ଠେଲିଦେଲା। ନୂତନ ପ୍ରଜାତିର ମଞ୍ଜି, ରାସାୟନିକ ସାର ଏବଂ ଏକମାତ୍ର ଫସଲ ଉପରେ ନିର୍ଭରଶୀଳତା ବଢ଼ିଗଲା। ଏହାର ପରିଣାମରେ ଚାଷୀମାନେ ନିଜ ପୁରୁଣା ବିହନ ଓ ପାରମ୍ପରିକ ଜ୍ଞାନକୁ ହାରାଇବାକୁ ଲାଗିଲେ। ୧୯୮୦ ଦଶକରେ ଉତ୍ତରାଖଣ୍ଡର ଏକ ସାଧାରଣ କୃଷକ ଏବଂ ସଚେତନକର୍ମୀ ବିଜୟ ଜରଧାରୀ ଏହି ପରିବର୍ତ୍ତନକୁ ଗ୍ରହଣ କରିପାରି ନଥିଲେ। ସେ ଅନୁଭବ କଲେ ଯେ ଯଦି ଏହି ପରମ୍ପରା ଲୋପ ପାଇଯାଏ, ତେବେ କୃଷିର ଅନେକ କ୍ଷତି ଘଟିବ। ଏହି ଚିନ୍ତା ତାଙ୍କୁ ‘ବୀଜ୍ ବଚାଓ ଆନ୍ଦୋଳନ’ (ବିହନ ବଞ୍ଚାଅ ଆନ୍ଦୋଳନ) ଆରମ୍ଭ କରିବାକୁ ପ୍ରେରିତ କଲା।
ସେ ଗାଁକୁ ଗାଁ ବୁଲି ପୁରୁଖା ଚାଷୀମାନଙ୍କ ସହିତ ଆଲୋଚନା କଲେ ଏବଂ ଗ୍ରାମବାସୀଙ୍କୁ ଏକତ୍ରିତ କରି ଅସ୍ତିତ୍ୱ ହରାଉଥିବା ପୁରୁଣା ମଞ୍ଜିଗୁଡ଼ିକୁ ଖୋଜିଆଣିଲେ। ତାଙ୍କ ପ୍ରୟାସରେ ଆଜି ପର୍ଯ୍ୟନ୍ତ ପ୍ରାୟ ୩୫୦ ପ୍ରକାରର ଧାନ ଏବଂ ୨୨୦ ପ୍ରକାରର ରାଜମା ବିହନ ସଂଗ୍ରହ ଓ ସୁରକ୍ଷିତ ହୋଇପାରିଛି। ଏହାସହିତ ଗହମ, ଯବ, ଲୋବିଆ ଓ ମସୁର ଭଳି ଅନ୍ୟାନ୍ୟ ଫସଲର ପୁରୁଣା ପ୍ରଜାତିଗୁଡ଼ିକ ମଧ୍ୟ ସୁରକ୍ଷିତ ହୋଇଛନ୍ତି। ବିଜୟ ଜରଧାରୀ କେବଳ ବିହନ ସଂଗ୍ରହ କରି ନଥିଲେ, ସେ ପାରମ୍ପରିକ କୃଷି ପ୍ରଣାଳୀକୁ ମଧ୍ୟ ପୁନଃଜୀବନ ଦେଇଥିଲେ। ଏକ ସମୟରେ ବାର ପ୍ରକାରର ଫସଲ ଚାଷ କରାଯାଉଥିବା ‘ବରନାଜା’ ଭଳି ଏକ ଅଦ୍ଭୁତ ଚାଷ ପ୍ରଣାଳୀ, ତାଙ୍କ ଉଦ୍ୟମରେ ପୁନର୍ଜୀବନ ପାଇଲା। ଏହି ପ୍ରଣାଳୀ ମାଟିକୁ ସୁରକ୍ଷିତ ରଖିବା ସହିତ ଚାଷୀଙ୍କୁ ବିଭିନ୍ନ ପ୍ରକାରର ଶସ୍ୟ ମଧ୍ୟ ପ୍ରଦାନ କରିଥାଏ।
ଏହି ଆନ୍ଦୋଳନ ଦ୍ବାରା ଚାଷୀମାନେ ପୁଣିଥରେ ନିଜ ପୁରୁଣା ବିହନକୁ ଗର୍ବର ସହିତ ବ୍ୟବହାର କରିବାକୁ ଲାଗିଲେ। ଏହିପରି ଭାବେ ‘ବୀଜ୍ ବଚାଓ ଆନ୍ଦୋଳନ’ କେବଳ ମଞ୍ଜିକୁ ସୁରକ୍ଷା ଦେଇ ନଥିଲା, ଏହା ଏକ ସଂସ୍କୃତି, ଜୀବନଶୈଳୀ ଏବଂ ପ୍ରକୃତି ସହିତ ମାନବ ସମ୍ପର୍କକୁ ମଧ୍ୟ ପୁନଃଜୀବନ ଦେଇଥିଲା।
ସୌଜନ୍ୟ ସମ୍ବାଦ




